August 2026
ସିନ୍ଧୁ ଚୁକ୍ତି ସ୍ଥଗିତ: ପାକିସ୍ତାନକୁ ଭାରତର କଡ଼ା ଜବାବ
ୱାଶିଂଟନ୍: ସିନ୍ଧୁ ନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ପାଇଁ ଭାରତ ନେଇଥିବା ନିଷ୍ପତ୍ତିକୁ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା ଦୃଢ଼ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଏହି ଚୁକ୍ତି ସଦ୍ଭାବନା ଓ ବନ୍ଧୁତା ଉପରେ ଆଧାରିତ ଥିଲା, କିନ୍ତୁ ପାକିସ୍ତାନ ନିଜ କାର୍ଯ୍ୟକଳାପ ଦ୍ୱାରା ଦୀର୍ଘ ଦଶନ୍ଧି ଧରି ଏହାକୁ ଉଲ୍ଲଂଘନ କରିସାରିଛି। ଭାରତର ସ୍ଥଗିତାଦେଶ କେବଳ ସେହି ସତ୍ୟକୁ ଆନୁଷ୍ଠାନିକ ଭାବେ ସ୍ୱୀକାର କରିଛି। ୧୯୬୦ ଚୁକ୍ତି ଅନୁଯାୟୀ ପାକିସ୍ତାନକୁ ୮୦ ପ୍ରତିଶତ ଜଳ ମିଳୁଥିବା ବେଳେ ଭାରତ ମାତ୍ର ୨୦ ପ୍ରତିଶତ ପାଉଥିଲା। ଏହି ଅସମାନତା ସତ୍ତ୍ୱେ ଭାରତ ଚୁକ୍ତିକୁ ସମ୍ମାନ ଦେଇଆସିଥିଲା, ମାତ୍ର ପାକିସ୍ତାନ ଏହାର ନବୀକରଣ ଓ ଆଧୁନିକୀକରଣରେ କ୍ରମାଗତ ବାଧା ସୃଷ୍ଟି କରିଛି। ପାକିସ୍ତାନର ଜଳସଙ୍କଟ ପାଇଁ ଭାରତ ନୁହେଁ, ବରଂ ସେଠାକାର ଖରାପ ଆଭ୍ୟନ୍ତରୀଣ ଜଳ ପରିଚାଳନା ଦାୟୀ। ପାକିସ୍ତାନ ପାଉଥିବା ଜଳରୁ ୩୦ ପ୍ରତିଶତରୁ ଅଧିକ ଜଳ ବାଟରେ ନଷ୍ଟ ହେଉଥିବା ବେଳେ ବହୁ ପରିମାଣର ଜଳ ଅବ୍ୟବହୃତ ହୋଇ ସମୁଦ୍ରକୁ ବହିଯାଉଛି। ଦ୍ୱିପାକ୍ଷିକ ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରି ସେ କହିଛନ୍ତି ଯେ “ସନ୍ତ୍ରାସବାଦ ଓ ଆଲୋଚନା, ସନ୍ତ୍ରାସବାଦ ଓ ବାଣିଜ୍ୟ ଏବଂ ରକ୍ତ ଓ ପାଣି କେବେହେଲେ ଏକାଠି ବହିପାରିବ ନାହିଁ।” ସୂଚନାଯୋଗ୍ୟ, ୨୦୨୫ ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମଠାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତ ଏହି ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା।
ଶିବମୋଗାରେ ଭୂସ୍ଖଳନ
ବେଙ୍ଗାଲୁରୁ:କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଥିର୍ଥହାଲ୍ଲି ତାଲୁକରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ରବିବାର ପ୍ରତ୍ୟୁଷରେ ହୋଇଥିବା ଭୂସ୍ଖଳନରେ ଏକ କୁଡ଼ିଆ ମାଟି ତଳେ ଚାପି ହୋଇଯାଇଛି। ଫଳରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କରେ ଜଣେ ତିନି ବର୍ଷର ଶିଶୁ ମଧ୍ୟ ଅଛନ୍ତି। ରିପୋର୍ଟ ଅନୁସାରେ, ଘଟଣା ରବିବାର ରାତି ପ୍ରାୟ ସାଢ଼େ ୨ଟା ସମୟରେ ତୀର୍ଥହଲ୍ଲୀର ଇନ୍ଦିରା ନଗରରେ ଘଟିଥିଲା। ମାଲନାଡ ଅଞ୍ଚଳରେ ନିରନ୍ତର ପ୍ରବଳ ବର୍ଷା ଯୋଗୁଁ ପାହାଡର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ବହୁ ପରିମାଣର କାଦୁଅ ଏବଂ ମାଟି ପଥର, କାମରୁ ଫେରି କୁଡ଼ିଆରେ ଶୋଇଥିବା ଶ୍ରମିକ ପରିବାରର ସଦସ୍ୟଙ୍କ ଉପରେ ପଡ଼ିଥିଲା।ମୃତକମାନେ ହେଲେ ମଲ୍ଲିକାର୍ଜୁନ (୩୦), ନାଗାବେଣୀ (୨୭) ଏବଂ ସେମାନଙ୍କର ତିନି ବର୍ଷର ପୁଅ ସନ୍ତୋଷ। ପରିବାର କୋପ୍ପାଲ ଜିଲ୍ଲାର ଗଙ୍ଗାବତୀ ତାଲୁକର କକ୍କାରଗୋଲ ଗାଁରୁ ଶ୍ରମିକ ଭାବରେ କାମ କରିବାକୁ ଆସିଥିଲେ। ଘଟଣା ପରେ ପୁଲିସ, ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ଦଳ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ଘଣ୍ଟାର ପ୍ରୟାସ ପରେ,ଭଗ୍ନାବଶେଷ ତଳେ ଚାପି ହୋଇଥିବା ତିନି ଜଣଙ୍କ ମୃତଦେହ ବାହାର କରାଯାଇଥିଲା।
ରାଜଧାନୀରେ ଭୂକମ୍ପ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରବିବାର (୨ ଅଗଷ୍ଟ) ଭୋର ପ୍ରାୟ ୪ଟା୧୪ ସମୟରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ୨.୯ ତୀବ୍ରତାର ଭୂମିକମ୍ପର ପ୍ରଭାବ ଅନୁଭବ ହୋଇଥିବା ସୂଚନା ମିଳିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ୨ ଅଗଷ୍ଟ, ୨୦୨୬ ରବିବାର ସକାଳ ୪:୧୪:୦୧ (IST) ସମୟରେ ଉତ୍ତର ଦିଲ୍ଲୀରେ ୨.୯ ତୀବ୍ରତା ବିଶିଷ୍ଟ ଏହି ଭୂମିକମ୍ପ ଘଟିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ୨୮.୭୨୧ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୬.୯୫୭ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା, ଯାହାର ଗଭୀରତା ୮ କିଲୋମିଟର ରେକର୍ଡ କରାଯାଇଥିଲା। ଅଗଭୀର ଗଭୀରତା ଯୋଗୁ, ଆଖପାଖ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥାଇପାରେ; କିନ୍ତୁ, ୨.୯ ତୀବ୍ରତାର ଭୂମିକମ୍ପକୁ ସାଧାରଣତଃ ମୃଦୁ ବୋଲି ବିବେଚନା କରାଯାଏ ଏବଂ ବଡ଼ କ୍ଷତି ହେବାର ସମ୍ଭାବନା କମ। ଭୂମିକମ୍ପ ହେବା ସମୟରେ, ରାଜଧାନୀର ବାସିନ୍ଦା ପ୍ରାୟ ନିଦରେ ଶୋଇଥିଲେ। କେତେକ ଲୋକ ଭୂମିକମ୍ପ ଅନୁଭବ କରିଥିଲେ, ଅନ୍ୟମାନେ ଘଟଣା ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। କାରଣ ତୀବ୍ରତା କମ ଥିଲା, ଅନେକ ଏହାକୁ ଆଦୌ ଜାଣିପାରି ନଥିଲେ। ଭୂମିକମ୍ପ ପରେ ରାଜଧାନୀରୁ କୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ।
ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଜରୁରୀ – ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ନିଶା ମୁକ୍ତ ଭାରତ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ଯୁବପିଢ଼ିଙ୍କୁ ନିଶାମୁକ୍ତ ଜୀବନ ପାଇଁ ପ୍ରେରିତ କରିବା ସହ ଏକ ବିକଶିତ ଭାରତ ଗଠନରେ ସାମିଲ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆରମ୍ଭ କରିଛନ୍ତି ‘ନିଶା ମୁକ୍ତ ଯୁବା ଫର୍ ବିକଶିତ ଭାରତ ସଂକଳ୍ପ ଅଭିଯାନ’। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଜାତୀୟ ଅଭିଯାନର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ନିଶାମୁକ୍ତ ଭାରତ ପାଇଁ ଆରମ୍ଭ ହୋଇଛି ୧୦୦ ସପ୍ତାହର ଜନଭାଗିଦାରୀ ଅଭିଯାନ। ପ୍ରତି ରବିବାର ସାରା ଦେଶରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ଦୂତ ହେବାକୁ ପ୍ରେରିତ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଅଭିଯାନ ଅଧୀନରେ କ୍ରୀଡ଼ା ପ୍ରତିଯୋଗିତା, ୱାକାଥନ୍, ଧ୍ୟାନ ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ, ସଚେତନତା ରାଲି, ନୁକ୍କଡ଼ ନାଟକ, ଆଲୋଚନା ଚକ୍ର, ଚିତ୍ରାଙ୍କନ ପ୍ରତିଯୋଗିତା ଓ ବିଭିନ୍ନ ସାମାଜିକ ସମ୍ପୃକ୍ତି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ମାଧ୍ୟମରେ ଡ୍ରଗ୍ସ ବିରୋଧରେ ଏକ ସାମୂହିକ ଜନଆନ୍ଦୋଳନ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଅଭିଯାନରେ ଦେଶର ୧୦ ହଜାରରୁ ଅଧିକ ସ୍ଥାନରୁ ଯୁବପିଢ଼ି ସାମିଲ ହୋଇଛନ୍ତି। MY Bharat ସ୍ୱେଚ୍ଛାସେବକ, ନ୍ୟାସନାଲ୍ ସର୍ଭିସ୍ ସ୍କିମ୍ (NSS), ଯୁବ କ୍ଲବ୍, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଶିଳ୍ପ ସଂଘର ଯୁବ ଶାଖା ଓ ୧୨୫ରୁ ଅଧିକ ଆଧ୍ୟାତ୍ମିକ ସଂଗଠନ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଛନ୍ତି।
ୱାସିଂଟନରେ ଜଳୁଛି ଜଙ୍ଗଲ: ୨୫୦,୦୦୦ ଏକର ଜଳି ପାଉଁଶ
ୱାସିଂଟନ: ଆମେରିକାର ୱାସିଂଟନ ରାଜ୍ୟରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଭୟର ବାତାବରଣ ସୃଷ୍ଟି ହୋଇଛି। ରାଜ୍ୟ ସାରା ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ୪ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ଏବଂ ନ୍ୟାସନାଲ୍ ଗାର୍ଡ ଦଳ ଦିନରାତି କାମ କରୁଛନ୍ତି। ପ୍ରବଳ ପବନ ଏବଂ ଅତ୍ୟଧିକ ଗରମ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବହୁ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ପରିସ୍ଥିତିର ଗମ୍ଭୀରତାକୁ ଦେଖି ୱାସିଂଟନ ରାଜ୍ୟପାଳ ବବ୍ ଫର୍ଗୁସନ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ରାଜ୍ୟପାଳ ବବ୍ ଫର୍ଗୁସନ୍ ଚେତାବନୀ ଦେଇଛନ୍ତି ଯେ, ୱାସିଂଟନ ରାଜ୍ୟ ବର୍ତ୍ତମାନ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହେଉଛି। ସାରା ରାଜ୍ୟରେ ୨ ଲକ୍ଷ ୫୦ ହଜାର ଏକରରୁ ଅଧିକ ଜମିରେ ନିଆଁ ଲାଗିବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଚଳିତ ଗ୍ରୀଷ୍ମ ଋତୁରେ ଏପର୍ଯ୍ୟନ୍ତ ରାଜ୍ୟ ସାରା ପ୍ରାୟ ୪ ଲକ୍ଷ ୫୦ ହଜାର ଏକର ଜମି ଜଳି ଯାଇଛି। ଉଚ୍ଚ ତାପମାତ୍ରା ଏବଂ ପବନର ବେଗ ଉଦ୍ଧାର ଏବଂ ରିଲିଫ୍ ପ୍ରୟାସରେ ଯଥେଷ୍ଟ ବାଧା ସୃଷ୍ଟି କରୁଛି।
କାବେରୀ ବିବାଦ: କର୍ଣ୍ଣାଟକ ୧୨,୦୦୦ କ୍ୟୁସେକ୍ ପାଣି ଛାଡିଲା
ଚେନ୍ନାଇ: କାବେରୀ ଜଳ ବିବାଦ ମଧ୍ୟରେ କର୍ଣ୍ଣାଟକ କାବିନି ଜଳଭଣ୍ଡାରରୁ ପ୍ରାୟ ୧୨,୦୦୦ କ୍ୟୁସେକ ଜଳ ଛାଡିଛି। ଜଳଭଣ୍ଡାରରୁ ଛଡାଯାଇଥିବା ପାଣି ସୋମବାର ସୁଦ୍ଧା ତାମିଲନାଡୁ ସୀମାରେ ଥିବା ବିଲିଗୁଣ୍ଡଲୁ ଗଜିଂ ଷ୍ଟେସନରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଜଳଭଣ୍ଡାରର କ୍ୟାଚମେଣ୍ଟ ଏରିଆରେ ପ୍ରବଳ ବର୍ଷା ପରେ ଏହି ପଦକ୍ଷେପ ନିଆଯାଇଛି। ଦୁଇ ରାଜ୍ୟ ମଧ୍ୟରେ କାବେରୀ ଜଳ ବଣ୍ଟନ ବିବାଦ ଏବେ ବି ଜାରି ରହିଛି। ଅଧିକାରୀଙ୍କ ଅନୁଯାୟୀ, ସୋମବାର ସୁଦ୍ଧା କର୍ଣ୍ଣାଟକ-ତାମିଲନାଡୁ ସୀମାରେ ଏବଂ ମଙ୍ଗଳବାର କିମ୍ବା ବୁଧବାର ସୁଦ୍ଧା ମେଟୁର ଜଳଭଣ୍ଡାରରେ ପାଣି ପହଞ୍ଚିବ ବୋଲି ଆଶା କରାଯାଉଛି। ଜଳ ସମ୍ପଦ ବିଭାଗର ଅଧିକାରୀମାନେ କହିଛନ୍ତି, ଛଡାଯାଇଥିବା ଜଳ ସୋମବାର ସୁଦ୍ଧା କର୍ଣ୍ଣାଟକ-ତାମିଲନାଡୁ ସୀମାରେ ଥିବା ବିଲିଗୁଣ୍ଡଲୁ ଗଜିଂ ଷ୍ଟେସନରେ ପହଞ୍ଚିବ ବୋଲି ଆଶା କରାଯାଉଛି। ପାଣି ତା’ପରେ ମେଟୁର ଜଳଭଣ୍ଡାର ଆଡକୁ ଗତି କରିବ। ସେଠାରେ ଏହା ମଙ୍ଗଳବାର କିମ୍ବା ବୁଧବାର ସୁଦ୍ଧା ପହଞ୍ଚିପାରେ। ଅଧିକାରୀମାନେ ସତର୍କ କରାଇ ଦେଇଛନ୍ତି ଯେ ଜଳ ଆସିବାର ସଠିକ୍ ସମୟ ନଦୀର ପରିସ୍ଥିତି ଉପରେ ନିର୍ଭର କରିବ। ଅଧିକାରୀ କହିଛନ୍ତି ଯେ, ନଦୀର ଗତିପଥରେ ବାଷ୍ପୀଭବନ ଏବଂ ଜଳ ଶୋଷଣ ଯୋଗୁ ହେଉଥିବା ଜଳ ଅପଚୟକୁ ବିଚାରକୁ ନିଆଯିବା ଆବଶ୍ୟକ, କାରଣ ଏହା ମେଟୁର ଜଳଭଣ୍ଡାରରେ ପାଣି ପହଞ୍ଚିବା ସମୟକୁ ପ୍ରଭାବିତ କରିବ। ତେଣୁ,ପାଣି ଜଳଭଣ୍ଡାରରେ କେବେ ପହଞ୍ଚିବ ତାହା ସଠିକ୍ ଭାବରେ ଆକଳନ କରିବା କଷ୍ଟକର ହେଉଛି।
ଏବେ ଖୋଲିବନି ହର୍ମୁଜ୍ : ଇରାନ
ନୂଆଦିଲ୍ଲୀ: ଇରାନ ସହ ଆଲୋଚନା ଏବଂ ହର୍ମୁଜ ଖୋଲିବାକୁ ନେଇ ଟ୍ରମ୍ପଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କଲା ଇରାନ। ଇରାନର ଆଲୋଚନା ଦଳର ଏକ ସୂତ୍ରକୁ ଉଦ୍ଧୃତ କରି, ଫାର୍ସ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ, ଇରାନ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବାକୁ ଅନୁମତି ଦେବ ନାହିଁ। ଏହା ବ୍ୟତୀତ ଜଳପଥ ପୁନଃ ଖୋଲିବା ପାଇଁ କାତାର ମଧ୍ୟସ୍ଥତା ପ୍ରସ୍ତାବକୁ ତେହେରାନ ଗ୍ରହଣ କରିଥିବା ରିପୋର୍ଟ ମିଛ । ନ୍ୟୁଜ ଏଜେନ୍ସି କହିଛି ଯେ, ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପୁନଃ ଆରମ୍ଭ କରିବା ପାଇଁ କୌଣସି ଚୁକ୍ତି ହୋଇନାହିଁ ଏବଂ ଏହି ରିପୋର୍ଟ ଗୁଡ଼ିକ ମିଥ୍ୟା। ସୂତ୍ର ଜୋର ଦେଇ କହିଛି ଯେ, ଯେପର୍ଯ୍ୟନ୍ତ “ଆମେରିକା ତାର ଶତ୍ରୁତାପୂର୍ଣ୍ଣ କାର୍ଯ୍ୟ ଜାରି ରଖେ” ସେପର୍ଯ୍ୟନ୍ତ ଜଳପଥ ବନ୍ଦ ରହିବ। ଫାର୍ସ ନ୍ୟୁଜ୍ ଏଜେନ୍ସି ଟ୍ୱିଟ୍ କରିଛି,”ସୂତ୍ର ଅନୁଯାୟୀ, ହରମୁଜ୍ ପ୍ରଣାଳୀ ପୁନଃଖୋଲିବା ସମ୍ପର୍କରେ ରିପୋର୍ଟ ମିଥ୍ୟା। କିଛି ବିରୋଧୀ ଗଣମାଧ୍ୟମ ଦାବି କରିଛନ୍ତି ଯେ, ଇସଲାମିକ୍ ଗଣରାଜ୍ୟ ଇରାନ ହରମୁଜ୍ ପ୍ରଣାଳୀ ପୁନଃଖୋଲିବା ଯୋଜନାରେ ରାଜି ହୋଇଛି; ତଥାପି, ଜଣାଶୁଣା ସୂତ୍ର ଏହି ଦାବିକୁ ଅସ୍ୱୀକାର କରିଛନ୍ତି ଏବଂ ଜୋର ଦେଇଛନ୍ତି ଯେ ଏହି ରଣନୈତିକ ଜଳପଥ ସମ୍ପର୍କରେ ଇରାନର ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ।
ଅଶୋକ ସିଦ୍ଧାର୍ଥଙ୍କୁ ବିଏସପିରୁ ବହିଷ୍କାର କଲେ ମାୟାବତୀ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ଦଳ ଭିତରେ ଏକ ବଡ଼ ଶୃଙ୍ଖଳାଗତ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଏସପି ଜାତୀୟ ସଂଯୋଜକ ଆକାଶ ଆନନ୍ଦଙ୍କ ଶ୍ୱଶୁର ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅଶୋକ ସିଦ୍ଧାର୍ଥଙ୍କୁ ସେ ଦଳରୁ ସ୍ଥାୟୀ ଭାବେ ବହିଷ୍କାର କରିଛନ୍ତି। ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ”ଏକ୍ସ” ରେ ଏକ ପୋଷ୍ଟ କରି ମାୟାବତୀ ସ୍ପଷ୍ଟ କରିଛନ୍ତି ଯେ, କୌଣସି ପରିସ୍ଥିତିରେ ଅଶୋକ ସିଦ୍ଧାର୍ଥଙ୍କୁ ଆଉ ବିଏସପିକୁ ଫେରାଇ ନିଆଯିବ ନାହିଁ। ମାୟାବତୀଙ୍କ ସୂଚନା ଅନୁଯାୟୀ, ଗତବର୍ଷ (୨୦୨୫) ମହାରାଷ୍ଟ୍ର ନିର୍ବାଚନ ସମୟରେ ଅନୁଶାସନହୀନତା ଓ ଟିକେଟ ବଣ୍ଟନ ନିୟମ ଉଲ୍ଲଂଘନ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିଲା। ପରେ ଦ୍ୱିତୀୟ ସୁଯୋଗ ଦେଇ କର୍ଣ୍ଣାଟକ, ଓଡ଼ିଶା ଓ ପଶ୍ଚିମବଙ୍ଗର ଦାୟିତ୍ୱ ଦିଆଯାଇଥିଲେ ବି ସେଠାରେ ମଧ୍ୟ ଅନୁଶାସନହୀନତାର ଅଭିଯୋଗ ଆସିଥିଲା। ଏହାସହ ୨୦୨୭ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଦଳରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ଗୁଜବ ପ୍ରସାରଣ କରାଯାଉଥିବାରୁ ଏହି କଠୋର ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ପଞ୍ଜାବ, ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀର ଦାୟିତ୍ୱରେ ଥିବା ରଣଧୀର ସିଂହ ବେନିୱାଲଙ୍କୁ ମଧ୍ୟ ଦଳୀୟ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ବହିଷ୍କାର କରାଯାଇଛି। ସାଂଗଠନିକ ପରିବର୍ତ୍ତନ କରି ରାଜ୍ୟସଭା ସାଂସଦ ରାମଜୀ ଗୌତମଙ୍କୁ ପଞ୍ଜାବର ନୂତନ ପ୍ରଭାରୀ ନିଯୁକ୍ତ କରାଯାଇଛି। ଅନ୍ୟ ରାଜ୍ୟରେ କାର୍ଯ୍ୟରତ ଉତ୍ତର ପ୍ରଦେଶର ନେତାଙ୍କୁ ରାଜ୍ୟ ସଂଗଠନରେ କୌଣସି ପଦବୀ ଦିଆଯିବ ନାହିଁ ବୋଲି ଦଳ ନୀତିଗତ ନିଷ୍ପତ୍ତି ନେଇଥିବା ବେଳେ ଗୁଜବରୁ ଦୂରେଇ ରହିବାକୁ ମାୟାବତୀ କର୍ମୀ ଓ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।
ପୁଲିସ ପୋଷାକରେ ଜନ୍ତରମନ୍ତର ଆନ୍ଦୋଳନରେ ପଶିଥାନ୍ତା ସନ୍ଦିଗ୍ଧ ଆତଙ୍କବାଦୀ
କୋଲକାତା: ଦିଲ୍ଲୀର ଜନ୍ତରମନ୍ତରଠାରେ ହୋଇଥିବା କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ଛାତ୍ର ଆନ୍ଦୋଳନରେ ପୁଲିସ ପୋଷାକରେ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ପାକିସ୍ତାନରୁ ଷଡ଼୍ଯନ୍ତ୍ର କରାଯାଇଥିଲା। ପଶ୍ଚିମବଙ୍ଗରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ହମିମ୍ ମଣ୍ଡଳକୁ ତା’ର ପାକିସ୍ତାନୀ ପରିଚାଳକମାନେ ଏହି କାମ ଦେଇଥିଲେ ବୋଲି ପଶ୍ଚିମବଙ୍ଗ ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସ୍ଟିଏଫ୍) ରବିବାର କହିଛି।ପାକିସ୍ତାନଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ସହ ସମ୍ପର୍କ ଥିବା ସନ୍ଦେହରେ ହମିମ୍କୁ ଶୁକ୍ରବାର ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ଗିରଫ କରାଯାଇଥିଲା। ଏସ୍ଟିଏଫ୍ ମହାନିରୀକ୍ଷକ ଗୌରବ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ହମିମ୍କୁ ପୁଲିସ ପୋଷାକ କିଣି ଦିଲ୍ଲୀର ଜନ୍ତରମନ୍ତରଠାରେ ଚାଲିଥିବା ଛାତ୍ର ଆନ୍ଦୋଳନରେ ଅନୁପ୍ରବେଶ କରିବାକୁ କୁହାଯାଇଥିଲା। ସେଠାରେ ବିଶୃଙ୍ଖଳା ଓ ଅଶାନ୍ତି ସୃଷ୍ଟି କରିବା ତା’ର ଉଦ୍ଦେଶ୍ୟ ଥିଲା ବୋଲି ଏସ୍ଟିଏଫ୍ ଦାବି କରିଛି। ଏହାଛଡ଼ା ହମିମ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ସେ କେଉଁ ସ୍ଥାନରେ ସୁରକ୍ଷା ବିନା ରହୁଛନ୍ତି, ସେ ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କର ଅନ୍ୟତମ ନିଶାଣ ଥିଲେ ବୋଲି ଗୌରବ କହିଛନ୍ତି। ଜେରା ବେଳେ ପଶ୍ଚିମବଙ୍ଗରେ ଜୈସ୍-ଏ-ମହମ୍ମଦର ଅନେକ ପରିଚାଳକଙ୍କ ସହ ହମିମ୍ର ସମ୍ପର୍କ ଥିବା ଜଣାପଡ଼ିଛି। ଅଦାଲତ ତାକୁ ୧୪ ଦିନ ପାଇଁ ଏସ୍ଟିଏଫ୍ ହେପାଜତକୁ ପଠାଇଛନ୍ତି।ହମିମ୍ର ବାନ୍ଧବୀ ଅର୍ପିତା ସରକାରକୁ ମଧ୍ୟ ଶୁକ୍ରବାର ଝାଡ଼ଖଣ୍ଡର ସାହିବଗଞ୍ଜରୁ ଗିରଫ କରାଯାଇଛି। ଉଭୟେ ରାଜ୍ୟମନ୍ତ୍ରୀ ଉମେଶ ରାୟଙ୍କ ପୁଅଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରିବା ଏବଂ ତାଙ୍କ ପରିବାରଠାରୁ ଅର୍ଥ ଆଦାୟ ପାଇଁ ଷଡ଼୍ଯନ୍ତ୍ର କରୁଥିଲେ ବୋଲି ପୁଲିସ ଅଭିଯୋଗ କରିଛି।
ସାଂସଦଙ୍କ ସହ ବାଙ୍କୀର ବନ୍ୟାଞ୍ଚଳ ପରିଦର୍ଶନ କଲେ କୃଷକ ମୋର୍ଚ୍ଚା ସଭାପତି
ବାଙ୍କୀ, ୦୧/୦୮: ମହାନଦୀରେ ଆସିଥିବା ବନ୍ୟା ପ୍ରଭାବରେ ବାଙ୍କୀର ବିଭିନ୍ନ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ପରିବା ଓ ଧାନ ଫସଲର ବ୍ୟାପକ କ୍ଷତି ଘଟିଛି। ଏହି ପରିସ୍ଥିତିର ଅନୁଧ୍ୟାନ ପାଇଁ ସାଂସଦ ଭର୍ତ୍ତୃହରି ମହତାବଙ୍କ ସହ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ ଶନିବାର ବାଙ୍କୀ ବ୍ଲକ ଓ ବାଙ୍କୀ ଡମପଡା ବ୍ଲକର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର […]
