ୱାସିଂଟନରେ ଜଳୁଛି ଜଙ୍ଗଲ: ୨୫୦,୦୦୦ ଏକର ଜଳି ପାଉଁଶ
ୱାସିଂଟନ: ଆମେରିକାର ୱାସିଂଟନ ରାଜ୍ୟରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଭୟର ବାତାବରଣ ସୃଷ୍ଟି ହୋଇଛି। ରାଜ୍ୟ ସାରା ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ୪ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ଏବଂ ନ୍ୟାସନାଲ୍ ଗାର୍ଡ ଦଳ ଦିନରାତି
କାମ କରୁଛନ୍ତି। ପ୍ରବଳ ପବନ ଏବଂ ଅତ୍ୟଧିକ ଗରମ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବହୁ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି।
ପରିସ୍ଥିତିର ଗମ୍ଭୀରତାକୁ ଦେଖି ୱାସିଂଟନ ରାଜ୍ୟପାଳ ବବ୍ ଫର୍ଗୁସନ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।
ରାଜ୍ୟପାଳ ବବ୍ ଫର୍ଗୁସନ୍ ଚେତାବନୀ ଦେଇଛନ୍ତି ଯେ, ୱାସିଂଟନ ରାଜ୍ୟ ବର୍ତ୍ତମାନ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହେଉଛି। ସାରା ରାଜ୍ୟରେ ୨ ଲକ୍ଷ ୫୦ ହଜାର ଏକରରୁ ଅଧିକ ଜମିରେ ନିଆଁ ଲାଗିବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଚଳିତ ଗ୍ରୀଷ୍ମ ଋତୁରେ ଏପର୍ଯ୍ୟନ୍ତ ରାଜ୍ୟ ସାରା ପ୍ରାୟ ୪ ଲକ୍ଷ ୫୦ ହଜାର ଏକର ଜମି ଜଳି ଯାଇଛି।
ଉଚ୍ଚ ତାପମାତ୍ରା ଏବଂ ପବନର ବେଗ ଉଦ୍ଧାର ଏବଂ ରିଲିଫ୍ ପ୍ରୟାସରେ ଯଥେଷ୍ଟ ବାଧା ସୃଷ୍ଟି କରୁଛି।
