କୃଷି ଓ ଆନୁଷଙ୍ଗିକ ସରକାରୀ ଯୋଜନା ସମ୍ପର୍କରେ ଯୁଗ୍ମ ଅଭିଯୋଗ ଶୁଣାଣିରେ ସ୍ଥାପନ ହେବ ସହାୟତା କେନ୍ଦ୍ର
1 min read

କୃଷି ଓ ଆନୁଷଙ୍ଗିକ ସରକାରୀ ଯୋଜନା ସମ୍ପର୍କରେ ଯୁଗ୍ମ ଅଭିଯୋଗ ଶୁଣାଣିରେ ସ୍ଥାପନ ହେବ ସହାୟତା କେନ୍ଦ୍ର

କେନ୍ଦ୍ରାପଡ଼ା, ୧୮/୭(ପିପିଏସ): କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟକାରୀ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଜନସାଧାରଣ, ବିଶେଷକରି କୃଷକମାନଙ୍କୁ ସଚେତନ କରିବା ଏବଂ ଅଧିକରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାଗୁଡ଼ିକର ସୁଫଳ ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରତି ସୋମବାର ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ସ୍ୱତନ୍ତ୍ର ସହାୟତା କେନ୍ଦ୍ର (ହେଲ୍ପ ଡେସ୍କ) ସ୍ଥାପନ କରାଯିବ। ଏ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍. ଆୟର ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଜିଲ୍ଲାରେ କୃଷି ଓ ଆନୁଷଙ୍ଗିକ ବିଭାଗ ଅଧୀନରେ କାର୍ଯ୍ୟକାରୀ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କ ଆବେଦନ ସଂଖ୍ୟା ଆଶାନୁରୂପ ନଥିବା ଲକ୍ଷ୍ୟ କରାଯାଇଥିଲା। ଫଳରେ, ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନାଗୁଡ଼ିକର ସଠିକ୍ ସୂଚନା ପହଞ୍ଚାଇ ସେମାନଙ୍କୁ ସରକାରୀ ସହାୟତାର ପରିସରଭୁକ୍ତ କରିବା ପାଇଁ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି।ଯୁଗ୍ମ ଅଭିଯୋଗ ଶୁଣାଣି ସ୍ଥଳରେ ସ୍ଥାପିତ ହେବାକୁ ଥିବା ଏହି ସହାୟତା କେନ୍ଦ୍ରରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଅଧିକାରୀମାନଙ୍କ ସହ ବ୍ୟାଙ୍କ ପ୍ରତିନିଧିମାନେ ଉପସ୍ଥିତ ରହିବେ। ସେମାନେ ଆଗ୍ରହୀ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାର ଯୋଗ୍ୟତା, ପଞ୍ଜୀକରଣ ଓ ଆବେଦନ ପ୍ରକ୍ରିୟା, ଆର୍ଥିକ ସହାୟତାର ବିବରଣୀ ଏବଂ ଯୋଜନାର ସୁବିଧା ସମ୍ପର୍କରେ ଆବଶ୍ୟକ ମାର୍ଗଦର୍ଶନ ଓ ପରାମର୍ଶ ପ୍ରଦାନ କରିବେ।

ଜିଲ୍ଲାପାଳ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଯୁଗ୍ମ ଅଭିଯୋଗ ଶୁଣାଣି ସ୍ଥଳରେ ସହାୟତା କେନ୍ଦ୍ର ସ୍ଥାପନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ସହ ଗ୍ରାମ ପଞ୍ଚାୟତ ସ୍ତରରେ ଏହି ବ୍ୟବସ୍ଥା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଅଧିକରୁ ଅଧିକ କୃଷକ ଓ ଅନ୍ୟାନ୍ୟ ଯୋଗ୍ୟ ହିତାଧିକାରୀ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ସରକାରୀ ଯୋଜନା ସମ୍ପର୍କରେ ସଠିକ୍ ସୂଚନା ହାସଲ କରିପାରିବେ।

ଏହି ଜନହିତକର ପଦକ୍ଷେପ ମାଧ୍ୟମରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟକାରୀ ବିଭିନ୍ନ ସରକାରୀ ଯୋଜନାର ପରିସର ବୃଦ୍ଧି ପାଇବା ସହ ତୃଣମୂଳ ସ୍ତରରେ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ସମ୍ଭବ ହେବ ବୋଲି ଆଶା କରାଯାଉଛି।କୃଷକ ଓ ଅନ୍ୟାନ୍ୟ ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ସୁଯୋଗର ସଦୁପଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।ଆସନ୍ତା ୨୦  ଜୁଲାଇରେ ମହାକାଳପଡ଼ା ବ୍ଲକ ଏବଂ ୨୭ ଜୁଲାଇରେ ଡେରାବିଶ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବା ନେଇ ସୂଚନା ରହିଛି।

One thought on “କୃଷି ଓ ଆନୁଷଙ୍ଗିକ ସରକାରୀ ଯୋଜନା ସମ୍ପର୍କରେ ଯୁଗ୍ମ ଅଭିଯୋଗ ଶୁଣାଣିରେ ସ୍ଥାପନ ହେବ ସହାୟତା କେନ୍ଦ୍ର

Leave a Reply

Your email address will not be published. Required fields are marked *