ଭଦ୍ରକ ବଡ଼ ମେଡିକାଲ ଓ ବାବା ଆଖଣ୍ଡଳମଣି ରାସ୍ତାରେ ଦୁର୍ଦ୍ଦଶା ! ବର୍ଷା ନୁହେଁ, ଡ୍ରେନେଜ୍ ଅବ୍ୟବସ୍ଥାରେ ରାସ୍ତାରେ ଜମୁଛି ପାଣି, କୁଆଡ଼େ ଗଲା ବିକାଶର ପ୍ରତିଶ୍ରୁତି ?
ଭଦ୍ରକରେ ବିକାଶର ଡିଣ୍ଡିମ ପିଟୁଥିବା ନେତା ଓ ଜନପ୍ରତିନିଧିମାନେ ଟିକେ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ। ମଞ୍ଚ ଉପରେ ଭାଷଣ ଦେବାକୁ ସମସ୍ତଙ୍କ ପାଖରେ ସମୟ ଅଛି, ବିକାଶର ଶ୍ରେୟ ନେବାକୁ ମଧ୍ୟ ପ୍ରତିଯୋଗିତା ଚାଲିଛି। ହେଲେ ଭଦ୍ରକ ସହରର ଏହି ଦୁର୍ଦ୍ଦଶା କାହା ଆଖିରେ ପଡ଼ୁନାହିଁ? ଦେଖନ୍ତୁ ଏହି ଦୃଶ୍ୟକୁ। ଏହା କୌଣସି ଗାଁ ଗହଳିର ରାସ୍ତା ନୁହେଁ, ଏହା ହେଉଛି ଭଦ୍ରକ ସହରର ମୁଖ୍ୟ ରାସ୍ତା। ଯେଉଁ ରାସ୍ତା ଦେଇ ଲୋକେ ଭଦ୍ରକ ବଡ଼ ମେଡିକାଲକୁ ଯାତାୟାତ କରୁଛନ୍ତି। ରାସ୍ତା ଉପରେ ଜମି ରହିଛି ପାଣି। ହେଲେ ଏହା କୌଣସି ବର୍ଷା ପାଣି ନୁହେଁ କି ଲଘୁଚାପର ପ୍ରଭାବ ନୁହେଁ। ଡ୍ରେନେଜ୍ ବ୍ୟବସ୍ଥାର ଅବ୍ୟବସ୍ଥା ଯୋଗୁଁ ଦୀର୍ଘ ବର୍ଷ ଧରି ଏଠାରେ ଏଭଳି ସ୍ଥିତି ଲାଗି ରହିଥିବା ଅଭିଯୋଗ ହେଉଛି। ସେପଟେ ବାବା ଆଖଣ୍ଡଳମଣି ରାସ୍ତାର ଅବସ୍ଥା ମଧ୍ୟ କିଛି କମ୍ ନୁହେଁ। ଦୀର୍ଘ ବର୍ଷ ଧରି ରାସ୍ତାର ଶୋଚନୀୟ ଅବସ୍ଥା ଲୋକଙ୍କ ଯାତାୟାତକୁ ଯନ୍ତ୍ରଣାଦାୟକ କରିଦେଇଛି। ଦୁଇଟି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଏଭଳି ଅବସ୍ଥା ଯଦି ଭଦ୍ରକ ସହରରେ ଦେଖିବାକୁ ମିଳୁଛି, ତେବେ ସହରର ବିକାଶ କେଉଁଠି ହେଉଛି? ସବୁଠାରୁ ବଡ଼ କଥା ହେଉଛି, ଏହି ରାସ୍ତା ଦେଇ ରୋଗୀ, ବୟସ୍କ ବ୍ୟକ୍ତି ଓ ଦୈନନ୍ଦିନ ଯାତ୍ରୀ ଯାତାୟାତ କରୁଛନ୍ତି। ମେଡିକାଲକୁ ଯାଉଥିବା ଜଣେ ରୋଗୀଙ୍କୁ ଯଦି ରାସ୍ତାରେ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼େ, ତେବେ ଏହାଠାରୁ ବଡ଼ ଦୁର୍ଭାଗ୍ୟର କଥା ଆଉ କ’ଣ ହୋଇପାରେ?
ଏବେ ପ୍ରଶ୍ନ ଉଠୁଛି…
ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ କ’ଣ ଏହି ରାସ୍ତାର ଅବସ୍ଥା ଜାଣିନାହାନ୍ତି ?
ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଏତେ ବର୍ଷ କାହିଁକି ଲାଗୁଛି ?
ଭଦ୍ରକର ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ କେବେ ଏହି ସମସ୍ୟାକୁ ଗୁରୁତ୍ୱ ଦେବେ ?
ଲୋକଙ୍କ ଭୋଟ୍ ନେଇ ଜିତିବା ପରେ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବା କାହାର ଦାୟିତ୍ୱ ?
ସ୍ଥାନୀୟ ଲୋକଙ୍କ ଅଭିଯୋଗ, ବର୍ଷ ବର୍ଷ ଧରି ସମସ୍ୟା ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପାଇଁ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ମନେ ରଖିବାକୁ ହେବ, ଲୋକଙ୍କୁ କେବଳ ବିକାଶର ସ୍ୱପ୍ନ ଦେଖାଇଦେଲେ ବିକାଶ ହୁଏନାହିଁ। ବିକାଶର ପ୍ରକୃତ ଚିତ୍ର ରାସ୍ତାଘାଟ, ଡ୍ରେନେଜ୍ ଓ ସାଧାରଣ ଲୋକଙ୍କ ସୁବିଧାରୁ ଜଣାପଡ଼େ। ଭଦ୍ରକବାସୀଙ୍କ ପ୍ରଶ୍ନ ଏବେ ସିଧାସଳଖ ନେତାଙ୍କ ପ୍ରତିଶ୍ରୁତି କେବେ ବାସ୍ତବ ରୂପ ନେବ ? ଅଧିକାରୀମାନଙ୍କ ନିଦ କେବେ ଭାଙ୍ଗିବ ? ଆଉ କେତେ ବର୍ଷ ଏମିତି ହନ୍ତସନ୍ତ ହେବେ ସହରବାସୀ ? ଏବେ ଆଉ ପ୍ରତିଶ୍ରୁତି ନୁହେଁ, ଭଦ୍ରକବାସୀ ଚାହୁଁଛନ୍ତି କାର୍ଯ୍ୟ। ଫଟୋ ଉଠାଇବା ପାଇଁ ନୁହେଁ, ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାସ୍ତାକୁ ଓହ୍ଲାନ୍ତୁ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀ। ଭଦ୍ରକର ବିକାଶ କାଗଜପତ୍ରରେ ନୁହେଁ, ରାସ୍ତା ଉପରେ ଦେଖାଯିବା ଦରକାର। ନହେଲେ ଏହି ଦୁର୍ଦ୍ଦଶା ପାଇଁ ଦାୟୀ କିଏ, ତାହାର ଜବାବ ଜନସାଧାରଣ ନିଶ୍ଚୟ ମାଗିବେ !

