ବେଜିଂର ଦାବିକୁ ଭାରତର ଜବାବ “ଆମ ଅଧିକାର ଛାଡ଼ିବୁନି”
1 min read

ବେଜିଂର ଦାବିକୁ ଭାରତର ଜବାବ “ଆମ ଅଧିକାର ଛାଡ଼ିବୁନି”

ନୂଆଦିଲ୍ଲୀ,୨୫୲୭: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଚୀନର ସେହି ସବୁ ଅଭିଯୋଗକୁ ସ୍ପଷ୍ଟ ଭାବରେ ଖଣ୍ଡନ କରିଛି, ଯେଉଁଠି ଚୀନ୍ ସାର୍ବଭୌମତ୍ୱ ଉଲ୍ଲଂଘନ ଅଭିଯୋଗ କରିଛି। ଏହା ସହ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି, ବେଜିଂ ହିଁ ଭାରତୀୟ ଅଞ୍ଚଳକୁ ଅବୈଧ ଭାବରେ ଦଖଲ କରୁଛି। ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ହୋଇଥିବା ବୈଠକର ସରକାରୀ ବିବରଣୀ ପ୍ରକାଶ କରିବା ପରେ ଏହି ବିବୃତ୍ତି ଆସିଛି। ଜୟଶଙ୍କର କହିଛନ୍ତି, ତାଇୱାନ ଏବଂ ତିବ୍ଦତ ଉପରେ ଭାରତର ସ୍ଥିତି ସମାନ ରହିଛି ଏବଂ ନୂଆଦିଲ୍ଲୀ ଚୀନର ସାର୍ବଭୌମତ୍ବକୁ ସମ୍ମାନ କରିଥାଏ।

ନୂଆଦିଲ୍ଲୀରେ ସାପ୍ତାହିକ ଗଣମାଧ୍ୟମ ବ୍ରିଫିଂ ସମୟରେ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ଭାରତ ସର୍ବଦା ଚୀନର ସାର୍ବଭୌମତ୍ୱକୁ ସମ୍ମାନ ଦେଇଆସିଛି, କିନ୍ତୁ ସୀମାରେ ବେଜିଂର କାର୍ଯ୍ୟ ବିଷୟରେ ସମାନ କୁହାଯାଇପାରିବ ନାହିଁ। ‘ଯେତେବେଳେ ସାର୍ବଭୌମତ୍ୱ ପ୍ରସଙ୍ଗ ଆସେ, ସେତେବେଳେ ପ୍ରକୃତରେ ଭାରତ ହିଁ ସେଗୁଡ଼ିକୁ ଉଠାଇ ଆସୁଛି। ଭାରତ କୌଣସି ପ୍ରକାରେ ଚୀନର ସାର୍ବଭୌମତ୍ୱ ଉଲ୍ଲଂଘନ କରେ ନାହିଁ ଏବଂ ଏହି ପ୍ରସଙ୍ଗରେ ଏହାର ସ୍ଥିତି ସର୍ବଦା ସ୍ଥିର ରହିଛି।’

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ଚୀନ୍ ୧୯୬୩ ମସିହାରୁ ଜମ୍ମୁ-କାଶ୍ମୀର ଏବଂ ଲଦାଖର କିଛି ଅଂଶକୁ ଅବୈଧ ଭାବରେ ଦଖଲ କରିଆସୁଛି। ନୂଆଦିଲ୍ଲୀ ଏହି ଅଞ୍ଚଳଗୁଡ଼ିକରେ ବେଜିଂର କାର୍ଯ୍ୟକଳାପର ଲଗାତାର ପ୍ରତିବାଦ କରିଆସୁଛି।’ ଏବେ ଜମ୍ମୁ-କଶ୍ମୀର ବହୁ ସ୍ଥାନରେ ଚୀନ୍‌ର ପ୍ରୋଜେକ୍ଟ ବି ଚାଲିଛି। ଗୁରୁବାର ମନିଲାରେ ଆସିଆନ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ବେଳେ ଜୟଶଙ୍କର ଓ ୱାଙ୍ଗ ୟିଙ୍କ ମଧ୍ୟରେ ଆଲୋଚନା ହୋଇଛି। ଚୀନ୍ ବିଶେଷଜ୍ଞ ଲେଫ୍ଟନାଣ୍ଟ କର୍ନଲ ରିଟାୟଡ ଜେଏସ୍ ସୋଡି କହିଛନ୍ତି, ଚୀନ୍ ୨୦୩୫ ପର୍ଯ୍ୟନ୍ତ ପାକିସ୍ତାନ ସହ ଭାରତ ବିରୋଧରେ ଯୁଦ୍ଧ ଲଢିବାକୁ ଯୋଜନା କରୁଛି। ପ୍ରଥମେ ତାଇଓ୍ବାନ ସହ ଯୁଦ୍ଧ କରିବ ତା ପରେ ଭାରତ ସହ ଯୁଦ୍ଧ ଲଢିବ। ଏଭଳି ସ୍ଥିତିରେ ଆମକୁ ସତର୍କ ରହିବାକୁ ହେବ। ଅନ୍ୟପକ୍ଷେ ଭାରତ ସେପ୍ଟେମ୍ବରରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜିତ କରିବାକୁ ଯାଉଛି। ଏଥିରେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ସାମିଲ ହେବାର ଆଶା ରହିଛି।

One thought on “ବେଜିଂର ଦାବିକୁ ଭାରତର ଜବାବ “ଆମ ଅଧିକାର ଛାଡ଼ିବୁନି”

Leave a Reply

Your email address will not be published. Required fields are marked *