1 min read

‘ନମୋ ଘାଟ’ ରେ ବାୟୁସେନାର ଶକ୍ତି ପ୍ରଦର୍ଶନ

ବାରାଣସୀ :ଉତ୍ତରପ୍ରଦେଶର ବାରାଣସୀରେ ଆୟୋଜିତ ହୋଇଛି ଭାରତୀୟ ବାୟୁସେନାର ୯୪ତମ ପ୍ରତିଷ୍ଠା ଦିବସ। ଚଳିତ ବର୍ଷ ଏହି ଅବସରରେ ଭବ୍ୟ ଏୟାର ଶୋ ‘ୱିଙ୍ଗ୍ସ ଓଭର ଗଙ୍ଗା’ରେ ଭାରତୀୟ ବାୟୁସେନା ଦେଖାଇଛି ନିଜର ପରାକ୍ରମ। ଏହି ଆକାଶୀୟ ପ୍ରଦର୍ଶନରେ ରାଫେଲ୍, ସୁଖୋଇ, ମିରାଜ୍-୨୦୦୦, ମିଗ୍-୨୯ ଓ ଜାଗୁଆର୍ ଭଳି ଶକ୍ତିଶାଳୀ ଯୁଦ୍ଧ ବିମାନ ସହ ଆପାଚେ ଏବଂ ଚିନୁକ୍ ହେଲିକପ୍ଟର ନିଜର ନିଜର ଦମ୍ ଦେଖାଇଛନ୍ତି। ଅକ୍ଟୋବର ୨୨ରୁ ଆରମ୍ଭ ହୋଇଥିବା ଏହି ଆୟୋଜନରେ ମୋଟ ୧୦୦ଟି ବିମାନ ସାମିଲ ହୋଇଛି। ଏଥିରେ ୫୨ଟି ଯୁଦ୍ଧ ବିମାନ, ୧୫ଟି ପରିବହନ ବିମାନ, ୩୨ଟି ହେଲିକପ୍ଟର ଏବଂ ଗୋଟିଏ ଐତିହ୍ୟ ବିମାନ ରହିଛି। କାଶୀର ଆକାଶରେ ଏତେ ବଡ଼ ଧରଣର ଏୟାର ଶୋ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ଏହି ଏୟାର ଶୋ ଦେଖିବାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିଲା।ଏହି ଏୟାର ଶୋରେ ଚେନ୍ନାଇ ଓ ଗ୍ୱାଲିୟର ସମେତ ଦେଶର ୧୨ଟି ଏୟାରବେସ୍ରୁ ବିମାନ ଉଡ଼ାଣ ଭରିଥିଲା। ଯୁଦ୍ଧ ବିମାନଠାରୁ ଆରମ୍ଭ କରି ପରିବହନ ବିମାନ ଓ ହେଲିକପ୍ଟର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଆକାଶୀୟ ଯାନ ନିଜର କ୍ଷମତା ପ୍ରଦର୍ଶନ କରିଥିଲେ। ରାଫେଲ୍, ମିରାଜ୍-୨୦୦୦, ସୁଖୋଇ, ମିଗ୍-୨୯ ଓ ଜାଗୁଆର୍ ଭଳି ଯୁଦ୍ଧ ବିମାନ ଆକାଶରେ ରୋମାଞ୍ଚକର କଳାକୌଶଳ ଦେଖାଇଥିଲେ। ଏହା ସହିତ ଆପାଚେ ଓ ଚିନୁକ୍ ହେଲିକପ୍ଟର ଏବଂ ସି-୨୯୫, ସି-୧୭ ଓ ସି-୧୩୦ ପରିବହନ ବିମାନ ମଧ୍ୟ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *