ୱାଶିଂଟନ/ତେହେରାନ, ୯୲୭(ବ୍ୟୁରୋ): ଆମେରିକା ଓ ଇରାନ ମଧ୍ୟରେ ସାମରିକ ସଂଘର୍ଷ ଆହୁରି ତୀବ୍ର ରୂପ ନେଇଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ଆମେରିକା ଇରାନର ପ୍ରାୟ ୯୦ଟି ସ୍ଥାନକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବା ଦାବି କରିଛି। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇ “ଜୋରଦାର ଜବାବ” ଦିଆଯିବ ବୋଲି କହିଥିଲେ।
ଆମେରିକୀୟ ଆକ୍ରମଣ ପରେ ଖାଡ଼ି ଅଞ୍ଚଳର ଅନେକ ଦେଶରେ ସୁରକ୍ଷା ଚିନ୍ତା ବଢ଼ିଯାଇଛି। ବାହାରିନର ରାଜଧାନୀ ମାନାମାରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିବା ବେଳେ କୁଏତ ପକ୍ଷରୁ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଅଟକାଯାଇଥିବା ସୂଚନା ମିଳିଛି। ସେହିପରି କାତାର ସରକାର ସୁରକ୍ଷା ସତର୍କତା ଜାରି କରିଛନ୍ତି।
ଇରାନର ପ୍ରମୁଖ ଆଲୋଚକ ମହମ୍ମଦ ବାଘେର ଘାଲିବାଫ କହିଛନ୍ତି ଯେ, ଆମେରିକା ଏପର୍ଯ୍ୟନ୍ତ ବୁଝିପାରିନାହିଁ ଯେ ଧମକ ଓ ପ୍ରତିଶ୍ରୁତି ଭଙ୍ଗର ପରିଣାମ ଭୋଗିବାକୁ ପଡ଼େ। ତାଙ୍କ ମତରେ, ଏପରି ପଦକ୍ଷେପର ଉଚିତ ଜବାବ ଦିଆଯିବ।
ଏପଟେ ଇରାନୀ ଗଣମାଧ୍ୟମର ଖବର ଅନୁସାରେ, ଦେଶର ଦକ୍ଷିଣ ଉପକୂଳ ଅଞ୍ଚଳରେ ଏକାଧିକ ବିସ୍ଫୋରଣ ଘଟିଛି। ପାରସିକ ଉପସାଗରରେ ଇରାନ ନିୟନ୍ତ୍ରଣରେ ଥିବା କିଛି ଦ୍ୱୀପ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଦାବି କରାଯାଇଛି।
ମଙ୍ଗଳବାର ଆମେରିକା କରିଥିବା ପ୍ରଥମ ପର୍ଯ୍ୟାୟ ଆକ୍ରମଣ ସମ୍ପର୍କରେ ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ କହିଥିଲା ଯେ, ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ତିନୋଟି ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଏହି ଅଭିଯାନ ଚଳାଯାଇଥିଲା।
ଅନ୍ୟପଟେ ଇରାନ ଦାବି କରିଛି ଯେ, ବୁଧବାର ଭୋର ସମୟରେ ବାହାରିନ ଓ କୁଏତରେ ଥିବା ଆମେରିକୀୟ ସାମରିକ ଘାଟିକୁ ଲକ୍ଷ୍ୟ କରି ପ୍ରତିଆକ୍ରମଣ କରାଯାଇଛି। ଏହି ଘଟଣା ପରେ ସମଗ୍ର ମଧ୍ୟପ୍ରାଚ୍ୟରେ ସୁରକ୍ଷା ସ୍ଥିତିକୁ ନେଇ ଆନ୍ତର୍ଜାତୀୟ ସମୁଦାୟର ଚିନ୍ତା ବଢ଼ିଛି।













Leave a Reply