୨୦୪୭ ସୁଦ୍ଧା ୧୦୦ ଗିଗାୱାଟ ପରମାଣୁ ଶକ୍ତି ଉତ୍ପାଦନ କ୍ଷମତା ସୃଷ୍ଟି କରିବା ଭାରତର ଲକ୍ଷ୍ୟ….
ମେଲବୋର୍ଣ୍ଣ, ୯୲୭(ଉଦୟ): ତିନି ଦେଶ ଗସ୍ତର ଅଂଶ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ପହଞ୍ଚି ସେଠାରେ ଆୟୋଜିତ ଭାରତ–ଅଷ୍ଟ୍ରେଲିଆ ସିଇଓ ଫୋରମରେ ଯୋଗ ଦେଇ ଉଭୟ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ ଅର୍ଥନୀତି ବିଶ୍ୱ ନିବେଶକଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରୁଛି।
ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଗ୍ରୀନ୍ ହାଇଡ୍ରୋଜେନ, ସୌର ପ୍ୟାନେଲ, ପବନ ଶକ୍ତି ଉପକରଣ ଏବଂ ଜଳବିଦ୍ୟୁତ ଭଳି କ୍ଷେତ୍ରରେ ଉତ୍ପାଦନ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ନବୀକରଣଯୋଗ୍ୟ ଶକ୍ତି କ୍ଷମତା ଏବଂ ୨୦୭୦ ସୁଦ୍ଧା ନେଟ୍-ଜିରୋ ନିର୍ଗମନ ଲକ୍ଷ୍ୟ ହାସଲ ପାଇଁ ଭାରତ କାର୍ଯ୍ୟ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ।

ସେହିପରି ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ ପରମାଣୁ ଶକ୍ତି ଉତ୍ପାଦନ କ୍ଷମତା ସୃଷ୍ଟି କରିବା ଭାରତର ଲକ୍ଷ୍ୟ ବୋଲି ମୋଦୀ କହିଥିଲେ। ଏହି କ୍ଷେତ୍ରରେ ଅଷ୍ଟ୍ରେଲିଆର ୟୁରାନିୟମ ସମ୍ପଦ ଏବଂ ପ୍ରଯୁକ୍ତିଗତ ଦକ୍ଷତା ଭାରତ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ସେ ମତ ଦେଇଥିଲେ।
ଭାରତର ବନ୍ଦର, ବିମାନବନ୍ଦର, ରେଳ, ସଡ଼କ ଓ ସହରାଞ୍ଚଳ ଭିତ୍ତିଭୂମି ବିକାଶରେ ଦୀର୍ଘମିଆଦୀ ନିବେଶ କରିବାକୁ ସେ ଅଷ୍ଟ୍ରେଲିଆର ଉଦ୍ୟୋଗପତିମାନଙ୍କୁ ଆହ୍ୱାନ ଜଣାଇଥିଲେ। ଭାରତର ବଜାର କ୍ଷମତା ଏବଂ ଅଷ୍ଟ୍ରେଲିଆର ପ୍ରଯୁକ୍ତିଗତ ଅଭିଜ୍ଞତା ମିଶି ଉଭୟ ଦେଶ ପାଇଁ ପାରସ୍ପରିକ ଲାଭଦାୟକ ସହଭାଗିତା ଗଢ଼ିପାରିବ ବୋଲି ସେ କହିଥିଲେ।
ଏହି ଅବସରରେ ଅଷ୍ଟ୍ରେଲିଆର ସର୍ବବୃହତ ପେନ୍ସନ୍ ଫଣ୍ଡ ‘ଅଷ୍ଟ୍ରେଲିଆନ୍ ସୁପର’ ଭାରତରେ ୫୦୦ ନିୟୁତ ଆମେରିକୀୟ ଡଲାର ନିବେଶ କରିବାକୁ ଘୋଷଣା କରିଛି। ଏହାକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘X’ରେ ଲେଖିଛନ୍ତି ଯେ, ଏହି ନିବେଶ ଭାରତର ଆର୍ଥିକ ସଂସ୍କାର ଓ ବିକାଶ ପ୍ରତି ବିଶ୍ୱ ନିବେଶକଙ୍କ ବଢ଼ୁଥିବା ଆସ୍ଥାର ପ୍ରତୀକ।
ମୋଦୀ କହିଥିଲେ ଯେ, ପ୍ରଯୁକ୍ତି, ପୁଞ୍ଜି ଓ ପ୍ରାକୃତିକ ସମ୍ପଦ କ୍ଷେତ୍ରରେ ଅଷ୍ଟ୍ରେଲିଆର ଦକ୍ଷତା ଭାରତର ବିକାଶକୁ ନୂଆ ଗତି ଦେଇପାରିବ। ସ୍ୱଚ୍ଛ ଶକ୍ତି, ରେୟାର ଆର୍ଥ ମିନେରାଲ୍ସ, ଲିଥିୟମ, ବ୍ୟାଟେରୀ ଉତ୍ପାଦନ, ବୈଦ୍ୟୁତିକ ଯାନ, କୃତ୍ରିମ ବୁଦ୍ଧିମତ୍ତା (AI), ପ୍ରତିରକ୍ଷା, ଖଣି, ଫିନ୍ଟେକ୍, ଖାଦ୍ୟ ପ୍ରକ୍ରିୟାକରଣ ଓ ଡିଜିଟାଲ୍ ଅର୍ଥନୀତିକୁ ଉଭୟ ଦେଶର ସହଯୋଗର ପ୍ରମୁଖ କ୍ଷେତ୍ର ଭାବେ ସେ ଚିହ୍ନଟ କରିଥିଲେ।
୨୦୦ରୁ ଅଧିକ ଅଷ୍ଟ୍ରେଲୀୟ ଶିଳ୍ପପତିଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗଣତାନ୍ତ୍ରିକ ମୂଲ୍ୟବୋଧ, ଭାରତ–ପ୍ରଶାନ୍ତ ଅଞ୍ଚଳ ପ୍ରତି ସମାନ ଦୃଷ୍ଟିଭଙ୍ଗୀ ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ଆର୍ଥିକ ସହଯୋଗକୁ ଅଧିକ ସୁଦୃଢ଼ କରିବ। ସେ ୨୦୨୨ରେ ସ୍ୱାକ୍ଷରିତ ବାଣିଜ୍ୟ ଚୁକ୍ତିର ଉଲ୍ଲେଖ କରି ସମ୍ପୂର୍ଣ୍ଣ ଆର୍ଥିକ ସହଯୋଗ ଚୁକ୍ତି (CECA)କୁ ଶୀଘ୍ର ଚୂଡ଼ାନ୍ତ କରିବାକୁ ଆହ୍ୱାନ ଜଣାଇଥିଲେ।
ବିଶ୍ୱରେ ବଢ଼ୁଥିବା ଅନିଶ୍ଚିତତା, ଯୋଗାଣ ଶୃଙ୍ଖଳର ବାଧା ଏବଂ ଶକ୍ତି ସଙ୍କଟ ଭଳି ପରିସ୍ଥିତିରେ ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱସ୍ତ ଅଂଶୀଦାର ଭାବେ ଏକାଠି କାମ କରିବା ସମୟର ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ ମତ ପ୍ରକାଶ କରିଥିଲେ।













Leave a Reply