ପୁରୀ, ୧୦୲୭(ରୁଦ୍ର): ରଥଯାତ୍ରାକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ସୋମବାର ଭୋର ସମୟରେ ଶ୍ରୀମନ୍ଦିରର ନୀଳଚକ୍ର ନିକଟରେ ଏକ ଡ୍ରୋନ୍ ଉଡୁଥିବା ଦେଖାଯିବା ପରେ ସୁରକ୍ଷା ଏଜେନ୍ସିମାନେ ତୁରନ୍ତ ସକ୍ରିୟ ହୋଇଥିଲେ।

ସୂଚନା ପାଇବା ପରେ ପୁଲିସ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାଟିମଣ୍ଡପ ସାହି ଅଞ୍ଚଳରୁ ଡ୍ରୋନ୍ ଉଡ଼ାଉଥିବା ଜଣେ ଯୁବକଙ୍କୁ ଅଟକ ରଖିଛି। ତାଙ୍କଠାରୁ ବ୍ୟବହୃତ ଡ୍ରୋନ୍କୁ ମଧ୍ୟ ଜବତ କରାଯାଇଛି। ପଚରାଉଚରା ପାଇଁ ତାଙ୍କୁ ସିଂହଦ୍ୱାର ଥାନାକୁ ନିଆଯାଇଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଅଟକ ଯୁବକଙ୍କ ନାମ ଜୟକୃଷ୍ଣ ମଣ୍ଡଳ ଏବଂ ସେ ପଶ୍ଚିମବଙ୍ଗର କୋଲକାତାର ବାସିନ୍ଦା। ସେ କେଉଁ ଉଦ୍ଦେଶ୍ୟରେ ମନ୍ଦିର ପରିସର ଉପରେ ଡ୍ରୋନ୍ ଉଡ଼ାଉଥିଲେ, ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
ଘଟଣା ପରେ ସେବାୟତ ଓ ଭକ୍ତମାନଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ବାରମ୍ବାର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଣ ଘଟୁଥିବା ସତ୍ତ୍ୱେ ଆଣ୍ଟି-ଡ୍ରୋନ୍ ବ୍ୟବସ୍ଥାକୁ କାହିଁକି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରାଯାଉନାହିଁ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।
ରଥଯାତ୍ରା ସମୟରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାରେ ସାମାନ୍ୟ ଅବହେଳା ମଧ୍ୟ ବଡ଼ ବିପଦର କାରଣ ହୋଇପାରେ ବୋଲି ସେବାୟତ ଓ ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ ରଥଯାତ୍ରା ପୂର୍ବରୁ ମନ୍ଦିର ପରିସରର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବାକୁ ଦାବି ଜୋର ଧରିଛି।















Leave a Reply