ଆଜିଠୁ ଐତିହାସିକ କଟକ ବାଲିଯାତ୍ରା, ଉଦଘାଟନ କରିବେ ରାଷ୍ଟ୍ରପତି
ବାଲିଯାତ୍ରାକୁ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ
୧୨୦୦ ସିସିଟିଭି, ୧୦୦ AI କ୍ୟାମେରାରେ ନଜର
କଟକ: ଆଜି ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବ କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ମେଳାର ଉଦ୍ଘାଟନ କରିବେ। ଏଥିପାଇଁ କଟକ ସହର ଉତ୍ସବମୁଖର ହୋଇପଡିଛି। ମହାନଦୀ କୂଳରେ ଥିବା ବାଲିଯାତ୍ରା ପଡ଼ିଆକୁ ସଜାଇବା ସହ ଚାଲିଛି ଶେଷ ପର୍ଯ୍ୟାୟ ପ୍ରସ୍ତୁତି। ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ଏହି ମେଳା ଚାଲିବ। ମହାନଦୀ କୂଳରେ ଥିବା ଉପର ଓ ତଳ ପଡ଼ିଆର ପ୍ରାୟ ୬୦ ଏକର ଜାଗାରେ ମେଳା ଆୟୋଜନ କରାଯାଉଛି। ଏଥର ୧୮୦୦ରୁ ଅଧିକ ଷ୍ଟଲ୍ ଖୋଲିବାକୁ ଯୋଜନା ରହିଛି। ଏହି ଷ୍ଟଲ୍ଗୁଡ଼ିକରେ ହସ୍ତଶିଳ୍ପ, ହସ୍ତତନ୍ତ, ଘରକରଣା ସାମଗ୍ରୀ, ବିଭିନ୍ନ ପାରମ୍ପରିକ ଓଡ଼ିଆ ଖାଦ୍ୟ ଓ ମନୋରଞ୍ଜନର ସାମଗ୍ରୀ ମିଳିବ।
ଚଳିତ ବର୍ଷ ବାଲିଯାତ୍ରା ଉଦ୍ଘାଟନ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାନଦୀରେ ଡଙ୍ଗାରେ ଯାତ୍ରା କରି ବାଲିଯାତ୍ରା ପଡ଼ିଆରେ ପହଞ୍ଚିବେ। ଏଥିପାଇଁ କଟକର ସିଲଭର ସିଟି ବୋଟ୍ କ୍ଲବ୍ରୁ ଏକ ସ୍ୱତନ୍ତ୍ର ଡଙ୍ଗାର ବ୍ୟବସ୍ଥା କରାଯାଇଛି। ‘କଳିଙ୍ଗ ତରଙ୍ଗିଣୀ’ ନାମକ ଏହି ଡଙ୍ଗାରେ ରାଷ୍ଟ୍ରପତି ଯାତ୍ରା କରିବେ। ତାଙ୍କ ଡଙ୍ଗାକୁ ସୁରକ୍ଷା ଦେବା ପାଇଁ ଆଉ ସାତଟି ସୁରକ୍ଷା ଡଙ୍ଗା ନିୟୋଜିତ ହେବ। ଏହି ସୁରକ୍ଷା ବ୍ୟବସ୍ଥାରେ ଭାରତୀୟ ନୌସେନା, ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ର କର୍ମଚାରୀ ରହିବେ। କାର୍ଯ୍ୟସୂଚୀ ଅନୁସାରେ, ରାଷ୍ଟ୍ରପତି ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା ପରେ କଟକ ଯିବେ। ସେ ଅପରାହ୍ନ ୫ଟାରୁ ରାତି ୮ଟା ୧୫ ପର୍ଯ୍ୟନ୍ତ କଟକରେ ରହିବେ। ପ୍ରଥମେ ସେ ‘କଟକ ଇନ୍ କଟକ’ ପ୍ରଦର୍ଶନୀର ଉଦ୍ଘାଟନ କରିବେ। ଏହି ପ୍ରଦର୍ଶନୀରେ କଟକ ସହରର ଇତିହାସ, ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ବିଭିନ୍ନ ତଥ୍ୟ ଓ ସାମଗ୍ରୀ ପ୍ରଦର୍ଶିତ ହେବ। ଏହାପରେ ମୁଖ୍ୟ ମଞ୍ଚରୁ ବାଲିଯାତ୍ରାର ଆନୁଷ୍ଠାନିକ ଉଦ୍ଘାଟନ କରିବେ ରାଷ୍ଟ୍ରପତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରି ବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗଦେବେ।
