୬ ବର୍ଷ ପରେ ହାତ ମିଳାଇଲେ ବିଜେପି – ଅକାଳୀ ଦଳ
1 min read

୬ ବର୍ଷ ପରେ ହାତ ମିଳାଇଲେ ବିଜେପି – ଅକାଳୀ ଦଳ

ଚଣ୍ଡୀଗଡ :  ପଞ୍ଜାବ ନିର୍ବାଚନ ପୂର୍ବରୁ ବଦଳିଗଲା ରାଜନୈତିକ ଚିତ୍ର।  ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ପୁଣି ହାତ ମିଳାଇଲେ ବିଜେପି ଓ ଶିରୋମଣି ଅକାଳୀ ଦଳ। ଗୁରୁ ନାନକ ଦେବଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରୁ ହେଲା ଏହି ବଡ଼ ଘୋଷଣା। ବିଜେପି ଅଧ୍ୟକ୍ଷ ନିତିନ ନବୀନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପସ୍ଥିତିରେ ମେଣ୍ଟ ଉପରେ ମୋହର ଲାଗିଛି।

ମେଣ୍ଟ ଘୋଷଣା କରି ଅମିତ ଶାହ କହିଛନ୍ତି, ସୁଖବୀର ସିଂହ ବାଦଲଙ୍କୁ NDAରେ ସ୍ୱାଗତ। ଏହି ମେଣ୍ଟ ହିନ୍ଦୁ-ଶିଖ ଏକତାର ପ୍ରତୀକ। ଆଗାମୀ ନିର୍ବାଚନରେ ଉଭୟ ଦଳ ମିଶି ପଞ୍ଜାବରେ ଲଢ଼ିବେ। ୩୧ ଡିସେମ୍ବର ୨୦୨୯ ସୁଦ୍ଧା ପଞ୍ଜାବକୁ ନିଶାମୁକ୍ତ କରିବା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ କୃଷକଙ୍କ ହିତରେ ମଧ୍ୟ ଅନେକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ବିଜେପି ଅଧ୍ୟକ୍ଷ ନିତିନ ନବୀନ ଏହାକୁ ପଞ୍ଜାବ ଓ ଦେଶର ସ୍ୱାର୍ଥରେ ଏକ ବଡ଼ ନିଷ୍ପତ୍ତି ବୋଲି କହିଛନ୍ତି। ମହାରାଜା ରଣଜିତ ସିଂହଙ୍କ ସୁଶାସନର ଆଦର୍ଶକୁ ଆଗକୁ ବଢ଼ାଇବା ସହ ପଞ୍ଜାବରେ ବିକାଶମୁଖୀ ସରକାର ଗଠନ କରିବା ମେଣ୍ଟର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ଏହି ମେଣ୍ଟର ସବୁଠାରୁ ବଡ଼ ରାଜନୈତିକ ସଙ୍କେତ ଦେଇଛନ୍ତି ଅମିତ ଶାହ। ତାଙ୍କ କହିବା ଅନୁସାରେ, ପଞ୍ଜାବରେ ଅକାଳୀ ଦଳ ବଡ଼ ଭାଇର ଭୂମିକାରେ ରହିବ। ଉଭୟ ଦଳ ମିଶି ୧୧୭ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବେ। ବଡ଼ ଭାଇ ହିଁ ମୁଖ୍ୟମନ୍ତ୍ରୀ ପଦ ପାଇବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ କହିଛନ୍ତି, ପଞ୍ଜାବ ଏବେ ନିଶା ମାଫିଆ, ଦୁର୍ନୀତି ଓ ବିଭିନ୍ନ ମାଫିଆଙ୍କ କବଳରେ ରହିଛି। ରାଜ୍ୟର ଯୁବକ, କୃଷକ ଓ ଶ୍ରମିକଙ୍କୁ ବଞ୍ଚାଇବା ଆବଶ୍ୟକ। ପଞ୍ଜାବର ବିକାଶ ପାଇଁ ସେ ନିଜର ସମସ୍ତ ଶକ୍ତି ଲଗାଇବେ ବୋଲି କହିଛନ୍ତି। ମେଣ୍ଟ ଘୋଷଣା ହୋଇଥିଲେ ମଧ୍ୟ ଆସନ ବଣ୍ଟନକୁ ନେଇ ମତଭେଦ ଥିବା ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ବିଜେପି ପ୍ରାୟ ୫୫ଟି ଆସନରେ ଲଢ଼ିବାକୁ ଚାହୁଁଥିବାବେଳେ ଅକାଳୀ ଦଳ ପ୍ରାୟ ୪୫ଟି ଆସନ ଦେବାକୁ ପ୍ରସ୍ତୁତ ଥିବା ଖବର ଆସିଛି।୧୯୯୬ରେ ଅଟଳ ବିହାରୀ ବାଜପେୟୀ ଓ ପ୍ରକାଶ ସିଂହ ବାଦଲଙ୍କ ସମୟରେ ଏହି ମେଣ୍ଟର ମୂଳଦୁଆ ପଡ଼ିଥିଲା। ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଦୁଇ ଦଳ ଏକାଠି ଥିଲେ। ସେତେବେଳେ ୧୧୭ଟି ଆସନ ମଧ୍ୟରୁ ଅକାଳୀ ଦଳ ୯୪ଟି ଓ ବିଜେପି ୨୩ଟି ଆସନରେ ଲଢ଼ୁଥିଲା। ୧୯୯୭, ୨୦୦୭ ଓ ୨୦୧୨ରେ ମିଶି ସରକାର ମଧ୍ୟ ଗଢ଼ିଥିଲେ।

Leave a Reply

Your email address will not be published. Required fields are marked *