1 min read

ଭଦ୍ରକରେ ମହତାବଙ୍କ ୧୨୭ତମ ଜୟନ୍ତୀ ସମାରୋହ ପାଳିତ

ଭଦ୍ରକ (ପ୍ରଜାତନ୍ତ୍ର ରିପୋର୍ଟ): ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ ଥିଲେ ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା। ସେ ଥିଲେ ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ ଏବଂ ପ୍ରଥମ ମୁଖ୍ୟମନ୍ତ୍ରୀ। କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରି ସେ ଜାତୀୟ ରାଜନୀତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ହୀରାକୁଦ ନଦୀବନ୍ଧ ନିର୍ମାଣଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମ୍, ୧୬ ନମ୍ବର ଜାତୀୟ ରାଜପଥ ଏବଂ ନୂତନ ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠା ପର୍ଯ୍ୟନ୍ତ ନବ ଓଡ଼ିଶା ନିର୍ମାଣରେ ସେ ଥିଲେ ମୁଖ୍ୟ କର୍ଣ୍ଣଧାର। ଜଣେ ସାରସ୍ୱତ ସାଧକ ଭାବେ ଡକ୍ଟର ମହତାବ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଚିରସ୍ମରଣୀୟ ହୋଇ ରହିବେ ବୋଲି ଭଦ୍ରକଠାରେ ଆୟୋଜିତ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୭ତମ ଜୟନ୍ତୀ ସମାରୋହରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

ଓଡ଼ିଆ ଭାଷା ଓ ସାହିତ୍ୟ ବିଶେଷଜ୍ଞ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ‘ଘାସଫୁଲ’ର ସମ୍ପାଦିକା ଉର୍ମିଳା ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବ ଓଡ଼ିଶା ଗଠନରେ ଡକ୍ଟର ମହତାବଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ମହତାବଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ। ସଭାର ପ୍ରାରମ୍ଭରେ ଆଦର୍ଶ ଶିକ୍ଷୟିତ୍ରୀ ରଶ୍ମିତା ଦାଶଙ୍କ ପରିଚାଳନାରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।

ଦ୍ୱିତୀୟ ଅଧିବେଶନରେ ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତିଙ୍କ ସଂଯୋଜନାରେ ନାଟ୍ୟଶ୍ରୀ ନିର୍ମଳ ରାଉତ, ଅଧ୍ୟାପିକା ସଂଯୁକ୍ତା ଭାରତୀ, ଶିକ୍ଷାବିତ୍ ଅରୁଣ କୁମାର ମଲ୍ଲିକ, ଡାକ୍ତର କିରଣ ଚନ୍ଦ୍ର ଗୁଇଁ, ରତିକାନ୍ତ ବେହେରା ଏବଂ ରଶ୍ମିତା ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଅଂଶଗ୍ରହଣ କରିଥିବା ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀଙ୍କୁ ବକ୍ତୃତା ପ୍ରତିଯୋଗିତା ପାଇଁ ପୁରସ୍କୃତ କରାଯାଇଥିଲା। ଏଥିସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପ୍ରଦର୍ଶନ କରିଥିବା ୧୮ ଜଣ ପ୍ରତିଭା ଏବଂ ୧୧ଟି ସ୍ୱେଚ୍ଛାସେବୀ ସଂଗଠନକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ସମାରୋହରେ ଭୁବନେଶ୍ୱରସ୍ଥିତ ‘ବିଶ୍ୱମୁକ୍ତି ପ୍ରକାଶନ’ ଦ୍ୱାରା ପ୍ରକାଶିତ ତଥା ସହସ୍ର ପୁସ୍ତକର ସ୍ରଷ୍ଟା ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ରଚିତ ‘ଆଧୁନିକ ଓଡ଼ିଶାର ନିର୍ମାତା ଡକ୍ଟର ହରେକୃଷ୍ଣ ମହତାବ’ ପୁସ୍ତକ ଅତିଥିମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା। ବରିଷ୍ଠ ସାମ୍ବାଦିକ ତଥା ସମାଜ ସଂସ୍କାରକ ଅପୂର୍ବ ରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ ଅଧ୍ୟାପକ ତଥା କ୍ରୀଡ଼ା ପ୍ରଶିକ୍ଷକ ମନୋରଞ୍ଜନ ବାରିକ ସାମଗ୍ରିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମାଜସେବୀ ବସନ୍ତ କୁମାର ରାଉତ ସହଯୋଗ କରିଥିଲେ। ପଣ୍ଡିତ ସଞ୍ଜୟ ପାଢ଼ୀଶର୍ମା ଦୀପ ପ୍ରଜ୍ୱଳନ ସମୟରେ ବେଦ ପାଠ କରିଥିଲେ ଏବଂ କଣ୍ଠଶିଳ୍ପୀ ରଶ୍ମିତା ଦାଶ ଓ ଅନନ୍ୟା ବିଶ୍ୱାଳ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। ଦିବସବ୍ୟାପୀ କାର୍ଯ୍ୟକ୍ରମର ପ୍ରାତଃକାଳରେ ଡକ୍ଟର ମହତାବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଫଳ ବଣ୍ଟନ କରାଯାଇଥିଲା। ଶେଷରେ ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *