1 min read

୯ ବର୍ଷରେ ଭୁଶୁଡ଼ିବାକୁ ବସିଲା କୋଟି କୋଟି ଟଙ୍କାର ସେତୁ!

ଧର୍ମଗଡ଼(ପିପିଏସ୍): ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ନିର୍ମାଣ ହେଉଛି ବଡ଼ ବଡ଼ ସେତୁ। ହେଲେ ନିର୍ମାଣର ମାତ୍ର ୯ ବର୍ଷ ମଧ୍ୟରେ ଯଦି ସେତୁ ଭଗ୍ନାବସ୍ଥାକୁ ଚାଲିଆସେ, ତେବେ ନିର୍ମାଣ କାର୍ଯ୍ୟର ମାନକୁ ନେଇ ଉଠିବା ସ୍ୱାଭାବିକ ପ୍ରଶ୍ନ। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସିନାପଲି ଗାଁ ନିକଟସ୍ଥ ଉଦନ୍ତି ନଦୀ ଉପରେ ନିର୍ମିତ ସେତୁରେ। ନିର୍ମାଣର ମାତ୍ର ୯ ବର୍ଷ ପରେ ସେତୁର ଅବସ୍ଥା ଏବେ ଶୋଚନୀୟ। ତେବେ ଏହାର ଦାୟୀ କିଏ? ନିର୍ମାଣରେ ତ୍ରୁଟି ନା ବିଭାଗୀୟ ଅବହେଳା? ଆସନ୍ତୁ ଦେଖିବା ଏହି ରିପୋର୍ଟ। ଏହା ହେଉଛି ଉଦନ୍ତି ନଦୀ ଉପରେ ନିର୍ମିତ ସେତୁ।ଉଦନ୍ତି ନଦୀ ସିନାପାଲି ଓ ଭାଟିପଡା ମଧ୍ୟରେ ନିର୍ମାଣ ହୋଇଛି । ଏହି ପୋଲ ଦେଇ ମହାଲିଙ୍ଗ, କଣ୍ଟାମାଲ, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ଲୋକେ ଯିବା ଆସିବା କରନ୍ତି । ଦିନେ ଏହି ସେତୁ ଅଞ୍ଚଳବାସୀଙ୍କ ପାଇଁ ଯାତାୟାତର ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା। ନଦୀ ପାର ହେବାର ଦୁର୍ଦ୍ଦଶାରୁ ମୁକ୍ତି ପାଇବା ଆଶାରେ ଲୋକେ ଏହି ସେତୁକୁ ସ୍ୱାଗତ କରିଥିଲେ।କିନ୍ତୁ ନିର୍ମାଣର ମାତ୍ର ୯ ବର୍ଷ ମଧ୍ୟରେ ସେତୁର ଅବସ୍ଥା ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ସେତୁର ବିଭିନ୍ନ ସ୍ଥାନରେ ଭାଙ୍ଗିବାର ଚିହ୍ନ ଓ ଦୁର୍ବଳତା ଦେଖାଦେଇଥିବା ଅଭିଯୋଗ ହେଉଛି। ଏହା ଫଳରେ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ମନରେ ସୃଷ୍ଟି ହୋଇଛି ଭୟ ଓ ଆଶଙ୍କା। ସରକାରୀ ଅର୍ଥରେ ନିର୍ମିତ ଏହି ସେତୁର ନିର୍ମାଣ କାର୍ଯ୍ୟ କେତେ ଗୁଣାତ୍ମକ ଥିଲା? କାର୍ଯ୍ୟ ଶେଷ ହେବା ପରେ ବିଭାଗୀୟ ଅଧିକାରୀ କେତେଥର ଏହାର ଯାଞ୍ଚ କରିଛନ୍ତି? ଠିକାଦାରଙ୍କ ଦାୟିତ୍ୱ ଓ ବିଭାଗୀୟ ତଦାରଖ କେତେଦୂର ଠିକ୍ ଥିଲା? ଏବେ ଏଭଳି ଅନେକ ପ୍ରଶ୍ନ ଉଠୁଛି। ସରକାରୀ ଅର୍ଥ ଜନସାଧାରଣଙ୍କ ଟିକସ ଟଙ୍କା। ତେଣୁ ଏହାର ବିନିଯୋଗରେ ସ୍ୱଚ୍ଛତା ଓ ନିର୍ମାଣ କାର୍ଯ୍ୟରେ ଗୁଣାତ୍ମକ ମାନ ରହିବା ଆବଶ୍ୟକ। ନଚେତ୍ ବିକାଶର ନାଁରେ ନିର୍ମିତ ସେତୁ ହିଁ ଦିନେ ଲୋକଙ୍କ ପାଇଁ ବିପଦର କାରଣ ପାଲଟିବ। ସେତୁର ତୁରନ୍ତ ବୈଷୟିକ ଯାଞ୍ଚ କରାଯାଉ। ନିର୍ମାଣରେ କୌଣସି ତ୍ରୁଟି ଥିଲେ ତାହାର ତଦନ୍ତ କରାଯାଇ ଦାୟୀ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେଉ। ଏଥିସହ ସେତୁର ମରାମତି କରି ଲୋକଙ୍କ ଯାତାୟାତକୁ ସୁରକ୍ଷିତ କରାଯାଉ। ଏ ନେଇ ଧର୍ମଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୋଭାଗ୍ୟ ମହାପାତ୍ରଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଆସନ୍ତା କାଲି ତଦନ୍ତ କରିଵି ବୋଲି ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *