କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି : ସବୁ ରାଜ୍ୟର ଲୋକସଭା ଆସନ ୫୦% ବଢ଼ିବ
ନୂଆଦିଲ୍ଲୀ : ଲୋକସଭା ଆସନ ସଂଖ୍ୟା ବଢ଼ାଇବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ମହିଳା ସଂରକ୍ଷଣ ଓ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ସହ ଜଡ଼ିତ ନୂଆ ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ଆସନ୍ତା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ଆସିପାରେ। ନୂଆ ପ୍ରସ୍ତାବ ଅନୁସାରେ, ଲୋକସଭା ଆସନ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି କରାଯିବ। ଏହାଦ୍ୱାରା ଲୋକସଭାର ମୋଟ ଆସନ ସଂଖ୍ୟା ୮୫୦କୁ ବଢ଼ିପାରେ। ସେହିପରି ରାଜ୍ୟଗୁଡ଼ିକର ଲୋକସଭା ଆସନ ଅନୁପାତ ନିର୍ଦ୍ଧାରଣ ପାଇଁ ୧୯୭୧ ଜନଗଣନାକୁ ଆଧାର କରିବାର ବ୍ୟବସ୍ଥାକୁ ଆଉ ୨୫ ବର୍ଷ ପର୍ଯ୍ୟନ୍ତ ବଢ଼ାଇବାକୁ ପ୍ରସ୍ତାବ ରହିଛି। ଜନସଂଖ୍ୟା ଆଧାରରେ ଆସନ ପୁନଃବଣ୍ଟନ ହେଲେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ କମିପାରେ ବୋଲି ଆଶଙ୍କା ରହିଛି। ଏହି କାରଣରୁ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଭଳି ରାଜ୍ୟ ଚିନ୍ତା ପ୍ରକାଶ କରିଆସୁଛନ୍ତି।ଏପଟେ ବିଲ୍କୁ ନେଇ ରାଜନୀତି ମଧ୍ୟ ତେଜିଛି। ବିରୋଧୀ ଦଳଗୁଡ଼ିକ ମିଳିତ ରଣନୀତି ପ୍ରସ୍ତୁତ କରିବାକୁ ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ବୈଠକ ଡାକିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହାକୁ ବିଜେପିର ବଡ଼ ଭୁଲ୍ ବୋଲି କହିଛନ୍ତି। ଅନ୍ୟପଟେ ସାଂସଦ କପିଲ ସିବଲ୍ ଅଭିଯୋଗ କରିଛନ୍ତି, ସୀମା ନିର୍ଦ୍ଧାରଣ ଓ ଦଳବଦଳ ଜରିଆରେ କ୍ଷମତା ମଜବୁତ କରିବାକୁ ବିଜେପି ଉଦ୍ୟମ କରୁଛି।

