ସମ୍ବିଧାନର ଭାବନା ସମାଜର ଶେଷ ବ୍ୟକ୍ତି ପାଖରେ ପହଞ୍ଚିବା ଆବଶ୍ୟକ : ପ୍ରଧାନମନ୍ତ୍ରୀ
1 min read

ସମ୍ବିଧାନର ଭାବନା ସମାଜର ଶେଷ ବ୍ୟକ୍ତି ପାଖରେ ପହଞ୍ଚିବା ଆବଶ୍ୟକ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସମ୍ବିଧାନ ଦିବସ ଅବସରରେ ଦେଶବାସୀଙ୍କୁ ବିଶେଷ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜର ଏକ ସ୍ୱତନ୍ତ୍ର ଲେଖାରେ ସେ ସମ୍ବିଧାନର ମହତ୍ତ୍ୱ, ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସଂସ୍କାର ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଏଥିସହ ଆପାତକାଳ, ସମ୍ବିଧାନ ସଂଶୋଧନ ଏବଂ ଧାରା ୩୫୬ର ଦୁରୁପଯୋଗ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ମୋଦି କହିଛନ୍ତି, ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ ସଭା ଭାରତୀୟ ସମ୍ବିଧାନକୁ ଗ୍ରହଣ କରିଥିଲା । ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ସମେତ ସମ୍ବିଧାନ ସଭାର ସମସ୍ତ ସଦସ୍ୟଙ୍କ ଅବଦାନକୁ ସେ ସ୍ମରଣ କରିଛନ୍ତି । ସମ୍ବିଧାନର ଭାବନା ସମାଜର ଶେଷ ବ୍ୟକ୍ତି ପାଖରେ ପହଞ୍ଚିବା ଆବଶ୍ୟକ ବୋଲି ସେ କହିଛନ୍ତି । ଆବାସ ଯୋଜନା, ଉଜ୍ଜ୍ୱଳା, ଆୟୁଷ୍ମାନ ଭାରତ, ମୁଦ୍ରା ଓ ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ଗରିବ, ମହିଳା ଓ ବଞ୍ଚିତ ବର୍ଗ ସଶକ୍ତ ହେଉଥିବା ଦାବି କରିଛନ୍ତି । ସେହିପରି ୧୦୧ତମ ସମ୍ବିଧାନ ସଂଶୋଧନ ଜରିଆରେ ଜିଏସ୍‌ଟି, ୧୦୨ତମ ସଂଶୋଧନରେ ଜାତୀୟ ପଛୁଆ ବର୍ଗ ଆୟୋଗକୁ ସାମ୍ବିଧାନିକ ମାନ୍ୟତା ଏବଂ ୧୦୩ତମ ସଂଶୋଧନରେ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣକୁ ନିଜ ସରକାରଙ୍କ ପ୍ରମୁଖ ପଦକ୍ଷେପ ବୋଲି ଦର୍ଶାଇଛନ୍ତି । ଅନ୍ୟପଟେ ୧୯୫୧ର ପ୍ରଥମ ସମ୍ବିଧାନ ସଂଶୋଧନ ଏବଂ ଆପାତକାଳ ସମୟରେ ହୋଇଥିବା ୪୨ତମ ସଂଶୋଧନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୋଦି । ଧାରା ୩୫୬ର ବାରମ୍ବାର ଦୁରୁପଯୋଗ କରି ନିର୍ବାଚିତ ରାଜ୍ୟ ସରକାରଙ୍କୁ ବରଖାସ୍ତ କରାଯାଇଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି । ଜମ୍ମୁ-କଶ୍ମୀରରେ ଧାରା ୩୭୦ ଓ ୩୫-ଏ ଯୋଗୁଁ ୭୦ ବର୍ଷରୁ ଅଧିକ ସମୟ ଧରି ସମ୍ବିଧାନର ସମ୍ପୂର୍ଣ୍ଣ ଲାଗୁ ହୋଇପାରିନଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି । ୨୦୧୯ରେ ଏହି ଅନ୍ୟାୟର ଅନ୍ତ ଘଟିଥିବା କହିଛନ୍ତି । ତେବେ ଲେଖାର ସବୁଠୁ ଚର୍ଚ୍ଚିତ ବୟାନରେ ମୋଦି କହିଛନ୍ତି, ଦେଶରେ ହଥିଆରୀ ନକ୍ସଲବାଦର ଅନ୍ତ ପରେ ଏବେ କେବଳ ‘ଦିମାଗୀ ନକ୍ସଲ’ ବାକି ଅଛନ୍ତି । ଏମାନେ ଦେଶର ବିକାଶ ଯାତ୍ରାକୁ ବାଧା ଦେବାକୁ ଉଦ୍ୟମ କରୁଛନ୍ତି । ଏଥିସହ ମହିଳା ସଂରକ୍ଷଣ ବିଲ୍ ଓ ଓବିସି ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । ଶେଷରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ‘ରାଷ୍ଟ୍ର ପ୍ରଥମ’ ଓ ‘କର୍ତ୍ତବ୍ୟ ଭାବନା’କୁ ମାର୍ଗଦର୍ଶକ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *