1 min read

ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଲେ ତାମିଲନାଡୁ ସରକାର

କର୍ନାଟକ : ଥିରୁପାରକୁନ୍ଦ୍ରମ ପାହାଡ଼ ଉପରେ ଥିବା ବିବାଦୀୟ ‘ଦୀପାଥୁନ’ଠାରେ ପାରମ୍ପରିକ ଦୀପ ଜଳାଇବାରେ ବିଫଳ ହୋଇଥିବାରୁ ତାମିଲନାଡ଼ୁ ସରକାର ବୁଧବାର ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଛନ୍ତି। ରାଜ୍ୟ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଦାବି ହେଉଥିବାବେଳେ ସରକାର ଏଥିପାଇଁ ଅରୁଲମିଗୁ ସୁବ୍ରମଣ୍ୟମସ୍ବାମୀ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ସୁପ୍ରମିକୋର୍ଟ ନିଜ ଆଡ଼ୁ ଅବମାନମା ମାମଲା ରୁଜୁ କରିବାକୁ ମନା କରିଦେଇଥିବାବେଳେ ଯଦି ଏନେଇ କୌଣସି ଆବେଦନ ଦାଖଲ ହୁଏ ତେବେ ତାହାର ଶୁଣାଣି କରିବେ ବୋଲି କହିଛନ୍ତି। ଜଷ୍ଟିସ୍‌ ଅରବିନ୍ଦ କୁମାର ଏବଂ ଜଷ୍ଟିସ୍‌ ବିପୁଲ ଏମ୍‌ ପାଞ୍ଚୋଲିଙ୍କ ଖଣ୍ଡପୀଠ କହିଛନ୍ତି ଯେ ଦୀପ ଜଳାଇବା ଅନୁମତି ଏବଂ ଅଦାଲତ ଅବମାନନା ଆବେଦନଗୁଡ଼ିକର ଦାଖଲ ପ୍ରକ୍ରିୟାକୁ ରେଜିଷ୍ଟ୍ରି ଯାଞ୍ଚ କରିବ। ଗୁରୁବାର କିମ୍ବା ଶୁକ୍ରବାର ଏଗୁଡ଼ିକର ଶୁଣାଣି ହୋଇପାରିବ କି ନାହିଁ କୋର୍ଟ ଦେଖିବେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମତି ସତ୍ତ୍ୱେ ସୋମବାର ଥିରୁପାରକୁନ୍ଦ୍ରମର ପାରମ୍ପରିକ ଉଚିପିଲ୍ଲୈୟାର ମଣ୍ଡପମରେ ହିଁ ବାର୍ଷିକ କାର୍ତ୍ତିକ ଦୀପମ ଜଳାଯାଇଥିଲା ଏବଂ ପାହାଡ଼ ଉପରେ ଥିବା ଦୀପାଥୁନ ଠାରେ ଦୀପ ଜଳିନଥିଲା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ କର୍ତ୍ତୃପକ୍ଷ ଜାଣିଶୁଣି ଏଡ଼ାଇ ଯାଇଥିବା ଅଭିଯୋଗ କରି ନିର୍ଦ୍ଦେଶର ଇଚ୍ଛାକୃତ ଅବମାନନା ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ନିଜଆଡ଼ୁ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଆବେଦନକାରୀଙ୍କ ଓକିଲ ଶୀର୍ଷ କୋର୍ଟଙ୍କୁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *