1 min read

ବ୍ରିଟେନରେ ୧ ଲକ୍ଷ ରିଜର୍ଭ ସୈନିକଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେବା ସହ ସମଗ୍ର ୟୁରୋପରେ ଉତ୍ତେଜନା ବୃଦ୍ଧି ପାଇଛି । ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ୧ ଲକ୍ଷ ରିଜର୍ଭ ସୈନିକଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି । ଏହା ସହ ବ୍ରିଟିଶ ସରକାର ଘୋଷଣା କରିଛନ୍ତି ଯେ, ନୌସେନାର ଘାତକ ବୁଡ଼ାଜାହାଜ ବା ସବମେରିନ୍ ଗୁଡ଼ିକୁ ଅପଗ୍ରେଡ୍ କରିବା ପାଇଁ ୮ ବିଲିୟନ ପାଉଣ୍ଡର ଏକ ବଡ଼ ପାଣ୍ଠି ଖର୍ଚ୍ଚ କରାଯିବ । ଏହାଦ୍ୱାରା ବୁଡ଼ାଜାହାଜ ଗୁଡ଼ିକର ଉପଲବ୍ଧତା ଏବଂ ସେଗୁଡ଼ିକର ପ୍ରସ୍ତୁତି ବୃଦ୍ଧି ପାଇବ । ଫଳରେ ବ୍ରିଟେନର ପ୍ରତିରୋଧକ କ୍ଷମତା ବଢ଼ିବା ସହ ଜାତୀୟ ସୁରକ୍ଷା ଆହୁରି ମଜବୁତ ହେବ । ଶୀତଳ ଯୁଦ୍ଧ  ଶେଷ ହେବା ପରେ ଏହା ପ୍ରଥମ ଥର ପାଇଁ ବ୍ରିଟେନ୍ ଏହାର ରିଜର୍ଭ ସୈନିକମାନଙ୍କୁ ଯୁଦ୍ଧ ପାଇଁ ଡାକରା ଦେଇଛି । କୁହାଯାଉଛି ଯେ ,ବ୍ରିଟେନ୍ ଏହି ପଦକ୍ଷେପ ମାଧ୍ୟମରେ ରୁଷକୁ ଏକ କଡ଼ା ବାର୍ତ୍ତା ଦେବାକୁ ଚେଷ୍ଟା କରିଛି । ବ୍ରିଟିଶ ମିଡିଆ ଅନୁଯାୟୀ, ୧ ଲକ୍ଷ ରଣନୀତିକ ରିଜର୍ଭ ସୈନିକଙ୍କୁ ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚିଠି ମିଳିଛି । ସେମାନଙ୍କୁ ତାଲିମ ଏବଂ ସମରାଭ୍ୟାସରେ ଅଂଶଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ଚିଠି ବ୍ରିଟିଶ ସେନାର ତିନୋଟି ବିଭାଗ ଯଥା- ଆର୍ମି, ଏୟାରଫୋର୍ସ ଏବଂ ନେଭିକୁ ପଠାଯାଇଛି । ବ୍ରିଟେନର ତିନି ସେନା ମୁଖ୍ୟ ଏହି ଚିଠି ଗୁଡ଼ିକରେ ସ୍ୱାକ୍ଷର କରିଛନ୍ତି । ରିଜର୍ଭ ସୈନିକମାନଙ୍କୁ ସେମାନଙ୍କର ମୋବାଇଲ୍ ନମ୍ବର, ଚାକିରି ଏବଂ ଦକ୍ଷତା ବିଷୟରେ ତଥ୍ୟ ମଗାଯାଇଛି ।

Leave a Reply

Your email address will not be published. Required fields are marked *