ଚିପ୍ସ-ବିସ୍କୁଟ୍ ପ୍ୟାକେଟ୍ରେ ଲାଗିବ ଲାଲ୍ ଚେତାବନୀ ଚିହ୍ନ
ନୂଆଦିଲ୍ଲୀ : ବଜାରରୁ ଚିପ୍ସ, ବିସ୍କୁଟ୍ କିମ୍ବା ଅନ୍ୟ ପ୍ୟାକେଟ୍ ଖାଦ୍ୟ ସାମଗ୍ରୀ କିଣିବା ସମୟରେ ଏଣିକି ପ୍ୟାକେଟ୍ ପଛପଟେ ଲେଖା ଛୋଟ ଅକ୍ଷର ପଢ଼ିବାକୁ ପଡ଼ିବନି । ଖାଦ୍ୟରେ ଅଧିକ ଚିନି, ଲୁଣ ଓ ସାଚୁରେଟେଡ୍ ଫ୍ୟାଟ୍ ରହିଥିଲେ ପ୍ୟାକେଟ୍ର ସାମ୍ନା ପଟେ ସ୍ପଷ୍ଟ ଭାବେ ଚେତାବନୀ ଲେଖିବାକୁ ପଡ଼ିବ । ଏନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ସମ୍ବିଧାନ ଦିବସ ଅବସରରେ ନଭେମ୍ବର ୨୬ ତାରିଖରେ ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ସମ୍ବିଧାନରେ ସ୍ୱାସ୍ଥ୍ୟର ଅଧିକାରକୁ ଗୁରୁତ୍ୱ ଦିଆଯାଇଥିବାରୁ ଏହି ନିଷ୍ପତ୍ତି ପାଇଁ ସମ୍ବିଧାନ ଦିବସଠାରୁ ଭଲ ଦିନ ଆଉ କିଛି ହୋଇନପାରେ ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ (FSSAI)କୁ ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ନୂଆ ନିୟମ ଅନୁସାରେ, ଖାଦ୍ୟରେ ଅଧିକ ଫ୍ୟାଟ୍, ଚିନି ଓ ଲୁଣ ଥିଲେ ପ୍ରତ୍ୟେକ ପାଇଁ ଅଲଗା ଅଲଗା ଲାଲ୍ ରଙ୍ଗର ଷଟ୍କୋଣ ଚିହ୍ନ ଲଗାଇବାକୁ ପଡ଼ିବ। ଏଥିରେ ବଡ଼ ଅକ୍ଷରରେ ‘HIGH FAT’, ‘HIGH SUGAR’ କିମ୍ବା ‘HIGH SALT’ ଲେଖାଯିବ।
ଏହି ଲାଲ୍ ଚିହ୍ନର ଆକାର ପ୍ୟାକେଟ୍ର ସାମ୍ନା ପଟର ଅତିକମ୍ରେ ୪ରୁ ୫ ପ୍ରତିଶତ ରହିବ । ଯାହାଦ୍ୱାରା ଗ୍ରାହକ ଦୂରରୁ ମଧ୍ୟ ଏହାକୁ ସହଜରେ ଦେଖିପାରିବେ। କେଉଁ ଖାଦ୍ୟରେ କେତେ ପରିମାଣ ଚିନି, ଲୁଣ ଓ ଫ୍ୟାଟ୍ ରହିଲେ ଚେତାବନୀ ଲଗାଯିବ, ତାହାର ସୀମା ନୂଆ କରି ସ୍ଥିର କରିବାକୁ କୋର୍ଟ କହିଛନ୍ତି । କେବଳ ଖାଦ୍ୟରେ ମିଶାଯାଇଥିବା ଚିନି ନୁହେଁ, ବରଂ ମୋଟ ଚିନି, ସାଚୁରେଟେଡ୍ ଫ୍ୟାଟ୍ ଓ ଲୁଣର ପରିମାଣକୁ ଆଧାର କରି ଚେତାବନୀ ଦେବାକୁ ପଡ଼ିବ। ଏଥିପାଇଁ DGI 2024ର ଟେବୁଲ୍ 15.1କୁ ଯଥାବତ୍ ଲାଗୁ ନକରି ନୂଆ ସୀମା ନିର୍ଦ୍ଧାରଣ କରିବାକୁ କୋର୍ଟ ସ୍ପଷ୍ଟ କରିଛନ୍ତି। ନୂଆ ନିୟମର ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ FSSAIକୁ ୪ ମାସ ସମୟ ଦିଆଯାଇଛି । ଏହି କାର୍ଯ୍ୟରେ କୌଣସି ପ୍ରକାର ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି । ଏଥିସହ ୧୦ ସପ୍ତାହ ପରେ ଏହି ନିୟମ ପ୍ରସ୍ତୁତିରେ ହୋଇଥିବା ଅଗ୍ରଗତି ସମ୍ପର୍କରେ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ମଧ୍ୟ FSSAIକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ପ୍ୟାକେଟ୍ରେ ଚେତାବନୀ ଲଗାଇଦେଲେ ହେବନି, ପିଲାମାନଙ୍କୁ ମଧ୍ୟ ସୁସ୍ଥ ଖାଦ୍ୟ ଅଭ୍ୟାସ ସମ୍ପର୍କରେ ସଚେତନ କରିବାକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ଦେଶର ସ୍କୁଲଗୁଡ଼ିକରେ ପୋଷଣ ସମ୍ପର୍କିତ ଶିକ୍ଷା ଲାଗୁ କରିବା ସହ ପାଠ୍ୟକ୍ରମରେ ଆବଶ୍ୟକ ପରିବର୍ତ୍ତନ ଓ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରିବାକୁ କୁହାଯାଇଛି। ପିଲାଦିନରୁ ସୁସ୍ଥ ଖାଦ୍ୟାଭ୍ୟାସ ସମ୍ପର୍କରେ ସଚେତନତା ସୃଷ୍ଟି ହେଲେ ଭବିଷ୍ୟତ ପିଢ଼ି ଜଙ୍କ୍ ଫୁଡ୍ର କୁପ୍ରଭାବରୁ ଦୂରେଇ ରହିପାରିବେ ବୋଲି କୋର୍ଟ ଆଶା ପ୍ରକାଶ କରିଛନ୍ତି ।
