ଜନଗଣନାରୁ ଅଲଗା ହେବ ସୀମା ପୁନଃ ନିର୍ଦ୍ଧାରଣ
ନୂଆଦିଲ୍ଲୀ : ସୀମା ପୁନଃନିର୍ଦ୍ଧାରଣ ସହ ଜଡ଼ିତ ୨ଟି ପ୍ରମୁଖ ବିଷୟବସ୍ତୁ ଉପରେ ବଡ଼ ପଦକ୍ଷେପ ନେଇ ପାରନ୍ତି କେନ୍ଦ୍ର ସରକାର। ସମସ୍ତ ରାଜ୍ୟର ଲୋକସଭା ଆସନକୁ ସରକାର ସାମୂହିକ ଭାବେ ୫୦% ବୃଦ୍ଧି କରିବେ। ସେହିପରି ଜନଗଣନାକୁ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାରୁ ବାଦ ଦେଇ ପାରନ୍ତି। ପୂର୍ବରୁ ଜନଗଣନା ସହ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଯୋଡ଼ି ହୋଇ ରହୁଥିଲା। ହେଲେ ସରକାର ଏଥିରେ ପରିବର୍ତ୍ତନ କରିବା ମୁଡରେ ରହିଛନ୍ତି। ଆଜି ବସିବାକୁ ଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ବାଜିବ। ସରକାର ବେଶ ଚତୁରତାର ସହ ମହିଳା ସଂରକ୍ଷଣ ବିଧେୟକକୁ ସୀମା ପୁନଃ ନିର୍ଦ୍ଧାରଣ ସହ ଯୋଡ଼ିଛନ୍ତି। ଏପ୍ରିଲ ମାସରେ ଏହି ବିଧେୟକ ସଂସଦରେ କାଟ ଖାଇଥିଲା। ହେଲେ ଏବେ ସରକାର ନଭେମ୍ବର ୩୦ରେ ଲୋକସଭା ଓ ଡିସେମ୍ବର ୨ରେ ରାଜ୍ୟସଭାର ଦିନିକିଆ ଅଧିବେଶନ ଡାକିଛନ୍ତି।
ଏହି ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ସମ୍ବିଧାନ ସଂଶୋଧନ ବିଧେୟକ ବଳରେ ସୀମା ପୁନଃ ନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ ପାରିତ କରିବା ମୁଡରେ ରହିଛନ୍ତି। ଦିନକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ସଂରକ୍ଷଣ କଥା କହିବା ସହ ବିରୋଧୀ ସମ୍ବିଧାନ(୧୩୧ତମ ସଂଶୋଧନ) ବିଲ , ୨୦୨୬କୁ ଅଟକାଇ ରଖିଥିବା ଅଭିଯୋଗ କରିଥିଲେ। ଏହି ସମ୍ବିଧାନ ସଂଶୋଧନ ବିଲ ଜରିଆରେ ସରକାର ସୀମା ପୁନଃ ନିର୍ଦ୍ଧାରଣ ସହ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୫୪୩ ଆସନ ବିଶିଷ୍ଟ ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ ପାରିତ କରିବାକୁ ୩୬୧ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଏବେ ଗୃହର ୩ଟି ଆସନ ଖାଲି ପଡ଼ିଥିବା ବେଳେ ସଦସ୍ୟଙ୍କ ସଂଖ୍ୟା ରହିଛି ୫୪୦। କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ୩୨୦ ଜଣ ସାଂସଦ ରହିଛନ୍ତି। ତେଣୁ ମେଣ୍ଟ ବାହାରେ ଥିବା କିଛି ଦଳର ସାଂସଦଙ୍କ ସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଛନ୍ତି ସରକାର।
ଟିଏମସିର ୨୦ ଜଣ ବିଦ୍ରୋହୀ ସାଂସଦ ଏନସିପିଆଇରେ ସାମିଲ ହୋଇ ଏନଡିଏକୁ ସମର୍ଥନ କରିଛନ୍ତି। ଉଦ୍ଧବ ସେନାର ୬ ଜଣ ସାଂସଦ ମଧ୍ୟ ପଟ ବଦଳାଇଛନ୍ତି। ଅର୍ଥାତ ବିରୋଧୀ କ୍ୟାମ୍ପର ୨୬ ଜଣ ସାଂସଦ ଏବେ ଏନଡିଏ ସହ ରହିଛନ୍ତି। ତଥାପି ୩୬୧ ମ୍ୟାଜିକ ନମ୍ବର ଠାରୁ ଏହା କମ। ଏପରି ସ୍ଥିତିରେ ଏମକେ ଷ୍ଟାଲିନଙ୍କ ୨୨ ଜଣ ଓ ଶରଦ ପାୱାରଙ୍କ ଏନସିପିର ୮ ଜଣ ସାଂସଦ ପୂରା ସଂଖ୍ୟା ଖେଳରେ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି।

