ବିଶ୍ୱ ଜନସଂଖ୍ୟା ପକ୍ଷ-୨୦୨୬

0
ChatGPT Image Jul 18, 2026, 10_10_46 PM

ସୁସ୍ଥ ମା’ ଓ ସୁରକ୍ଷିତ ଶିଶୁ ପାଇଁ ବ୍ରହ୍ମପୁରରେ ଆଇଇସି ସଚେତନତା ରଥ ଶୁଭାରମ୍ଭ

ବ୍ରହ୍ମପୁର(ପିପିଏସ୍): ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ସୁରକ୍ଷା, ଅନିଚ୍ଛିତ ଗର୍ଭଧାରଣର ପ୍ରତିରୋଧ, ଗର୍ଭଧାରଣ ମଧ୍ୟରେ ସୁସ୍ଥ ସମୟ ଓ ବ୍ୟବଧାନ ସମ୍ପର୍କରେ ସାଧାରଣ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦେ୍ଦଶ୍ୟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୧ଜୁଲାଇରୁ ୨୪ ଜୁଲାଇ ପର୍ଯ୍ୟନ୍ତ ବିଶ୍ୱ ଜନସଂଖ୍ୟା ପକ୍ଷ-୨୦୨୬ ପାଳନ କରାଯାଉଛି । ଏହି ଅଭିଯାନକୁ ଜନଆନେ୍ଦାଳନର ରୂପ ଦେବା ଏବଂ ସହରର ପ୍ରତ୍ୟେକ ପରିବାର ନିକଟରେ ପରିବାର ନିୟୋଜନ ସମ୍ପର୍କିତ ସଠିକ୍ ସୂଚନା ପହଞ୍ଚାଇବା ଉଦେ୍ଦଶ୍ୟରେ ମହାନଗର ନିଗମ ପରିସରରେ ଏକ ସୂଚନା, ଶିକ୍ଷା ଓ ଯୋଗାଯୋଗ ସଚେତନତା ରଥ ଶୁଭାରମ୍ଭ କରାଯାଇଥିଲା । ଏହି ସଚେତନତା ଭ୍ୟାନ୍କୁ ନିଗମ ମେୟର ସଂଘମିତ୍ରା ଦଳେଇ, ନିଗମ କମିଶନର ଏ.ସସ୍ୟା ରେଡ୍ଡି, ଡେପୁଟି ମେୟର ଇ.ବିବେକ ରେଡ୍ଡି, ନଗର ସ୍ୱାସ୍ଥ୍ୟ ଅଧିକାରୀ ଡା. ମାନସ ରଞ୍ଜନ ପଣ୍ଡା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମେୟର କହିଥିଲେ ଯେ, ସୁସ୍ଥ ପରିବାର ଗଠନ ପାଇଁ ସଚେତନ ପରିବାର ନିୟୋଜନ ଅତ୍ୟନ୍ତ ଆବଶ୍ୟକ । ଗର୍ଭଧାରଣ ମଧ୍ୟରେ ଉଚିତ ବ୍ୟବଧାନ ରଖିବା ଦ୍ୱାରା ମା’ ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ସୁଦୃଢ଼ ହୋଇଥାଏ । ପରିବାର ନିୟୋଜନ କେବଳ ଜନସଂଖ୍ୟା ନିୟନ୍ତ୍ରଣର କାର୍ଯ୍ୟକ୍ରମ ନୁହେଁ ବରଂ ଏହା ମାତୃ ସୁରକ୍ଷା, ଶିଶୁ କଲ୍ୟାଣ ଓ ପରିବାରର ସାମଗ୍ରିକ ଉନ୍ନତି ସହ ସିଧାସଳଖ ଭାବରେ ଜଡିତ । ଏହି ସଚେତନତା ରଥ ଆସନ୍ତା ଏକ ସପ୍ତାହ ଧରି ବ୍ରହ୍ମପୁର ସହରର ସମସ୍ତ ୱାର୍ଡ ପରିଦର୍ଶନ କରି ପରିବାର ନିୟୋଜନ ସମ୍ପର୍କିତ ଅଡିଓ ବାର୍ତା, ସଚେତନତା ପ୍ରଚାର, ଆଇଇସି ସାମଗ୍ରୀ ବଣ୍ଟନ ଏବଂ ସାଧାରଣ ଲୋକଙ୍କୁ ପରାମର୍ଶ ପ୍ରଦାନ କରିବା । ଏହା ସହିତ ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ପରାମର୍ଶ, ଆଧୁନିକ ଗର୍ଭନିରୋଧକ ସାମଗ୍ରୀର ଉପଲବ୍ଧତା, ନିର୍ଦ୍ଦାରିତ ଦିବସ ପରିବାର ନିୟୋଜନ ସେବା, ଆଶା ଓ ଏଏନ୍ଏମ୍ଙ୍କ ଦ୍ୱାରା ଘରକୁ ଘର ସଚେତନତା, ୱାର୍ଡସ୍ତରୀୟ ସମୁଦାୟ ବୈଠକ, ଜନସଚେତନତା ରାଲି ଏବଂ ସୋସିଆଲ ମିଡିଆ ଅଭିଯାନ ମଧ୍ୟ ଆୟୋଜନ କରାଯିବ । ପରିବାର ନିୟୋଜନ କାର୍ଯ୍ୟକ୍ରମର ମୂଳ ଉଦେ୍ଦଶ୍ୟ ହେଉଛି ଆଧୁନିକ ଗର୍ଭନିରୋଧକ ପଦ୍ଧତି ସମ୍ପର୍କରେ ସଚେତନତା ବୃଦ୍ଧି, ଅନିଚ୍ଛିତ ଓ ଉଚ୍ଚ-ଝୁମ୍ପପୂର୍ଣ୍ଣ ଗର୍ଭଧାରଣ ହ୍ରାସ, ମାତୃ ଓ ଶିଶୁ ମୃତୁ୍ୟହାର କମାଇବା, ପ୍ରତ୍ୟେକ ଗର୍ଭଧାରଣକୁ ଯୋଜନାବଦ୍ଧ କରିବା ଏବଂ ପୁରୁଷମାନଙ୍କ ସକ୍ରୀୟ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେବା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଦୁଇଟି ଗର୍ଭଧାରଣ ମଧ୍ୟରେ ଅତି କମ୍ରେ ୩ବର୍ଷର ବ୍ୟବଧାନ ରଖିବା ଦ୍ୱାରା ମା’ ଓ ଶିଶୁର ସ୍ୱାସ୍ଥ୍ୟ ଅଧିକ ସୁରକ୍ଷିତ ରହିଥାଏ । ନିଗମ ପକ୍ଷରୁ ସହରବାସୀଙ୍କୁ ନିକଟସ୍ଥ ୟୁପିଏଚ୍ସିରେ ଉପଲବ୍ଧ ନିଶୁଳ୍କ ପରିବାର ନିୟୋଜନ ସେବା, ପରାମର୍ଶ ଏବଂ ଆଧୁନିକ ଗର୍ଭନିରୋଧକ ସୁବିଧାର ଲାଭ ଉଠାଇ ଏକ ସୁସ୍ଥ, ସୁରକ୍ଷିତ ଓ ସମୃଦ୍ଧ ପରିବାର ଗଠନରେ ସହଭାଗୀ ହେବାକୁ ଆହ୍ୱାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ନଗର କାର୍ଯ୍ୟକ୍ରମ ପ୍ରବନ୍ଧକ ଲମ୍ବୋଦର ଦିଗାଲ ସଂଯୋଜନା କରିଥିଲେ । 

Leave a Reply

Your email address will not be published. Required fields are marked *