ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ “ଆଣ୍ଡି ବର୍ନହାମ”!
1 min read

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ “ଆଣ୍ଡି ବର୍ନହାମ”!

ଲଣ୍ଡନ, ଜୁଲାଇ ୧୮(ପିପିଏସ୍): ବ୍ରିଟେନର ଶାସନ ବ୍ୟବସ୍ଥାରେ ଖୁବ୍ ଶୀଘ୍ର ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଲେବର ପାର୍ଟିର ନୂଆ ନେତା ଭାବେ ଆଣ୍ଡି ବର୍ନହାମଙ୍କୁ ଆନୁଷ୍ଠାନିକ ଭାବେ ଚୟନ କରାଯାଇଥିବାରୁ ସେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ ହୋଇଛି।

ସୂଚନାନୁସାରେ, କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆସନ୍ତା ସୋମବାରଠାରୁ ଆରମ୍ଭ ହେବ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ରାଜା ଚାର୍ଲସ ତୃତୀୟଙ୍କୁ ସାକ୍ଷାତ କରି ନିଜର ଇସ୍ତଫାପତ୍ର ଦାଖଲ କରିବେ। ଇସ୍ତଫା ଗ୍ରହଣ ପରେ ରାଜା ଚାର୍ଲସ ତୃତୀୟ ଆଣ୍ଡି ବର୍ନହାମଙ୍କୁ ବକିଂହାମ ପ୍ୟାଲେସକୁ ଆମନ୍ତ୍ରଣ କରି ନୂଆ ସରକାର ଗଠନ ପାଇଁ ଆନୁଷ୍ଠାନିକ ଭାବେ ଆହ୍ୱାନ କରିବେ।

ଲେବର ପାର୍ଟିର ନେତୃତ୍ୱ ପାଇଁ ବର୍ନହାମ ଏକମାତ୍ର ପ୍ରାର୍ଥୀ ଥିଲେ। ହାଉସ୍ ଅଫ୍ କମନ୍ସରେ ଲେବର ପାର୍ଟିର ୪୦୩ ଜଣ ସାଂସଦଙ୍କ ମଧ୍ୟରୁ ୩୭୯ ଜଣ ତାଙ୍କ ସପକ୍ଷରେ ସମର୍ଥନ ଜଣାଇଥିଲେ। ବିରୋଧରେ କୌଣସି ପ୍ରାର୍ଥୀ ନଥିବାରୁ ସେ ନିର୍ବିରୋଧରେ ଦଳର ନୂଆ ମୁଖ୍ୟ ଭାବେ ଚୟନିତ ହୋଇଛନ୍ତି।

ଲଣ୍ଡନରେ ଆୟୋଜିତ ଲେବର ପାର୍ଟିର ଏକ ସ୍ୱତନ୍ତ୍ର ସମ୍ମିଳନୀରେ ବ୍ରିଟେନର ଗୃହ ସଚିବ ଏବଂ ଦଳର ଜାତୀୟ କାର୍ଯ୍ୟକାରିଣୀ କମିଟିର ଅଧ୍ୟକ୍ଷ ଶବାନା ମହମୁଦ ଆନୁଷ୍ଠାନିକ ଭାବେ ଆଣ୍ଡି ବର୍ନହାମଙ୍କ ନାମ ଘୋଷଣା କରିଥିଲେ।

ଦଳର ନେତୃତ୍ୱ ଦାୟିତ୍ୱ ମିଳିବା ପରେ ବର୍ନହାମଙ୍କ ସମ୍ମୁଖରେ ବ୍ରିଟେନର ଅର୍ଥନୀତି, ଜନସେବା ବ୍ୟବସ୍ଥା, ସ୍ୱାସ୍ଥ୍ୟ କ୍ଷେତ୍ର ଏବଂ ଅନ୍ତର୍ଜାତୀୟ ସମ୍ପର୍କ ଭଳି ବିଭିନ୍ନ ପ୍ରସଙ୍ଗରେ ନୂଆ ସରକାରର ନୀତି ଓ କାର୍ଯ୍ୟଯୋଜନା ନିର୍ଦ୍ଧାରଣ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ରାଜନୈତିକ ମହଳରେ ଆଲୋଚନା ଚାଲିଛି।

Leave a Reply

Your email address will not be published. Required fields are marked *