ଢାକାରେ ଭାରତ ବିରୋଧୀ ହୁଙ୍କାର

ଢାକା : ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ୍ ରହମାନଙ୍କ ସରକାର ବିରୋଧରେ ପ୍ରତିବାଦ ପ୍ରଦର୍ଶନ ସମୟରେ ରାଜଧାନୀ ଢାକାରେ ପୁଣିଥରେ ଭାରତ ବିରୋଧୀ ସ୍ଲୋଗାନ ଦିଆଯାଇଛି । ଶୁକ୍ରବାର ‘ନ୍ୟାସନାଲ ସିଟିଜେନ୍ ପାର୍ଟି’ (NCP) ନେତା ନାହିଦ୍ ଇସଲାମଙ୍କ ନେତୃତ୍ୱରେ ଏକ ବିରାଟ ରାଲି ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ । ଦେଶରେ ବୃଦ୍ଧି ପାଉଥିବା ମହଙ୍ଗା, ବିଜୁଳି ସଙ୍କଟ ଏବଂ ଇନ୍ଧନ-ଗ୍ୟାସର ଅଭାବକୁ ନେଇ ପ୍ରଦର୍ଶନକାରୀମାନେ ସରକାରଙ୍କୁ ଘେରିବା ସହ ଗୃହମନ୍ତ୍ରୀ ଏବଂ ଶକ୍ତି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଢାକା ଜାତୀୟ ସଂଗ୍ରହାଳୟ ସାମ୍ନାରେ ହୋଇଥିବା ଏହି ରାଲିରେ ଭାରତ ବିରୋଧୀ ସ୍ଲୋଗାନ ଦିଆଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ NCP ନେତାମାନେ “ଦିଲ୍ଲୀ ନୁହେଁ, ଢାକା… ଢାକା” ବୋଲି ନାରା ଦେଉଥିବା ଦେଖିବାକୁ ମିଳିଛି । ନାହିଦ୍ ଇସ୍ଲାମ୍ ଭାରତ ବିରୋଧରେ ବାଂଲାଦେଶ ବିରୋଧରେ ଚକ୍ରାନ୍ତ କରୁଥିବା ଅଭିଯୋଗ ଆଣିଛନ୍ତି । ସୀମାରେ ହତ୍ୟା, ଆସାମ ଓ ପଶ୍ଚିମବଙ୍ଗରେ ମୁସଲମାନଙ୍କ ପ୍ରତି ଭେଦଭାବ ଭଳି ଅଭିଯୋଗ ମଧ୍ୟ ସେ କରିଛନ୍ତି । ଭାରତ ଓ ବାଂଲାଦେଶ ମଧ୍ୟରେ ୩୦ ବର୍ଷିଆ ଗଙ୍ଗା ଜଳ ବଣ୍ଟନ ଚୁକ୍ତି ଆସନ୍ତା ଡିସେମ୍ବର ମାସରେ ଶେଷ ହେବାକୁ ଯାଉଛି । ନାହିଦ୍ ଚେତାବନୀ ଦେଇଛନ୍ତି ଯେ, ଯଦି ଏହି ଚୁକ୍ତି ନେଇ ପୁନର୍ବାର ନିରପେକ୍ଷ ଭାବେ ଆଲୋଚନା ନ କରାଯାଏ, ତେବେ ବାଂଲାଦେଶୀମାନେ ପୁଣି ରାସ୍ତାକୁ ଓହ୍ଲାଇବେ ।
