ସାମ୍ବାଦିକା ନିଧି ରାଜଦାନଙ୍କ ହାତ ଧରିଲେ ଓମାର ଅବଦୁଲ୍ଲା

ଜମ୍ମୁ : ଜମ୍ମୁ-କଶ୍ମୀର ରାଜନୀତିର ଚର୍ଚ୍ଚିତ ଚେହେରା ତଥା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଜୀବନରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ। ବରିଷ୍ଠ ସାମ୍ବାଦିକା ନିଧି ରାଜଦାନଙ୍କୁ ବିବାହ କରିଛନ୍ତି ଓମାର। ଶନିବାର ଉଭୟ ସୋସିଆଲ ମିଡିଆରେ ନିଜ ନିଜ ପୋଷ୍ଟ ଜରିଆରେ ଏହି ଖବର ସାର୍ବଜନୀନ କରିଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଓମାର ଅବଦୁଲ୍ଲା ଏକ୍ସରେ ନିଧିଙ୍କ ସହ କିଛି ଫଟୋ ସେୟାର କରିଥିଲେ। ଏହା ସହ କ୍ୟାପସନରେ ଲେଖିଥିଲେ, “ଗତକାଲି ଏକ ନୂଆ ଯାତ୍ରା ଆରମ୍ଭ ହେଲା।” ଏହି ପୋଷ୍ଟରେ ସେ ନିଧି ରାଜଦାନଙ୍କୁ ଟ୍ୟାଗ୍ କରିଥିଲେ। ଏହାର ଉତ୍ତରରେ ନିଧି ମଧ୍ୟ ନିଜ ସୋସିଆଲ ମିଡିଆରେ “It’s done bro @OmarAbdullah” ଲେଖି ବିବାହ ଖବରକୁ ସ୍ପଷ୍ଟ କରିଥିଲେ। ସୂଚନା ଅନୁସାରେ, ଶ୍ରୀନଗରରେ ଏକ ଛୋଟ ପାରିବାରିକ ସମାରୋହରେ ଉଭୟଙ୍କ ବିବାହ ହୋଇଥିଲା। ଏଥିରେ ଦୁଇ ପରିବାରର ନିକଟ ସମ୍ପର୍କୀୟ ଓ ପରିବାର ସଦସ୍ୟମାନେ ଯୋଗ ଦେଇଥିଲେ। ଓମାରଙ୍କ ବାପା ତଥା ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା, ମା’ ମଲ୍ଲି ଅବଦୁଲ୍ଲା ଏବଂ ତାଙ୍କ ତିନି ଭଉଣୀ ଉପସ୍ଥିତ ଥିଲେ। ସେହିପରି ନିଧିଙ୍କ ବାପା ତଥା ବରିଷ୍ଠ ସାମ୍ବାଦିକ ଏମ୍କେ ରାଜଦାନ ଓ ମା’ ସରଳା ରାଜଦାନ ମଧ୍ୟ ସମାରୋହରେ ସାମିଲ ହୋଇଥିଲେ। ଏହା ଓମାରଙ୍କ ଦ୍ୱିତୀୟ ବିବାହ। ପୂର୍ବରୁ ସେ ପାୟଲ ଅବଦୁଲ୍ଲାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇ ପୁଅ ଅଛନ୍ତି। ଦୀର୍ଘଦିନ ଧରି ଚାଲିଥିବା ବୈବାହିକ ବିବାଦର ଅବସାନ ଚଳିତ ବର୍ଷ ଜୁଲାଇରେ ଘଟିଥିଲା। ସୁପ୍ରିମକୋର୍ଟ ଉଭୟଙ୍କ ସହମତି ଆଧାରରେ ବିବାହ ବିଚ୍ଛେଦକୁ ମଞ୍ଜୁରୀ ଦେଇଥିଲେ।
