1 min read

ଭାଙ୍ଗିଲା ଭୁଟାନ ଗ୍ଲେସିଅର ହ୍ରଦ

ଥିମ୍ପୁ : ଭୁଟାନରେ ଏକ ଗ୍ଲେସିଅର ହ୍ରଦ ଭାଙ୍ଗିବା ଜନିତ ବନ୍ୟା(ଜିଏଲ୍‌ଓଏଫ୍‌) କାରଣରୁ ଉତ୍ତର ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଉଚ୍ଚ ବନ୍ୟା ସତର୍କତା ଜାରି କରାଯାଇଛି। ସଙ୍କୋଶ ନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକର କୂଳରେ ଥିବା ବିପଦସଙ୍କୁଳ ଅଞ୍ଚଳରୁ ବାସିନ୍ଦାମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଶୁକ୍ରବାର ଅଧିକାରୀମାନେ କହିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସ୍ଥାନାନ୍ତର ନିର୍ଦ୍ଦେଶ ପରେ ଆଲିପୁରଦ୍ୱାର ଜିଲାର ନଦୀକୂଳିଆ ଗ୍ରାମଗୁଡ଼ିକର ବାସିନ୍ଦାମାନେ ନିଜ ବାସସ୍ଥାନ ଛାଡ଼ିବା ଆରମ୍ଭ କରିଦେଇଛନ୍ତି। ଜଳସମ୍ପଦ ଅନୁସନ୍ଧାନ ଏବଂ ବିକାଶ ମନ୍ତ୍ରୀ ନିଶିତ ପ୍ରାମାଣିକ କହିଛନ୍ତି, ଭୁଟାନର ଲେମଥାଙ୍ଗ ଅଞ୍ଚଳରେ ଥିବା ସିନ୍ତାଫୁ ହ୍ରଦରେ ଏହି ବିସ୍ଫୋରଣ ଘଟିଛି। ଫଳରେ ମୋ (ମୋଫୁ) ନଦୀକୁ ବହୁ ପରିମାଣର ଜଳ ପ୍ରବାହିତ ହୋଇଛି ଏବଂ ଏହି ନଦୀଟି ସଙ୍କୋଶ ନଦୀ ସହ ମିଶିଛି। ପ୍ରାୟ ୭.୪ ମିଲିୟନ କ୍ୟୁବିକ ମିଟର ପାଣି ଏହି ଭାଙ୍ଗିଯାଇଥିବା ହ୍ରଦରୁ ପ୍ରବାହିତ ହୋଇଥିବା ଜଣାପଡ଼ିଛି, ଯାହା ପଶ୍ଚିମବଙ୍ଗ-ଆସାମ ସୀମାରେ ସଙ୍କୋଶ ନଦୀର ଜଳସ୍ତର ହଠାତ ବୃଦ୍ଧି ପାଇବା ନେଇ ଆଶଙ୍କା ସୃଷ୍ଟି କରିଛି। ସଙ୍କୋଶ ଏବଂ ବ୍ରହ୍ମପୁତ୍ର ନଦୀରେ ବନ୍ୟା ଆସିବାର ଆଶଙ୍କା ଥିବାରୁ କୁଚବିହାର, ତୁଫାନଗଞ୍ଜ ଏବଂ ବସିରହାଟର ଚା’ ବଗିଚା ଏବଂ ନଦୀଶଯ୍ୟା ନିକଟରେ ରହୁଥିବା ବାସିନ୍ଦାମାନେ ତୁରନ୍ତ ସ୍ଥାନାନ୍ତର ହେବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି। ରାମପୁର-୧ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ନଦୀକୂଳିଆ ବସତିଗୁଡ଼ିକରେ ବାସିନ୍ଦାମାନଙ୍କୁ ଘର ଛାଡ଼ି ଆଶ୍ରୟସ୍ଥଳୀକୁ ଚାଲିଯିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *