୨୦୨୭ରେ ହେବ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ
1 min read

୨୦୨୭ରେ ହେବ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: ଦେଶରେ ଜନଗଣନା ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟର କାମ ଶେଷ ହେବା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଦ୍ୱିତୀୟ ପର୍ଯ୍ୟାୟରେ ଲୋକଙ୍କ ଗଣନା କରାଯିବ। ଜନଗଣନା ପ୍ରକ୍ରିୟା ୨୦୨୭  ଜାନୁଆରି ୨୫ରୁ  ଫେବୃଆରି ୨୮  ପର୍ଯ୍ୟନ୍ତ ଚାଲିବ।ଭାରତର ରେଜିଷ୍ଟ୍ରାର ଜେନେରାଲ୍ ତଥା ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ଏବଂ ବରଫପାତ ହେଉଥିବା ଅଞ୍ଚଳରେ ଏବେ ଜନଗଣନା କରାଯିବ ନାହିଁ। ମଣିପୁର, ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଲଦାଖ, ହିମାଚଳପ୍ରଦେଶ ଏବଂ ଜମ୍ମୁ-କାଶ୍ମୀରର ବରଫପାତ ହେଉଥିବା ଅଞ୍ଚଳକୁ ବାଦ୍ ଦେଲେ ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୭ ଜାନୁଆରି ୨୫ରୁ  ଫେବୃଆରି ୨୮  ପର୍ଯ୍ୟନ୍ତ ଜନଗଣନା କରାଯିବ। ଆସନ୍ତା ବର୍ଷ ଆରମ୍ଭରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ହେବାର ଅଛି। ଏହାସହ ଘରକୁ ଘର ବୁଲି ଜନଗଣନା ଆରମ୍ଭ ହେବାର ଠିକ୍ ପୂର୍ବରୁ ୨୦୨୭  ଜାନୁଆରି ୧୦ରୁ  ଜାନୁଆରି ୨୪  ପର୍ଯ୍ୟନ୍ତ ଲୋକଙ୍କୁ ‘ସେଲ୍ଫ ଏନ୍ୟୁମରେସନ୍’ ବା ନିଜେ ନିଜର ତଥ୍ୟ ପ୍ରଦାନ କରିବାର ସୁଯୋଗ ମିଳିବ। ଜନଗଣନାର ପ୍ରଥମ ପର୍ଯ୍ୟାୟକୁ ହାଉସ୍ ଲିଷ୍ଟିଂ ଅପରେସନ୍  କୁହାଯାଉଥିଲା। ଏଥିରେ କେବଳ ଘରଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ହେଉଛି ପପୁଲେସନ୍ ଏନ୍ୟୁମରେସନ୍। ଏଥିରେ ପ୍ରତ୍ୟେକ ପରିବାରକୁ ୪୦ଟି ପ୍ରଶ୍ନ ପଚରାଯିବ। ଗୋଟିଏ ପରିବାରର ତଥ୍ୟ ସଂଗ୍ରହ କରିବାକୁ ପ୍ରାୟ ୨୦ରୁ ୨୫ ମିନିଟ୍ ସମୟ ଲାଗିବ। ଜନଗଣନା କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କୁ ୭୫୦ରୁ ୮୦୦ ଲୋକଙ୍କ ତଥ୍ୟ ସଂଗ୍ରହ ଦାୟିତ୍ୱ ଦିଆଯିବ। ଏଥର ଏହି କାମରେ ପ୍ରାୟ ୩୪ ଲକ୍ଷ ଲୋକ ନିୟୋଜିତ ହେବେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ସରକାରୀ ସ୍କୁଲର ଶିକ୍ଷକ ରହିବେ।ପ୍ରଥମ ଥର ପାଇଁ ଘରୋଇ ସ୍କୁଲର ଶିକ୍ଷକ ଏବଂ ବିଭିନ୍ନ ସଂସ୍ଥାର କର୍ମଚାରୀଙ୍କୁ ମଧ୍ୟ ଜନଗଣନାକାରୀ ଭାବେ ନିଯୁକ୍ତ କରିବାକୁ ଅନୁମତି ଦିଆଯାଇଛି।

Leave a Reply

Your email address will not be published. Required fields are marked *