ଶେଷ ହୋଇଯିବ ଆମେରିକାର ଖେଳ – ଏଲନ ମସ୍କ
ନୂଆଦିଲ୍ଲୀ : ନଭେମ୍ବର ୩ ତାରିଖରେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ, ବିଶ୍ୱର
ସବୁଠାରୁ ଧନୀ ବ୍ୟବସାୟୀ ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଏକ ପ୍ରମୁଖ ରାଜନୈତିକ
ବୟାନ ଦେଇଛନ୍ତି । ସେ ଚେତାବନୀ ଦେଇଛନ୍ତି ଯେ, ଯଦି ଡେମୋକ୍ରାଟିକ୍ ପାର୍ଟି ୨୦୨୮
ନିର୍ବାଚନରେ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ସ, ସିନେଟ୍ ଏବଂ ରାଷ୍ଟ୍ରପତି ଆସନ ଜିତିଯାଏ, ତେବେ
ଆମେରିକାର ରାଜନୈତିକ ଭବିଷ୍ୟତ ପରିବର୍ତ୍ତନ ହୋଇପାରେ । ମସ୍କ ସୋସିଆଲ ମିଡିଆ
ପ୍ଲାଟଫର୍ମ X ରେ ଲେଖିଛନ୍ତି, “ଆମେରିକାର ଖେଳ ଶେଷ ହୋଇଯିବ । ସେ ଏହାକୁ ଦେଶରେ
ଗଣତନ୍ତ୍ର ପାଇଁ ଏକ ବଡ଼ ବିପଦ ଭାବରେ ବର୍ଣ୍ଣନା କରିଛନ୍ତି । ଏଲନ ମସ୍କ ଗୁରୁବାର X ରେ ଏକ
ପୋଷ୍ଟରେ ତାଙ୍କର ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଯଦି ଡେମୋକ୍ରାଟ ମାନେ ୨୦୨୮
ରେ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ସ, ସିନେଟ୍ ଏବଂ ରାଷ୍ଟ୍ରପତି ଆସନ ଜିତିଯାଆନ୍ତି, ତେବେ
ସେମାନେ ତିନୋଟି ପ୍ରମୁଖ ପଦକ୍ଷେପ ନେଇପାରିବେ । ମସ୍କ କହିଛନ୍ତି, “ପ୍ରଥମେ, ଡେମୋକ୍ରାଟ
ମାନେ ୱାଶିଂଟନ୍, ଡି.ସି. ଏବଂ ପୁଏର୍ଟୋ ରିକୋକୁ ଆମେରିକାର ରାଜ୍ୟ ମାନ୍ୟତା ପ୍ରଦାନ
କରିପାରିବେ । ଏହା ସିନେଟରେ ସେମାନଙ୍କର ସ୍ଥିତିକୁ ମଜବୁତ କରିପାରିବ । ଦ୍ୱିତୀୟତଃ,
ସେମାନେ ଦେଶର ସୀମା ଖୋଲି ପାରିବେ ଏବଂ ଆମେରିକାରେ ଅବୈଧ ଭାବରେ ରହୁଥିବା
ସମସ୍ତଙ୍କୁ ଆଇନଗତ ସ୍ଥିତି ପ୍ରଦାନ କରିପାରିବେ, ଯାହା ଫଳରେ ଭବିଷ୍ୟତରେ ସ୍ଥାୟୀ
ରାଜନୈତିକ ବହୁମତ ସୁରକ୍ଷିତ ହୋଇପାରିବ ।” ତୃତୀୟତଃ, ଡେମୋକ୍ରାଟ ମାନେ
ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରି ତୁରନ୍ତ ବହୁମତ ସ୍ଥାପନ କରିପାରିବେ । ଏହି
ପଦକ୍ଷେପ ଗୁଡ଼ିକ ଆମେରିକାର ବର୍ତ୍ତମାନର ରାଜନୈତିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବ ।
ମସ୍କ ଦାବି କରିଛନ୍ତି ଯେ ଯଦି ଏହା ହୁଏ, ତେବେ ଆମେରିକା ସ୍ଥାୟୀ ଭାବରେ ଗୋଟିଏ ଦଳ ଦ୍ୱାରା
ନିୟନ୍ତ୍ରିତ ହେବ । ସେ କହିଛନ୍ତି, “ଫଳାଫଳ ହେବ ଯେ ଆମେରିକା ଏକ ସ୍ଥାୟୀ ଏକ ଦଳୀୟ
ରାଷ୍ଟ୍ର ହୋଇଯିବ, ଏବଂ ଗଣତନ୍ତ୍ର ଏହାର ପ୍ରକୃତ ରୂପରେ ଶେଷ ହୋଇଯିବ ।”
