ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିକୁ ନେଇ ଆସିଛି ବଡ଼ ଆକଳନ। ୨୦୩୬ ସୁଦ୍ଧା ଭାରତ ୨୦ ଟ୍ରିଲିଅନ ଡଲାରର ଅର୍ଥନୀତିରେ ପରିଣତ ହୋଇପାରେ ବୋଲି ବ୍ରୋକରେଜ୍ ସଂସ୍ଥା ଇକ୍ବିରସ୍ ଏକ ରିପୋର୍ଟରେ ଆକଳନ କରିଛି। ତେବେ ଏହି ଲକ୍ଷ୍ୟ ପୂରଣ ପାଇଁ ଦେଶକୁ ଦ୍ରୁତ ଆର୍ଥିକ ବୃଦ୍ଧି ସହ ବ୍ୟାପକ ସଂସ୍କାର ଆଣିବାକୁ ପଡ଼ିବ।
ରିପୋର୍ଟ ଅନୁସାରେ, ୨୦ ଟ୍ରିଲିଅନ ଡଲାର ଅର୍ଥନୀତି ହେବାକୁ ଭାରତୀୟ ଅର୍ଥନୀତିକୁ ଏବେର ସ୍ତରଠାରୁ ପ୍ରାୟ ୫.୫ ଗୁଣ ବଢ଼ିବା ଆବଶ୍ୟକ। ଏଥିପାଇଁ ଟଙ୍କା ମୂଲ୍ୟରେ ବାର୍ଷିକ ପ୍ରାୟ ୧୪.୨ ପ୍ରତିଶତ ଅଭିବୃଦ୍ଧି ଆବଶ୍ୟକ ବୋଲି ଆକଳନ କରାଯାଇଛି। ଏହି ହାର ଭାରତର ପୂର୍ବ ହାରାହାରି ବାର୍ଷିକ ଅଭିବୃଦ୍ଧି ତୁଳନାରେ ଅଧିକ।
ସେବା କ୍ଷେତ୍ର ହେବ ମୁଖ୍ୟ ଭରସା
ଭାରତୀୟ ଅର୍ଥନୀତିରେ ସେବା କ୍ଷେତ୍ରର ଭୂମିକା ଆଗକୁ ଆହୁରି ବଢ଼ିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ବର୍ତ୍ତମାନ ଜିଡିପିର ପ୍ରାୟ ୫୪ ପ୍ରତିଶତ ଅବଦାନ ରଖୁଥିବା ସେବା କ୍ଷେତ୍ରକୁ ଭବିଷ୍ୟତରେ ପ୍ରାୟ ୬୫ ପ୍ରତିଶତ ଯାଏଁ ବଢ଼ାଇବାର ଆବଶ୍ୟକତା ରହିଛି। ଏହା ହେଲେ ସେବା କ୍ଷେତ୍ରର ଆକାର ପ୍ରାୟ ୧୧ ଟ୍ରିଲିଅନ ଡଲାର ହୋଇପାରେ।
୨୦ଟି ସଂସ୍କାର ଉପରେ ଗୁରୁତ୍ୱ
୨୦ ଟ୍ରିଲିଅନ ଡଲାର ଲକ୍ଷ୍ୟ ପାଇଁ ଇକ୍ବିରସ୍ ପକ୍ଷରୁ ୨୦ଟି ସଂସ୍କାର ପ୍ରସ୍ତାବ ରଖାଯାଇଛି। ପୁଞ୍ଜି ବଜାରର ବିକାଶ, ମାନବ ସମ୍ବଳର ଦକ୍ଷତା ବୃଦ୍ଧି, ସେବା କ୍ଷେତ୍ରର ସଂସ୍କାର ଏବଂ ସହରାଞ୍ଚଳ ପ୍ରଶାସନରେ ପରିବର୍ତ୍ତନ ଭଳି ବିଷୟକୁ ଗୁରୁତ୍ୱ ଦିଆଯାଇଛି।
ଇନ୍ଧନକୁ ଜିଏସ୍ଟି ଅଧୀନକୁ ଆଣିବା, ଭାରତୀୟ ରେଳକୁ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ କରିବା, ସୋଭରେନ୍ ଫଣ୍ଡ୍ ଗଠନ ଏବଂ କର୍ପୋରେଟ୍ ବଣ୍ଡ୍ ବଜାରକୁ ଆହୁରି ମଜବୁତ କରିବା ଭଳି ପ୍ରସ୍ତାବ ମଧ୍ୟ ରହିଛି।
ଲକ୍ଷାଧିକ କୋଟିର ପୁଞ୍ଜି ଆସିବାର ସମ୍ଭାବନା
ରିପୋର୍ଟରେ ଅଗ୍ରିମ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର କାର୍ଯ୍ୟକାରୀ ପୁଞ୍ଜି ମିଳିପାରିବ ବୋଲି ଦାବି କରାଯାଇଛି। ସେହିପରି ୫ ପ୍ରତିଶତ ଫ୍ଲାଟ୍ ଟିଡିଏସ୍ ଲାଗୁ କଲେ ପ୍ରାୟ ୧୩.୪ ଲକ୍ଷ କୋଟି ଟଙ୍କା ଉପଲବ୍ଧ ହୋଇପାରେ ବୋଲି ଆକଳନ ରହିଛି।
ଏହାଛଡ଼ା ଦେଶରେ ଗ୍ଲୋବାଲ୍ କାପାବିଲିଟି ସେଣ୍ଟର୍ (GCC) ସଂଖ୍ୟାକୁ ୫,୦୦୦ରେ ପହଞ୍ଚାଇବା ପାଇଁ ଜାତୀୟ ନୀତି ଆଣିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ଦ୍ୱାରା ପ୍ରାୟ ୨.୫ କୋଟି ନୂଆ ନିଯୁକ୍ତି ସୃଷ୍ଟି ହୋଇପାରେ ବୋଲି ଇକ୍ବିରସ୍ ଆକଳନ କରିଛି।
ସାରକଥା: ୨୦୩୬ ସୁଦ୍ଧା ୨୦ ଟ୍ରିଲିଅନ ଡଲାର ଅର୍ଥନୀତିର ଲକ୍ଷ୍ୟ ବଡ଼ ହେଲେ ମଧ୍ୟ, ଏହା ପାଇଁ ଦ୍ରୁତ ଅଭିବୃଦ୍ଧି ସହିତ ନୀତିଗତ ଓ ଆର୍ଥିକ ସଂସ୍କାରକୁ ଗତି ଦେବା ଆବଶ୍ୟକ ବୋଲି ରିପୋର୍ଟରେ ଜୋର ଦିଆଯାଇଛି।