କୁଏତରେ ଆମେରିକୀୟ ଏୟାରବେସ୍ ଉପରେ ଇରାନର ଡ୍ରୋନ୍ ଆକ୍ରମଣ
କୁଏତ୍ ସିଟି/ତେହେରାନ୍: ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ କ୍ରମଶଃ ଭୟଙ୍କର ରୂପ ଧାରଣ କରୁଥିବା ବେଳେ ଇରାନୀ ସେନା କୁଏତ୍ ସ୍ଥିତ ”ଅଲି ଅଲ୍ ସଲେମ୍” ଏୟାରବେସରେ ଏକ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ କରିଛି। ଏହି ସାମରିକ ଘାଟିରେ ଥିବା ଆମେରିକାର ଅତ୍ୟାଧୁନିକ ‘ପ୍ୟାଟ୍ରିୟଟ୍ ଏୟାର ଡିଫେନ୍ସ ସିଷ୍ଟମ୍’ ଏବଂ କ୍ଷେପଣାସ୍ତ୍ର ଲଞ୍ଚ ପ୍ଲାଟଫର୍ମକୁ ଟାର୍ଗେଟ୍ କରାଯାଇଥିବା ଇରାନ ସେନା ପକ୍ଷରୁ ଦାବି କରାଯାଇଛି। ସୂଚନା ଅନୁଯାୟୀ, ପଶ୍ଚିମ ଏସିଆରେ ଆମେରିକୀୟ ସୈନ୍ୟ ପରିବହନ ଏବଂ ଲଜିଷ୍ଟିକ୍ ରଣନୀତିର ପ୍ରମୁଖ କେନ୍ଦ୍ର କୁହାଯାଉଥିବା ଅଲି ଅଲ୍ ସଲେମ୍ ଏୟାରବେସକୁ ଧ୍ୱଂସ କରିବା ପାଇଁ ଇରାନ ନିଜର ଲଢ଼ୁଆ ଓ ଆତ୍ମଘାତୀ ଡ୍ରୋନ୍ ବ୍ୟବହାର କରିଥିଲା। ଏହି ଆକ୍ରମଣର ସବୁଠାରୁ ଆଶ୍ଚର୍ଯ୍ୟଜନକ ଦିଗଟି ହେଉଛି ଏହାର ଆର୍ଥିକ ତୁଳନା। ଇରାନ ସାଧାରଣତଃ ଯେଉଁ ଆତ୍ମଘାତୀ ଡ୍ରୋନ୍ ବ୍ୟବହାର କରେ, ତାହାର ମୂଲ୍ୟ ପ୍ରାୟ ୪୦,୦୦୦ ରୁ ୫୦,୦୦୦ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୪୬ ଲକ୍ଷରୁ ୪୭ ଲକ୍ଷ ଟଙ୍କା)। ଅପରପକ୍ଷରେ, ଆମେରିକାର ଗୋଟିଏ ପ୍ୟାଟ୍ରିୟଟ୍ ଏୟାର ଡିଫେନ୍ସ ବ୍ୟାଟେରୀର ମୂଲ୍ୟ ପ୍ରାୟ ୧.୧ ବିଲିୟନ ଡଲାର ଅର୍ଥାତ୍ ୯,୦୦୦ କୋଟି ଟଙ୍କାରୁ ଅଧିକ। ଅତି ସାମାନ୍ୟ ମୂଲ୍ୟର ଡ୍ରୋନ୍ ଜରିଆରେ କୋଟିକୋଟି ଟଙ୍କାର ଏହି ପ୍ରତିରକ୍ଷା ବ୍ୟବସ୍ଥାକୁ ଟାର୍ଗେଟ୍ କରାଯିବା ସାମରିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ, ଏହି ଆକ୍ରମଣକୁ କୁଏତ୍ ସରକାର ଅତ୍ୟନ୍ତ କଡ଼ା ଭାଷାରେ ନିନ୍ଦା କରିଛନ୍ତି। କୁଏତ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ ଆମେରିକୀୟ ଘାଟିର ନାମ ସିଧାସଳଖ ଉଲ୍ଲେଖ କରାଯାଇ ନଥିଲେ ମଧ୍ୟ, ଏହାକୁ ଦେଶର ସାର୍ବଭୌମତ୍ୱ ଏବଂ ସୁରକ୍ଷା ପ୍ରତି ସିଧାସଳଖ ଆକ୍ରମଣ ବୋଲି କୁହାଯାଇଛି। ଏହା ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂଘ ଚାର୍ଟରର ଏକ ଗମ୍ଭୀର ଉଲ୍ଲଂଘନ ବୋଲି କୁଏତ୍ ସ୍ପଷ୍ଟ କରିଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଏହି ତିକ୍ତତାକୁ କମ କରିବା ପାଇଁ କୁଏତ୍ ପୂର୍ବରୁ ମଧ୍ୟସ୍ଥତା କରୁଥିବା ବେଳେ ବର୍ତ୍ତମାନ ଏଭଳି ଆକ୍ରମଣର ଶିକାର ହେବା ଦେଶର ସ୍ଥିରତା ପାଇଁ ଏକ ବଡ଼ ଚିନ୍ତାର କାରଣ ହୋଇଛି।
