ଉତ୍ତର ପ୍ରଦେଶ ପୁଲିସ ଉପରକୁ କେହି ଆଖି ଉଠାଇ ଦେଖିପାରିବେ ନାହିଁ: ଯୋଗୀ ଆଦିତ୍ୟନାଥ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଆଇନଶୃଙ୍ଖଳା ପରିସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଥିବା ଦାବି କରି ବର୍ତ୍ତମାନ ରାଜ୍ୟ ପୁଲିସକୁ କେହି ଚ୍ୟାଲେଞ୍ଜ କିମ୍ବା ଭୟଭୀତ କରିବାକୁ ସାହସ କରିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର କହିଛନ୍ତି। ‘ରାଇଜିଂ ଭାରତ ସମ୍ମିଳନୀ’ ରେ ଯୋଗୀ ପୂର୍ବତନ ସମାଜବାଦୀ ପାର୍ଟି ସରକାରର କାର୍ଯ୍ୟକାଳକୁ ତୀବ୍ର ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟି ଶାସନ ସମୟର ଏକ ଘଟଣାକୁ ମନେପକାଇ କହିଛନ୍ତି ଯେ, ସେତେବେଳେ ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ (ଡିଏସପି) ଙ୍କୁ ଏକ କାରର ବନେଟ୍ ଉପରେ ବସାଇ ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଚଲାଯାଇଥିଲା। କିନ୍ତୁ ଏବେ ସମୟ ବଦଳିଛି ଏବଂ ଉତ୍ତର ପ୍ରଦେଶ ପୁଲିସ ଉପରକୁ କେହି ଆଖି ଉଠାଇ ଦେଖିପାରିବେ ନାହିଁ ବୋଲି ସେ ଦୃଢ଼ତାର ସହ କହିଛନ୍ତି। ବର୍ତ୍ତମାନ ପୁଲିସ ବିନା କୌଣସି ଚାପ କିମ୍ବା ଭୟରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିପାରୁଛି।୨୦୧୭ ମସିହା ପୂର୍ବରୁ ସମାଜବାଦୀ ପାର୍ଟି ସରକାର ସମୟରେ ରାଜ୍ୟରେ ଦଙ୍ଗା ଏକ ସାଧାରଣ ଘଟଣାରେ ପରିଣତ ହୋଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟର ବିକାଶ ପାଇଁ ଅପରାଧୀ ଓ ମାଫିଆମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ଥିଲା ଏବଂ ବିଜେପି ସରକାର ବିକାଶ ପାଇଁ ମାଫିଆରାଜକୁ ସମ୍ପୂର୍ଣ୍ଣ ଦମନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଶାସନର ଏହି କଠୋର ଆଭିମୁଖ୍ୟ ଯୋଗୁଁ ଉତ୍ତର ପ୍ରଦେଶର ଆଇନଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆସିବା ସହ ସୁଶାସନ ପ୍ରତିଷ୍ଠା ହୋଇପାରିଛି ବୋଲି ସେ ମତ ଦେଇଛନ୍ତି।

