ଲତିଫ ଭଟ୍ର ଏନକାଉଣ୍ଟର ପରେ ସୁରକ୍ଷାବଳଙ୍କୁ ଅମିତ ଶାହଙ୍କ ପ୍ରଶଂସା
ଶ୍ରୀନଗର :ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସୁରକ୍ଷାବଳଙ୍କୁ ମିଳିଛି ବଡ଼ ସଫଳତା। କୁଲଗାମରେ ଏକ ଏନକାଉଣ୍ଟରରେ ଲସ୍କର-ଏ-ତୈବାର କମାଣ୍ଡର ଲତିଫ ଭଟ୍ ନିହତ ହୋଇଛି। ଏହି ସଫଳ ଅପରେସନ୍ ପରେ ସୁରକ୍ଷାବଳଙ୍କ ସାହସ ଓ ମିଳିତ ରଣନୀତିକୁ ସଲାମ୍ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଅନ୍ୟପଟେ CRPF ମହାନିର୍ଦ୍ଦେଶକ ଜି.ପି. ସିଂହଙ୍କ ଏକ ପୋଷ୍ଟ ଏବେ ଚର୍ଚ୍ଚାରେ ରହିଛି। ବୁଧବାର ସୋସିଆଲ ମିଡିଆରେ ପୋଷ୍ଟ କରି ଅମିତ ଶାହ ସୁରକ୍ଷାବଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଜମ୍ମୁ-କାଶ୍ମୀର ପୋଲିସ, ଭାରତୀୟ ସେନା, CRPF ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକର ଉତ୍ତମ ସମନ୍ୱୟରେ କୁଲଗାମରେ ଏହି ଅପରେସନ୍ ସଫଳ ହୋଇଛି। ଏଥିରେ ଲସ୍କର-ଇ-ତୋଇବାର ସ୍ଥାନୀୟ ସକ୍ରିୟ ଆତଙ୍କବାଦୀ ଲତିଫ ଭଟ୍ ନିହତ ହୋଇଛି। ସେ ଆହୁରି କହିଛନ୍ତି, ଏହାର ଗୋଟିଏ ଦିନ ପୂର୍ବରୁ କୁଲଗାମରେ ଲତିଫର ଜଣେ ସହଯୋଗୀ ଆତଙ୍କବାଦୀ ଉମର ନିସାରକୁ ମଧ୍ୟ ନିପାତ କରାଯାଇଥିଲା। ପୂରା ଅପରେସନ୍ ସୁରକ୍ଷାବଳଙ୍କ ମଧ୍ୟରେ ଉତ୍କୃଷ୍ଟ ସମନ୍ୱୟ ଦେଖିବାକୁ ମିଳିଛି। ଦେଶ ଜମ୍ମୁ-କାଶ୍ମୀର ପୋଲିସ, ସେନା, CRPF ଓ ଗୁଇନ୍ଦା ସଂସ୍ଥାର ସାହସୀ ଯବାନମାନଙ୍କୁ ସଲାମ୍ କରୁଛି।
