ଦିଲ୍ଲୀ-ଏନ୍ସିଆର୍ରେ ଚିନ୍ତା ବଢ଼ାଇଛି ପ୍ରଦୂଷଣ
ନୂଆଦିଲ୍ଲୀ: ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍)ରେ ପ୍ରଦୂଷଣ ସମସ୍ୟା ଚିନ୍ତା ବଢାଇ ଚାଲିଛି। ବାୟୁ ଗୁଣବତ୍ତା ହ୍ରାସ ପାଉଥିବାରୁ ଗ୍ରାପ୍ (ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍)-୩ କଟକଣା ଲାଗୁ ହୋଇଛି। ତେବେ ଗ୍ରାପ୍ -୩ କଟକଣା ସତ୍ତ୍ବେ ପ୍ରଦଷଣରୁ ଆଶ୍ବସ୍ତି ମିଳିନାହିଁ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ତଥ୍ୟ ଅନୁଯାୟୀ ବୁଧବାର ସକାଳେ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୯୯ ରହିଥିଲା। ଏହା ଖରାପ ଶ୍ରେଣୀରେ ଆସୁଥିଲା। ଗୁରୁଗ୍ରାମରେ ୨୯୫ ଓ ନୋଏଡାରେ ୨୭୬ ରେକର୍ଡ଼ କରିଯାଇଥିଲା। ରାଜଧାନୀ ବିଭିନ୍ନ ଅଞ୍ଚଳରେ ପ୍ରଦୂଷଣ ସ୍ତର ଅଲଗା ଅଲଗା ରହିଛି। ଇଣ୍ଡିଆ ଗେଟ୍ ପାଖରେ ଏକ୍ୟୁଆଇ ୨୪୨ ରହିଛି। ଆନନ୍ଦ ବିହାରରେ ଏହା ୩୦୩ ରେକର୍ଡ଼ କରାଯାଇଛି। ଆନନ୍ଦ ବିହାରର ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ରେକର୍ଡ଼ କରାଯାଇଛି। ନୋଏଡା ଓ ଗୁରୁଗ୍ରାମରେ ମଧ୍ୟ ପ୍ରଦୂଷଣରୁ ଆଶ୍ବସ୍ତି ମିଳିନାହିଁ। ଆଜି ସକାଳର ତଥ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଦୀପାବଳି ପରେ ଜାତୀୟ ରାଜଧାନୀରେ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବାରେ ଲାଗିଛି, ପଡ଼ୋଶୀ ରାଜ୍ୟଗୁଡ଼ିକରେ ନଡ଼ା ଜାଳିବା ମଧ୍ୟ ବାୟୁ ଗୁଣବତ୍ତା ହ୍ରାସ କରିବାରେ ସହାୟକ ହେଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଦିଲ୍ଲୀରେ କୁହୁଡ଼ି ହେବା ନେଇ ଆକଳନ କରିଛି।

