ଲଘୁଚାପ ନୁହେଁ, ଡ୍ରେନେଜ-ଜଳସମ୍ପଦ ବିଭାଗର ନିଦ୍ରାରେ ଉଜୁଡିଲା ଶହ ଶହ ଏକର।
1 min read

ଲଘୁଚାପ ନୁହେଁ, ଡ୍ରେନେଜ-ଜଳସମ୍ପଦ ବିଭାଗର ନିଦ୍ରାରେ ଉଜୁଡିଲା ଶହ ଶହ ଏକର।

ଅସ୍ତରଙ୍ଗ, ୨୭/୦୭: ଲଘୁଚାପ ଆସିଲା, ବର୍ଷା ହେଲା। ଆଉ ପୁରୀ ଜିଲ୍ଲା ଅସ୍ତରଙ୍ଗର ଚାଷୀଙ୍କ କପାଳ ଫାଟିଲା। କାରଣ ଚାରି ଆଡେ ଧାନ କ୍ଷେତ ନୁହେଁ, ଦେଖିଲେ ଲାଗୁଛି ଯେମିତି ନୂଆ ନଈ ବହୁଛି। ଧାନ କ୍ଷେତ ସୃଷ୍ଟି କରୁଛି ନଈର ଭ୍ରମ  – ଏହା ପ୍ରକୃତିର ଦୋଷ ନୁହେଁ, ଏହା ବିଭାଗର ଅବହେଳାର ପ୍ରମାଣ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ୧୫ ଟି ପଂଚାୟତ  ଅଧୀନ ବିଭିନ୍ନ ଗାଁ ଶିଶୁଅ, କୋରଣା, ଇନାୟିତିପୁର, ବେଳଙ୍ଗ, ବଡସିରେଇ, ନଗର, ଝାଡଲିଙ୍ଗ ସମେତ ସବୁ ଠାରେ ସମାନ ଚିତ୍ର। ୨ ରୁ ୩ ଫୁଟ୍ ପାଣି ତଳେ ଧାନ ତଳି। କିଛି ଦିନ ତଳେ ରୁଆଁ ହୋଇଥିବା ଧାନ ଏବେ ପଚି ପଚି ଗନ୍ଧ ହେଉଛି। ଶହ ଶହ ଏକର ଚାଷ ଉଜୁଡି ଗଲାଣି। କୋରଣା ଗାଁର ଚାଷୀ କବିରାଜ ସ୍ୱାଇଁ କହିଛନ୍ତି “ସମବାୟରୁ ଲୋନ୍ ଆଣିଲୁ। ବର୍ଷା ଆସି ସବୁ ଖାଇଦେଲା। ଏବେ ଲୋନ୍ ସୁଝିବୁ କିପରି? ପିଲାଙ୍କୁ ଖୁଆଇବୁ କିପରି?” ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ବିଭାଗରେ କେହି ନାହାନ୍ତି।

ସବୁଠୁ ବଡ ତାମାସା ହେଉଛି, ଡ୍ରେନେଜ ବିଭାଗ ଓ ଜଳସମ୍ପଦ ବିଭାଗ। ବର୍ଷା ଆସିବା ଆଗରୁ ପାଟନାଳୀ ଓ କେନାଲ ସଫେଇ ହେବା କଥା। କିନ୍ତୁ ସେମାନେ କରିଛନ୍ତି କଣ? କାଗଜରେ ସଫେଇ, ଫାଇଲରେ ବିଲ୍, ଆଉ ଜମିରେ ଘାସ। ଫଳରେ ଅଳ୍ପ ବର୍ଷାରେ ପାଣି ନିଷ୍କାସନ ହୋଇପାରୁନି। ପାଣି ଜମି ରହି ଚାଷୀଙ୍କ ଭାଗ୍ୟ ବୁଡାଇ ଦେଉଛି।

ଏହା କି ପ୍ରଥମ ଥର? ପ୍ରତିବର୍ଷ ବର୍ଷା ଆସିଲେ ଚାଷୀ ବୁଡନ୍ତି, ଆଉ ବିଭାଗୀୟ ଅଧିକାରୀ ଏସି ରୁମରେ ବସି “ପରିସ୍ଥିତି ଉପରେ ନଜର” ରଖନ୍ତି। ଖାଲି ଧାନ ନୁହେଁ, ଖଣ୍ଡାସାହି, ଓସ୍ତପୁର, ଓସିଆ ଓ “ପରିବା ଝୁଡି” ନାଁରେ ଖ୍ୟାତ ବେଗୁନିଆବସ୍ତ ଅଂଚଳର ପନିପରିବା ଚାଷ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ। ଚାଷୀଙ୍କ ପକେଟ୍ ଖାଲି ହେଲା, ଆଉ ସାଧାରଣ ଲୋକଙ୍କ ରୋଷେଇ ଘରେ ନିଆଁ ଲାଗିଲା। ସାପ୍ତାହିକ ହାଟରେ ପନିପରିବା ଦର ଆକାଶ ଛୁଇଁଲାଣି। ବିଭାଗ ଶୋଇଲେ, ଜନତା କଷ୍ଟ ପାଇଲେ। ଅନେକ ଗାଁରେ ରାସ୍ତା ଉପରେ ଆଣ୍ଠୁଏ ପାଣି। ଅଳ୍ପ ବର୍ଷା ହେଲେ ବି ପାଣି ଜମେ। ଦିନ ଦିନ ଧରି ଜମି ରହି ଦୁର୍ଗନ୍ଧ ହେଉଛି। ପିଲା ସ୍କୁଲ ଯାଇପାରୁନି, ରୋଗୀ ଡାକ୍ତରଖାନା ଯାଇପାରୁନି। କିନ୍ତୁ ପ୍ରଶାସନର ବର୍ଷା ପାଗରେ ଅଫିସରେ ଘୁମେଇ ନିଦ ଭାଙ୍ଗୁନି।

ଚାଷୀମାନେ କହୁଛନ୍ତି – ତୁରନ୍ତ କ୍ଷତି ଆକଳନ କରି କ୍ଷତିପୂରଣ ଦିଅ, ନଚେତ ଆମେ ରାସ୍ତାକୁ ଓଲ୍ହାଇବୁ। ଡ୍ରେନେଜ ଓ ଜଳସମ୍ପଦ ବିଭାଗ ଯଦି ଏବେ ବି ନଜାଗେ, ତେବେ ଆଗାମୀ ଦିନରେ ଏହି ପାଣି ଚାଷୀଙ୍କ ଆଖିରୁ ନୁହେଁ, ବିଭାଗୀୟ ଅଫିସର କୁର୍ସି ତଳୁ ବହିବ।

 ଲଘୁଚାପ ବର୍ଷା ଆଣିଲା, କିନ୍ତୁ ଚାଷ ଉଜାଡିଲା ବିଭାଗର ନିଦ ଭାଙ୍ଗୁନି । ଏହା ପ୍ରାକୃତିକ ବିପର୍ଯ୍ୟୟ ନୁହେଁ, ଏହା ମାନବ ସୃଷ୍ଟ ବିପର୍ଯ୍ୟୟ ।

Leave a Reply

Your email address will not be published. Required fields are marked *