ରାଜ୍ୟର ମେଡିକାଲ କଲେଜ: ରୋଗୀ ବଢୁଛନ୍ତି, ସେବା ବଢୁନି
ଯାଜପୁର: ଯାଜପୁର ଜିଲ୍ଲାବାସୀଙ୍କୁ ନିଜ ଜିଲ୍ଲାରେ ଉନ୍ନତ ଚିକିତ୍ସା ସେବା ଯୋଗାଇବା ଲକ୍ଷ୍ୟରେ ମହାରାଜା ଯଯାତିକେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ଆରମ୍ଭ ହୋଇଛି। ହେଲେ ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥା ଆଗକୁ ବଢ଼ିଥିଲେ ମଧ୍ୟ ହସ୍ପିଟାଲ ସେବା ଏଯାଏ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହୋଇପାରିନାହିଁ। ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନେକ ବିଭାଗରେ ଆବଶ୍ୟକ ଡାକ୍ତର, ଅଧ୍ୟାପକ ଓ ଅନ୍ୟ ମାନବସମ୍ବଳ ଅଭାବ ଚିକିତ୍ସା ସେବାକୁ ପ୍ରଭାବିତ କରୁଛି। ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଥିଲେ ମଧ୍ୟ ରୋଗୀ ଆଡମିଶନ ବ୍ୟବସ୍ଥା ସବୁ କ୍ଷେତ୍ରରେ ସୁଚାରୁ ଭାବେ ଚାଲିପାରୁନାହିଁ। ଫଳରେ ଗୁରୁତର ରୋଗୀଙ୍କୁ ଏବେ ମଧ୍ୟ ଅନ୍ୟତ୍ର ରେଫର କରିବାକୁ ପଡୁଛି।
ମେଡିସିନ୍, ଚର୍ମ, ମାନସିକ ରୋଗ ଓ ସର୍ଜରୀ ଭଳି କିଛି ବିଭାଗରେ ଓପିଡି ସେବା ଚାଲୁଛି। ଅର୍ଥୋପେଡିକ୍ ବିଭାଗରେ ମୁଖ୍ୟତଃ ଅପରେସନ ଥିଏଟର ସେବା ଉପଲବ୍ଧ ରହିଛି। ଅନ୍ୟ କେତେକ ବିଭାଗରେ ଆବଶ୍ୟକ ଆଉଟ୍ଡୋର ସେବା ସମ୍ପୂର୍ଣ୍ଣ ଭାବେ ଚାଲୁ ହୋଇନଥିବା ଜଣାପଡ଼ିଛି। ଉନ୍ନତ ପାଥୋଲୋଜି ପରୀକ୍ଷା, ଏମ୍ଆର୍ଆଇ, ଡିଜିଟାଲ ଏକ୍ସ-ରେ, ବ୍ଲଡ୍ ବ୍ୟାଙ୍କ ଓ ଅନ୍ୟାନ୍ୟ ଆବଶ୍ୟକ ସେବା ମଧ୍ୟ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ନହେବାରୁ ରୋଗୀଙ୍କୁ ବାହାରର ସୁବିଧା ଉପରେ ନିର୍ଭର କରିବାକୁ ପଡୁଛି। ଏହାର ପ୍ରଭାବ ଗୁରୁତର ରୋଗୀଙ୍କ ଚିକିତ୍ସା ଓ ରେଫରାଲ୍ ବ୍ୟବସ୍ଥା ଉପରେ ପଡୁଛି।
ଅନ୍ୟପକ୍ଷରେ ଯାଜପୁର ଜିଲ୍ଲାର ମୁଖ୍ୟ ଚିକିତ୍ସା କେନ୍ଦ୍ର ଉପରେ ଏବେ ମଧ୍ୟ ରୋଗୀଙ୍କ ଚାପ ରହିଛି। ପ୍ରତିଦିନ ୨,୫୦୦ରୁ ଅଧିକ ରୋଗୀ ଜିଲ୍ଲା ହସ୍ପିଟାଲ ଉପରେ ନିର୍ଭର କରୁଥିବା ବେଳେ ମେଡିକାଲ କଲେଜ ପରିସରରେ ଆବଶ୍ୟକ ବିଭାଗ ଓ ସେବା ସମ୍ପୂର୍ଣ୍ଣ ଉପଲବ୍ଧ ନଥିବାରୁ ଅନେକ ଚିକିତ୍ସା ସେବା ପୁରୁଣା ବ୍ୟବସ୍ଥା ଉପରେ ନିର୍ଭରଶୀଳ ରହିଛି। ଏହା ଫଳରେ ନୂଆ ମେଡିକାଲ କଲେଜ ହେବା ସତ୍ତ୍ୱେ ରୋଗୀଙ୍କୁ ଆଶା କରାଯାଉଥିବା ସମସ୍ତ ଉନ୍ନତ ଚିକିତ୍ସା ସୁବିଧା ମିଳିପାରୁନାହିଁ।
ମେଡିକାଲ କଲେଜର ଶିକ୍ଷା ବ୍ୟବସ୍ଥାକୁ ଦେଖିଲେ ପ୍ରଥମ ଓ ଦ୍ୱିତୀୟ ବର୍ଷକୁ ମିଶାଇ ପ୍ରାୟ ୧୦୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ପଢୁଛନ୍ତି। ମେଡିକାଲ କଲେଜରେ ୨୧ଟି ବିଭାଗ ପାଇଁ ମୋଟ ୧୫୭ଟି ମଞ୍ଜୁରିପ୍ରାପ୍ତ ପଦ ରହିଛି। ହେଲେ ଏଥିରୁ ୬୯ଟି ପଦ ଖାଲି ପଡ଼ିଥିବାରୁ ଶିକ୍ଷାଦାନ ସହ ରୋଗୀସେବା ମଧ୍ୟ ପ୍ରଭାବିତ ହେଉଛି। ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ସିନିୟର ରେସିଡେଣ୍ଟଙ୍କ ଅନେକ ପଦ ପୂରଣ ହୋଇନାହିଁ।
ବାୟୋକେମିଷ୍ଟ୍ରି ବିଭାଗରେ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ପଦ ଖାଲି ରହିଥିବା ବେଳେ ଡର୍ମାଟୋଲୋଜି, ସାଇକିଆଟ୍ରି ଓ ଦନ୍ତ ବିଭାଗରେ ମଧ୍ୟ ଆବଶ୍ୟକ ଅଧ୍ୟାପକଙ୍କ ଅଭାବ ରହିଛି। ଆନାଟୋମି ବିଭାଗରେ ଦୁଇଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ଥିବା ବେଳେ ଫିଜିଓଲୋଜି ଓ ବାୟୋକେମିଷ୍ଟ୍ରିରେ ମଧ୍ୟ ଅଧ୍ୟାପକ ପଦ ଖାଲି ରହିଛି। ପାଥୋଲୋଜି ବିଭାଗରେ ମଧ୍ୟ ଆବଶ୍ୟକ ଆସିଷ୍ଟାଣ୍ଟ ପ୍ରଫେସର ନଥିବାରୁ ଶିକ୍ଷାଦାନ ଉପରେ ପ୍ରଭାବ ପଡୁଥିବା ଅଭିଯୋଗ ରହିଛି।
ମେଡିକାଲ କଲେଜର ପ୍ରଥମ ବ୍ୟାଚ୍ ଏଯାଏ ଶିକ୍ଷା ସମାପ୍ତ କରିନଥିବାରୁ ହାଉସ୍ ସର୍ଜନ ଭଳି ଆବଶ୍ୟକ ମାନବସମ୍ବଳ ମଧ୍ୟ ଉପଲବ୍ଧ ହୋଇନାହିଁ। ଜୁନିୟର ରେସିଡେଣ୍ଟ ପଦରେ ମଧ୍ୟ ଅଭାବ ରହିଛି। ଫଳରେ ରୋଗୀଙ୍କ ଚିକିତ୍ସାରେ ମେଡିକାଲ ଛାତ୍ରଛାତ୍ରୀଙ୍କ ଭୂମିକା ଓ ଉପଲବ୍ଧ ଡାକ୍ତରୀ ମାନବସମ୍ବଳ ଉପରେ ଅଧିକ ଚାପ ପଡୁଛି।
ମେଡିକାଲ କଲେଜରେ ୫୦ଟି ଏମ୍ବିବିଏସ୍ ସିଟ୍ରେ ଶିକ୍ଷାଦାନ ଚାଲିଥିବା ଏବଂ ଶିକ୍ଷାଦାନ ସହ ରୋଗୀସେବାକୁ ସମନ୍ୱୟ କରିବା ପାଇଁ ପ୍ରୟାସ ଜାରି ରହିଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି। ତେବେ ଆବଶ୍ୟକ ଅଧ୍ୟାପକ ଓ ମାନବସମ୍ବଳର ଅଭାବ ଉଭୟ ଶିକ୍ଷାଦାନ ଓ ରୋଗୀସେବାକୁ ପ୍ରଭାବିତ କରୁଥିବା କଥା ମଧ୍ୟ ସ୍ୱୀକାର କରାଯାଇଛି।
ଯାଜପୁରରେ ମେଡିକାଲ କଲେଜ ଓ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉନ୍ନତ ଚିକିତ୍ସା ସେବା ମିଳିବା ନେଇ ଆଶା ସୃଷ୍ଟି ହୋଇଥିଲା। ହେଲେ ଆବଶ୍ୟକ ବିଭାଗ, ଡାକ୍ତର, ଅଧ୍ୟାପକ ଓ ଅନ୍ୟ ମାନବସମ୍ବଳ ପୂରଣ ନହେବା ପର୍ଯ୍ୟନ୍ତ ମେଡିକାଲ କଲେଜର ସମ୍ପୂର୍ଣ୍ଣ ସେବା ମିଳିବା କଷ୍ଟକର ବୋଲି ଆଲୋଚନା ହେଉଛି। ତେଣୁ ଖାଲି ପଡ଼ିଥିବା ପଦଗୁଡ଼ିକ ତୁରନ୍ତ ପୂରଣ କରିବା ସହ ଆବଶ୍ୟକ ଚିକିତ୍ସା ସୁବିଧା ଓ ବିଭାଗଗୁଡ଼ିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଯାଜପୁରବାସୀ ଦାବି କରିଛନ୍ତି।
