୭୦୦ ମିଟର ତଳକୁ ଖସିଲା ଯାତ୍ରୀବାହୀ ଗାଡ଼ି; ୧୦ ମୃତ, ୫ ଆହତ
କାଠମାଣ୍ଡୁ: ନେପାଳର ପାହାଡ଼ିଆ ରାସ୍ତାରେ ଗୁରୁବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ଗାଡ଼ିଟି ରାସ୍ତାରୁ ନିୟନ୍ତ୍ରଣ ହରାଇ ପ୍ରାୟ ୭୦୦ ମିଟର ତଳକୁ ଖସିପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନେପାଳର ମକୱାନପୁର ଜିଲ୍ଲା ଅନ୍ତର୍ଗତ ଭିମଫେଦି ଅଞ୍ଚଳର ଚିସାପାନି ଗଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିଟି କାଠମାଣ୍ଡୁରୁ ସରଲାହି ଅଭିମୁଖେ ଯାଉଥିବାବେଳେ ପାହାଡ଼ିଆ ରାସ୍ତାରେ ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିପଡ଼ିଥିଲା। ଏଥିରେ ମୋଟ ୧୫ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ପୁଲିସ ଓ ସୁରକ୍ଷାକର୍ମୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ନେପାଳରେ ଏବେ ତିହାର ପର୍ବ ପାଳନ ହେଉଥିବାରୁ ଅନେକ ଲୋକ ନିଜ ଘରକୁ ଯାତ୍ରା କରୁଛନ୍ତି। ଏହି ସମୟରେ ଏଭଳି ଦୁର୍ଘଟଣା ଦେଶରେ ଶୋକର ଛାୟା ଖେଳାଇ ଦେଇଛି।
