ପୁରୀରେ ଶୌଚାଳୟ ଅବ୍ୟବସ୍ଥା, ପର୍ଯ୍ୟଟକ ହନ୍ତସନ୍ତ
ପୁରୀ: ଅବ୍ୟବସ୍ଥା ଓ ପରିଚାଳନାଗତ ତ୍ରୁଟି ଯୋଗୁ ପୁରୀ ସହରର ଅଧିକାଂଶ ଶୌଚାଳୟ ଏବେ ଅଚଳ ଅବସ୍ଥାରେ ରହିଛି। ଫଳରେ ଶ୍ରୀଜଗନ୍ନାଥ ଧାମକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଅସୁବିଧାରେ ପଡ଼ୁଛନ୍ତି। ବଡ଼ଦାଣ୍ଡ, ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ବେଳାଭୂମି ଅଞ୍ଚଳରେ ଥିବା ଅନେକ ଶୌଚାଳୟରେ ତାଲା ଝୁଲୁଥିବା ବେଳେ କେତେକ ସ୍ଥାନରେ ନିୟମିତ ସଫେଇ ହେଉନଥିବା ଅଭିଯୋଗ ହୋଇଛି।
ବେଳାଭୂମି ଅଞ୍ଚଳରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ନିର୍ମିତ କିଛି ଶୌଚାଳୟ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ରହିଛି। ପୁରୀ ସହର ଓ ଆଖପାଖ ଅଞ୍ଚଳରେ ଥିବା ୩୨ଟି ଶୌଚାଳୟ ମଧ୍ୟରୁ ଅନେକ ଅଚଳ ହୋଇପଡ଼ିଥିବାରୁ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ପର୍ଯ୍ୟଟନ ସହର ପୁରୀରେ ପର୍ଯ୍ୟାପ୍ତ ଓ ପରିଷ୍କାର ଶୌଚାଳୟ ବ୍ୟବସ୍ଥା ସହ ଅଚଳ ଶୌଚାଳୟଗୁଡ଼ିକର ତୁରନ୍ତ ମରାମତି ଓ ନିୟମିତ ସଫେଇ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
