ରିୟଲ-ଇଷ୍ଟେଟ୍ ଦୁର୍ନୀତି ମାମଲା: ପୂର୍ବତନ ହରିୟାଣା ମନ୍ତ୍ରୀ ଗୋପାଳ କାଣ୍ଡାଙ୍କ ଠିକଣାରେ ଇଡି ଚଢ଼ାଉ
1 min read

ରିୟଲ-ଇଷ୍ଟେଟ୍ ଦୁର୍ନୀତି ମାମଲା: ପୂର୍ବତନ ହରିୟାଣା ମନ୍ତ୍ରୀ ଗୋପାଳ କାଣ୍ଡାଙ୍କ ଠିକଣାରେ ଇଡି ଚଢ଼ାଉ

ନୂଆଦିଲ୍ଲୀ: ରିୟଲ-ଇଷ୍ଟେଟ୍ ଅନିୟମିତତା ମାମଲାରେ ହରିୟାଣା ଲୋକହିତ ପାର୍ଟି ନେତା ତଥା ବ୍ୟବସାୟୀ ଗୋପାଳ କାଣ୍ଡାଙ୍କ ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଚଢ଼ାଉ କରିଛି। ଗୁରୁଗ୍ରାମରେ ଥିବା କାଣ୍ଡାଙ୍କ ବାସଭବନ, ଫାର୍ମହାଉସ୍ ଓ ଅଫିସ୍ ପରିସରରେ ଏହି ତଲାସି ଚାଲିଥିବା ଜଣାପଡ଼ିଛି।

ଜଣେ ଇଡି ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭାଟିକା ଲିମିଟେଡ୍‌ ବିରୋଧରେ ଏକ ବଡ଼ ରିୟଲ-ଇଷ୍ଟେଟ୍ ଠକେଇ ସମ୍ପର୍କିତ ମାମଲାର ତଦନ୍ତ ଚାଲିଛି। ତଦନ୍ତ ଅଧୀନରେ ଥିବା ୪ଟି ପ୍ରକଳ୍ପରେ ୬୬୧ ଜଣ ନିବେଶକଙ୍କଠାରୁ ପ୍ରାୟ ୨୪୮.୪୬ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ଅଭିଯୋଗ ରହିଛି। ତେବେ ଏପର୍ଯ୍ୟନ୍ତ ନିବେଶକଙ୍କୁ ମାଲିକାନା ହସ୍ତାନ୍ତର କରାଯାଇନଥିବା କିମ୍ବା ପ୍ରତିଶ୍ରୁତି ଅନୁଯାୟୀ ସେଲ୍‌ ଡିଡ୍‌ କାର୍ଯ୍ୟକାରୀ ହୋଇନଥିବା ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି।

ଘର କ୍ରେତାଙ୍କଠାରୁ ସଂଗ୍ରହ ହୋଇଥିବା ପାଣ୍ଠି ଅନ୍ୟତ୍ର ବ୍ୟବହାର କରାଯାଇଥିବା ସନ୍ଦେହରେ ଇଡି ଏହି ତଦନ୍ତ କରୁଛି। ତଦନ୍ତ ସମୟରେ ଏହି ପାଣ୍ଠି ପରବର୍ତ୍ତୀ ସମୟରେ ଗୋପାଳ କାଣ୍ଡାଙ୍କ ସହ ଜଡ଼ିତ ବିଭିନ୍ନ କମ୍ପାନୀକୁ ସ୍ଥାନାନ୍ତର ହୋଇଥିବା ତଥ୍ୟ ସାମ୍ନାକୁ ଆସିଥିବା ଅଧିକାରୀ ଜଣକ କହିଛନ୍ତି।

ଏହି ମାମଲାରେ ଇଡି ପକ୍ଷରୁ ଚଢ଼ାଉ ଜାରି ରହିଥିବାବେଳେ, ତଦନ୍ତ ସମ୍ପର୍କିତ ବିସ୍ତୃତ ତଥ୍ୟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ। କାଣ୍ଡାଙ୍କ ଓକିଲ ଆଡଭୋକେଟ୍ ଅରୁଣ ଖତ୍ରୀ କହିଛନ୍ତି ଯେ ସେମାନେ ବର୍ତ୍ତମାନ ଇଡି ମାମଲାର ବିବରଣୀ ଜାଣିବାକୁ ଚେଷ୍ଟା କରୁଛନ୍ତି।

ଗୋପାଳ କାଣ୍ଡା ପୂର୍ବରୁ ହରିୟାଣାର ମନ୍ତ୍ରୀ ଓ ବିଧାୟକ ଭାବେ ଦାୟିତ୍ୱ ତୁଲାଇଛନ୍ତି। ୨୦୨୪ ହରିୟାଣା ବିଧାନସଭା ନିର୍ବାଚନରେ ସିର୍ସା ଆସନରୁ ସେ କଂଗ୍ରେସ ପ୍ରାର୍ଥୀ ଗୋକୁଲ ସେଟିଆଙ୍କଠାରୁ ପରାଜିତ ହୋଇଥିଲେ।

Leave a Reply

Your email address will not be published. Required fields are marked *