ଭୂତକୋଠି ପାଲଟିଛି ରାଜ୍ୟର ଦ୍ୱିତୀୟ ଶୀତଳଭଣ୍ଡାର: ଝାଳବୁହା ଚାଷର ମିଳୁନି ଉଚିତ ମୂଲ୍ୟ
1 min read

ଭୂତକୋଠି ପାଲଟିଛି ରାଜ୍ୟର ଦ୍ୱିତୀୟ ଶୀତଳଭଣ୍ଡାର: ଝାଳବୁହା ଚାଷର ମିଳୁନି ଉଚିତ ମୂଲ୍ୟ

ରାଉରକେଲା: ଚାଷୀଙ୍କ ଉତ୍ପାଦିତ ପନିପରିବାର ଅଭାବୀ ବିକ୍ରି ରୋକିବା ପାଇଁ ସୁନ୍ଦରଗଡ଼ର କୁଆରମୁଣ୍ଡା ବ୍ଲକରେ ସ୍ଥାପିତ ହୋଇଥିଲା ରାଜ୍ୟର ଦ୍ୱିତୀୟ ଶୀତଳଭଣ୍ଡାର। ହେଲେ ଏବେ ଏହାର ଅବସ୍ଥା ଶୋଚନୀୟ। ଡାଏରି ଫାର୍ମ ନିକଟ ପ୍ରାୟ ୨ ଏକର ଜମିରେ ଉଦ୍ୟାନକୃଷି ବିଭାଗ ପକ୍ଷରୁ ନିର୍ମିତ ଶୀତଳଭଣ୍ଡାରର ଭୂତକୋଠି ପାଲଟିଛି।

ଏଠାରେ ଥିବା ବିଭିନ୍ନ ଯନ୍ତ୍ରପାତିକୁ ଖଣ୍ଡଖଣ୍ଡ କରି କେତେକ ଦୁର୍ବୃତ୍ତ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଗୋଦାମ ଗୃହର ଝରକା, କବାଟ ଏପରିକି ଟାଇଲ୍‌ ଚଟାଣକୁ ମଧ୍ୟ ତାଡ଼ି ନିଆଯାଇଛି। କେବଳ କେତୋଟି ଭଙ୍ଗାଦଦରା ଘର ଏବେ ସେଠାରେ ରହିଛି। ଚତୁଃପାର୍ଶ୍ୱ ମଧ୍ୟ ଜଙ୍ଗଲରେ ପରିଣତ ହୋଇଛି।

ପନିପରିବା ଉତ୍ପାଦନକୁ ବଢ଼ାଇବା ଏବଂ ଚାଷୀଙ୍କୁ ବଜାର ସୁବିଧା ଦେବା ପାଇଁ ଏହି ସ୍ଥାନରେ ନୂଆ ଶୀତଳଭଣ୍ଡାର ନିର୍ମାଣ କରିବାକୁ ଅନେକଥର ଯୋଜନା ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ। ଗତ ପ୍ରାୟ ୮ ବର୍ଷ ମଧ୍ୟରେ ଜଣକ ପରେ ଜଣେ ସହକାରୀ କୃଷି ଉଦ୍ୟାନ ନିର୍ଦ୍ଦେଶକ କୁଆରମୁଣ୍ଡା ଶୀତଳଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବିଭାଗୀୟ ଅଧିକାରୀମାନେ କୁଆରମୁଣ୍ଡାରେ ୧୨ ହଜାର ଟନ୍‌ କ୍ଷମତାବିଶିଷ୍ଟ ଶୀତଳଭଣ୍ଡାର ସ୍ଥାପନ ପାଇଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ।

ଶୀତଳଭଣ୍ଡାର ନଥିବାରୁ କୁଆରମୁଣ୍ଡା ସହ ସୁନ୍ଦରଗଡ଼ ଓ ପଡ଼ୋଶୀ ଝାଡ଼ଖଣ୍ଡର ପନିପରିବା ଚାଷୀମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି। ରାଜ୍ୟ ଓ ବାହାର ବଜାରରେ ଚାହିଦା ଥିବା ନୂଆଗାଁ ଅଞ୍ଚଳର ଚାଷୀଙ୍କ ପନିପରିବା ମଧ୍ୟ ଶୀତଳଭଣ୍ଡାରରେ ସଂରକ୍ଷିତ ହୋଇପାରୁନାହିଁ।

ଫଳରେ ଶୀତଳଭଣ୍ଡାର ଅଭାବରେ ଚାଷୀମାନେ ପ୍ରତିବର୍ଷ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଝାଳବୁହା ପରିଶ୍ରମ କରି ହଜାର ହଜାର କ୍ୱିଣ୍ଟାଲ୍‌ ପନିପରିବା ଉତ୍ପାଦନ କରୁଥିଲେ ମଧ୍ୟ ଉଚିତ ମୂଲ୍ୟ ପାଉନାହାନ୍ତି।

ପୂର୍ବ ସରକାରଙ୍କ ସମୟରେ ନୂଆଗାଁ ଚାଷୀଙ୍କ ପ୍ରତି ତତ୍ପରତା ଦେଖାଯାଇଥିଲା। ଶୀତଳଭଣ୍ଡାର ପାଇଁ ପ୍ରାୟ ୪ ଏକରରୁ ଅଧିକ ଜମିରେ ପାଚେରି ନିର୍ମାଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗୋଦାମ ନିର୍ମାଣ ହୋଇନାହିଁ କିମ୍ବା ଶୀତଳଭଣ୍ଡାର ମେସିନ୍‌ ବସିପାରିନାହିଁ।

ଚାଷୀ ଓ ସ୍ଥାନୀୟ ନେତାମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରକଳ୍ପଟି ପାଚେରି ମଧ୍ୟରେ ସୀମିତ ରହିଛି। ଫଳରେ ବିଶ୍ରା, ଲାଠିକଟା, କୁଆରମୁଣ୍ଡା, ରାଜଗାଙ୍ଗପୁର ଆଦି ବ୍ଲକର ପନିପରିବା ଚାଷୀମାନେ ସମାନ ସମସ୍ୟା ଭୋଗୁଛନ୍ତି।

ତତ୍କାଳୀନ କୃଷି ଉଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ ଡି. ପଟେଲଙ୍କ କହିବାନୁସାରେ, କୁଆରମୁଣ୍ଡାରେ ଉଦ୍ୟାନ ବିଭାଗର ୨ ଏକର ଜମିରେ ନୂଆ ଶୀତଳଭଣ୍ଡାର ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ୫ରୁ ୧୨ ହଜାର ଟନ୍‌ କ୍ଷମତାବିଶିଷ୍ଟ ଶୀତଳଭଣ୍ଡାର ନିର୍ମାଣ ହେଲେ ଏହା ବ୍ୟବସାୟିକ ଦୃଷ୍ଟିରୁ କାର୍ଯ୍ୟକ୍ଷମ ହୋଇପାରିବ।

ଶୀତଳଭଣ୍ଡାର ନିର୍ମାଣ ହେଲେ ଚାଷୀମାନେ ଉତ୍ପାଦିତ ପନିପରିବାକୁ ସଂରକ୍ଷଣ କରି ଉଚିତ ସମୟରେ ବଜାରକୁ ଆଣିପାରିବେ। ଏହା ଅଭାବୀ ବିକ୍ରି ହ୍ରାସ କରିବା ସହ ଚାଷୀଙ୍କ ଆୟ ବଢ଼ାଇବାରେ ସହାୟକ ହୋଇପାରେ।

Leave a Reply

Your email address will not be published. Required fields are marked *