ମୁମ୍ବାଇ, ୧୧ା୭: ଆଜିକାଲି ବଦଳୁଥିବା ଜୀବନଶୈଳୀ ମଧ୍ୟରେ କ୍ୟାନ୍ସର (କର୍କଟ ରୋଗ)ର ପ୍ରାରମ୍ଭିକ ଚିହ୍ନଟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ନିକଟରେ ଦୁବାଇର ଏକ ପ୍ରସିଦ୍ଧ ‘ଲଞ୍ଜେଭିଟି କ୍ଲିନିକ୍’ (Longevity Clinic) ସାଧାରଣ ଲୋକଙ୍କୁ ସେମାନଙ୍କର ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷାରେ କ୍ୟାନ୍ସର ଚିହ୍ନଟ କରୁଥିବା କିଛି ବିଶେଷ ବ୍ଲଡ୍ ଟେଷ୍ଟ ବା ‘ଟ୍ୟୁମର୍ ମାର୍କର ଟେଷ୍ଟ’ (Tumour Marker Tests) ସାମିଲ କରିବାକୁ ପରାମର୍ଶ ଦେଇଛି। ଏହି ଟେଷ୍ଟଗୁଡ଼ିକ ମଧ୍ୟରେ CEA, CA-125, AFP, CA 19-9 ଏବଂ PSA ଭଳି ପରୀକ୍ଷା ସାମିଲ ଅଛି।
ତେବେ ପ୍ରଶ୍ନ ଉଠୁଛି, ଏହି ରକ୍ତ ପରୀକ୍ଷାଗୁଡ଼ିକ ପ୍ରକୃତରେ ଜଣେ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ସ୍କ୍ରିନିଂ ଟୁଲ୍ (Screening Tool) ଭାବରେ କାମ କରେ, ନା ଏହା ଲାଭ ବଦଳରେ କ୍ଷତି ଅଧିକ କରିଥାଏ?
ସୁସ୍ଥ ଲୋକଙ୍କ ପାଇଁ ଏହା ଆଦୌ ଜରୁରୀ ନୁହେଁ:
ଥାନେସ୍ଥିତ KIMS ହସ୍ପିଟାଲର ଜିଆଇ ଏବଂ ଏଚପିବି ଅନ୍କୋସର୍ଜରୀ (GI & HPB Oncosurgery) ପରାମର୍ଶଦାତା ଡକ୍ଟର ସାନେୟା ପାଣ୍ଡ୍ରୋୱାଲାଙ୍କ କହିବା ଅନୁଯାୟୀ, ସାଧାରଣ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷାରେ ଏହି ଟ୍ୟୁମର୍ ମାର୍କର ପରୀକ୍ଷା କରିବାକୁ ଆଦୌ ପରାମର୍ଶ ଦିଆଯାଏ ନାହିଁ। ସୁସ୍ଥ ଲୋକଙ୍କ ପାଇଁ ଏହାର କୌଣସି ଆବଶ୍ୟକତା ନାହିଁ ଏବଂ କେବଳ ନିର୍ଦ୍ଦିଷ୍ଟ ଚିକିତ୍ସା ପରିସ୍ଥିତିରେ ହିଁ ଡାକ୍ତରମାନେ ଏହାକୁ କରିବାକୁ କହିଥାନ୍ତି।
ଆନ୍ତର୍ଜାତୀୟ ଗାଇଡ୍ଲାଇନ୍ କଣ କହୁଛି?
ଡକ୍ଟର ସାନେୟା ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନର କୌଣସି ବି ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଗାଇଡ୍ଲାଇନ୍ (International Guidelines) ସାଧାରଣ ଜନସଂଖ୍ୟାରେ କ୍ୟାନ୍ସର ଚିହ୍ନଟ ପାଇଁ ଏହି ବ୍ଲଡ୍ ଟେଷ୍ଟଗୁଡ଼ିକୁ ବ୍ୟବହାର କରିବାକୁ ସମର୍ଥନ କରେନାହିଁ। ସାଧାରଣ ଲୋକଙ୍କ କ୍ଷେତ୍ରରେ ଏହି ଟେଷ୍ଟ ଦ୍ୱାରା କ୍ୟାନ୍ସର ଜନିତ ମୃତ୍ୟୁସଂଖ୍ୟା ହ୍ରାସ ପାଉଥିବାର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ।
ଲାଭ ଅପେକ୍ଷା କ୍ଷତି କାହିଁକି ଅଧିକ?
ବିଶେଷଜ୍ଞଙ୍କ ମତରେ, ଅନେକ ସମୟରେ କ୍ୟାନ୍ସର ନଥାଇ ମଧ୍ୟ ଶରୀରରେ ଅନ୍ୟ କୌଣସି ସାଧାରଣ ସମସ୍ୟା ଯୋଗୁଁ ଏହି ଟ୍ୟୁମର୍ ମାର୍କରଗୁଡ଼ିକର ସ୍ତର ବଢ଼ିଯାଇପାରେ। ଏହାକୁ ‘ଫଲ୍ସ ପଜିଟିଭ୍’ (False Positive) କୁହାଯାଏ। ଏହାଦ୍ୱାରା ସୁସ୍ଥ ବ୍ୟକ୍ତିଜଣକ ମାନସିକ ଚିନ୍ତା ଭୋଗିବା ସହ ଅଯଥାରେ ଅନେକ ଦାମୀ ଓ ଜଟିଳ ମେଡିକାଲ ପରୀକ୍ଷା କରିବାକୁ ବାଧ୍ୟ ହୋଇଥାନ୍ତି, ଯାହା ଶରୀର ଓ ପକେଟ୍ ଉପରେ ଚାପ ପକାଇଥାଏ।
ସୂଚନା: ଏହି ପ୍ରସଙ୍ଗଟି ସାଧାରଣ ଜନସେବା ଏବଂ ବିଶେଷଜ୍ଞଙ୍କ ମତ ଉପରେ ଆଧାରିତ। କୌଣସି ବି ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କିମ୍ବା ରୁଟିନ୍ ଆରମ୍ଭ କରିବା ପୂର୍ବରୁ ସର୍ବଦା ଜଣେ ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।








Leave a Reply