ଜି.ଉଦୟଗିରି: ନାରାରେ ଅଟକିଛି ବିକାଶ, ଗଡ଼ିଙ୍ଗିଆ ଗ୍ରାମକୁ ନାହିଁ ପକ୍କା ରାସ୍ତା
1 min read

ଜି.ଉଦୟଗିରି: ନାରାରେ ଅଟକିଛି ବିକାଶ, ଗଡ଼ିଙ୍ଗିଆ ଗ୍ରାମକୁ ନାହିଁ ପକ୍କା ରାସ୍ତା

ଜି.ଉଦୟଗିରି : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶର ଡିଣ୍ଡିମ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ଆଜି ବି ଏପରି ଗ୍ରାମ ସବୁ ରହିଛି, ଯେଉଁଠି ମୌଳିକ ସୁବିଧା ପହଞ୍ଚିପାରି ନାହିଁ। ଜି.ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ଗଡ଼ିଙ୍ଗିଆ ଗ୍ରାମ ଏହାର ଜ୍ୱଳନ୍ତ ଉଦାହରଣ। ପକ୍କା ରାସ୍ତାଟିଏ ନଥିବାରୁ ଜରୁରୀ ପରିସ୍ଥିତିରେ ରୋଗୀଙ୍କୁ ଖଟିଆରେ ବୋହି ନେବାକୁ ପଡ଼ୁଛି।

ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥାଇ ବି ବିଚ୍ଛିନ୍ନ

କଳିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଏବଂ ୧୫୭ ନମ୍ବର ଜାତୀୟ ରାଜପଥରୁ ୪ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମକୁ ପହଞ୍ଚିବା ପାଇଁ ଲୋକଙ୍କୁ ଚାଲିଚାଲି ଯିବାକୁ ପଡ଼ୁଛି। ଜଙ୍ଗଲ ଓ ପାହାଡ଼ ଘେରା ଏହି ଗ୍ରାମର ୩ଟି ସାହିରେ ୪୦ଟି ପରିବାରର ପ୍ରାୟ ୧୬୦ ଜଣ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି।

ଜଙ୍ଗଲଜାତ ଦ୍ରବ୍ୟ ଉପରେ ଜୀବିକା

ଗ୍ରାମବାସୀଙ୍କ ମୁଖ୍ୟ ଜୀବିକା ଚାଷ ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ। ପ୍ରତିଦିନ ଭୋରରୁ ଜଙ୍ଗଲରୁ କାଠ, ଶାଳ ଓ ଶିଆଳି ପତ୍ର ଆଣି ଖଲି-ଦନା ତିଆରି କରି ବିକ୍ରି କରିଥାନ୍ତି। ଏହା ସହିତ ଋତୁ ଅନୁସାରେ ମହୁଲ, ଶାଳ ମଞ୍ଜି, ତେନ୍ତୁଳି, ଆମ୍ବ ଓ ପଣସ ସଂଗ୍ରହ କରି ନିକଟସ୍ଥ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି।

ଯୋଜନା ଅଛି, ଫଳଶୂନ୍ୟ

ଆଜିର ମଣିଷ ଚନ୍ଦ୍ର ପୃଷ୍ଠରେ ରହିବାକୁ ଯୋଜନା କରୁଥିବା ବେଳେ ଗଡ଼ିଙ୍ଗିଆ ଗ୍ରାମବାସୀ ପ୍ରାଚୀନ ସମୟ ଭଳି ଜୀବନ ବିତାଉଛନ୍ତି। ପ୍ରତିବର୍ଷ ମନରେଗା (MGNREGS) ଯୋଜନାରେ ଲକ୍ଷାଧିକ ଟଙ୍କାର ଅନୁଦାନ ଆସୁଥିଲେ ହେଁ ରାସ୍ତା କାମ ନାଁରେ କେବଳ କଡ଼ରୁ ମାଟି କାଢ଼ି ରାସ୍ତାରେ ପକାଯାଉଛି। ବର୍ଷା ହେଲେ ସେହି ମାଟି ଧୋଇଯାଇ ରାସ୍ତା ପୂର୍ବପରି ହୋଇଯାଉଛି।

ବାରମ୍ବାର ଲିଖିତ ଆକାରରେ ପ୍ରଶାସନକୁ ଜଣାଇବା ସତ୍ତ୍ୱେ କୌଣସି ସ୍ଥାୟୀ ସମାଧାନ ହୋଇପାରି ନାହିଁ। ଗ୍ରାମକୁ ତୁରନ୍ତ ଏକ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *