ଆତ୍ମନିର୍ଭରତାକୁ ଆହୁରି ମଜବୁତ କରିବା ଲକ୍ଷ୍ୟ; ଶିଳ୍ପକୁ ମିଳିବ ଡିଆର୍‌ଡିଓ କ୍ଷେପଣାସ୍ତ୍ର ପ୍ରଯୁକ୍ତି
1 min read

ଆତ୍ମନିର୍ଭରତାକୁ ଆହୁରି ମଜବୁତ କରିବା ଲକ୍ଷ୍ୟ; ଶିଳ୍ପକୁ ମିଳିବ ଡିଆର୍‌ଡିଓ କ୍ଷେପଣାସ୍ତ୍ର ପ୍ରଯୁକ୍ତି

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍‌ଡିଓ ଦ୍ୱାରା ବିକଶିତ ସମସ୍ତ ପାରମ୍ପରିକ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଯୁକ୍ତି ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ହସ୍ତାନ୍ତର କରିବାକୁ ମଞ୍ଜୁରି ଦେଇଛନ୍ତି। ଫଳରେ ସେମାନେ ସେହି କ୍ଷେପଣାସ୍ତ୍ରର ଉତ୍ପାଦନ କରିପାରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି ପ୍ରଯୁକ୍ତି ହସ୍ତାନ୍ତର ପଦକ୍ଷେପ ଦ୍ୱାରା ଡିଆର୍‌ଡିଓର ଗବେଷଣା ଓ ବିକାଶ ପର୍ଯ୍ୟାୟରୁ କ୍ଷେପଣାସ୍ତ୍ର ପ୍ରଣାଳୀକୁ ବୃହତ୍ ଶିଳ୍ପ ଉତ୍ପାଦନ ପର୍ଯ୍ୟାୟକୁ ନେବା ସହଜ ହେବ।

ଏଥିପାଇଁ କମ୍ପାନୀଗୁଡ଼ିକୁ ନିର୍ଦ୍ଧାରିତ ଯୋଗ୍ୟତା, ପ୍ରମାଣୀକରଣ ଓ ନିୟାମକ ନିୟମ ପାଳନ କରିବାକୁ ପଡ଼ିବ।ଏହି ନିଷ୍ପତ୍ତି କେବଳ ବଡ଼ ପ୍ରତିରକ୍ଷା କମ୍ପାନି ନୁହେଁ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଏବଂ ଅନ୍ୟ ପ୍ରଯୁକ୍ତି ସହଯୋଗୀଙ୍କ ପାଇଁ ମଧ୍ୟ ନୂଆ ସୁଯୋଗ ସୃଷ୍ଟି କରିବ। କ୍ଷେପଣାସ୍ତ୍ର ଉତ୍ପାଦନ ସହ ଜଡ଼ିତ ଯୋଗାଣ ଶୃଙ୍ଖଳରେ ଅଧିକ ସଂଖ୍ୟକ ଭାରତୀୟ କମ୍ପାନି ସାମିଲ ହେବାର ସୁଯୋଗ ପାଇବେ। ଏହା ଦେଶର ପ୍ରତିରକ୍ଷା ଶିଳ୍ପ ଭିତ୍ତିକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ସରକାରଙ୍କ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଘରୋଇ ଉତ୍ପାଦନ କ୍ଷମତା ବୃଦ୍ଧି, ଉନ୍ନତ ପ୍ରତିରକ୍ଷା ପ୍ରଯୁକ୍ତିର ଘରୋଇ ଶିଳ୍ପ ମଧ୍ୟରେ ବ୍ୟାପକ ପ୍ରୟୋଗ, ଆମଦାନି ନିର୍ଭରତା ହ୍ରାସ ଏବଂ ଦେଶ ମଧ୍ୟରେ ଅଧିକ ମୂଲ୍ୟ ସଂଯୋଜନ କରିବା। ଏହା ଦ୍ୱାରା ଭାରତର ପ୍ରତିରକ୍ଷା କ୍ଷମତା ଓ ସ୍ୱଦେଶୀ ଉତ୍ପାଦନ ଭିତ୍ତି ଆହୁରି ମଜବୁତ ହେବ। ଭାରତ ସମ୍ପ୍ରତି ପ୍ରତିରକ୍ଷା ଉତ୍ପାଦନରେ ଦେଶୀୟ ଶିଳ୍ପର ଭୂମିକା ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛି। ଡିଆରଡିଓ ପୂର୍ବରୁ ବିଭିନ୍ନ ଭାରତୀୟ ଶିଳ୍ପ ସହ ପ୍ରଯୁକ୍ତି ହସ୍ତାନ୍ତର ଚୁକ୍ତି କରିଆସୁଥିବା ବେଳେ ସମସ୍ତ ପାରମ୍ପରିକ କ୍ଷେପଣାସ୍ତ୍ର ପ୍ରଣାଳୀ ପାଇଁ ଏଭଳି ବ୍ୟାପକ ଅନୁମୋଦନକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଡିଆରଡିଓ ୨୦୨୬ ମାର୍ଚ୍ଚ ସୁଦ୍ଧା ଶିଳ୍ପ ସହ ୨,୧୮୦ଟି ପ୍ରଯୁକ୍ତି ହସ୍ତାନ୍ତର ଚୁକ୍ତି କରିଥିଲା।

Leave a Reply

Your email address will not be published. Required fields are marked *