ଲୋକ ଦେଖି ମନଇଚ୍ଛା ଭଡା ଲୁଟୁଛନ୍ତି ଘରୋଇ ବସ୍, ପ୍ରଶାସନ ନିଦ୍ରାରେ
1 min read

ଲୋକ ଦେଖି ମନଇଚ୍ଛା ଭଡା ଲୁଟୁଛନ୍ତି ଘରୋଇ ବସ୍, ପ୍ରଶାସନ ନିଦ୍ରାରେ

ଅସ୍ତରଙ୍ଗ, ୨୮/୦୭: ପୁରୀ ଜିଲ୍ଲା କାକଟପୁର-ଅସ୍ତରଙ୍ଗରୁ ଭୁବନେଶ୍ୱର ଯିବା ମାନେ ଏବେ ଲୁଟ୍‌ର ଶିକାର ହେବା। ଘରୋଇ ବସ୍ ମାଲିକ ଓ କର୍ମଚାରୀମାନେ ଆଇନକୁ ବୃଦ୍ଧାଙ୍ଗୁଳି ଦେଖାଇ ଖୋଲାଖୋଲି ଉଲ୍ଲଘନ କରୁଛନ୍ତି। ଆଉ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ସବୁ ଦେଖି ବି ଅନ୍ଧ, କାଲା  ସାଜିଛନ୍ତି।

ନା ଗାଡିରେ ସରକାରୀ ଭଡା ତାଲିକା, ନା କମ୍ପ୍ୟୁଟର୍ ରସିଦ୍। ଅଛି କେବଳ କଣ୍ଡକ୍ଟରଙ୍କ ମନମାନି ଆଉ ହାତ ଲେଖା କାଗଜ ଟୁକୁରା। ଏହି ଅସ୍ତ୍ରରେ ସେମାନେ ଲୋକ ଦେଖି ମନଇଚ୍ଛା ଭଡା ଆଦାୟ କରୁଛନ୍ତି। ଗତକାଲି “ମା ଟଭାଦେବୀ” ବସ୍ (ଓଡି ୦୨ଏ ସି୦୪୯୪) କାକଟପୁର ରୁ ଭୁବନେଶ୍ୱର ଯାଉଥିଲା। ଯାତ୍ରୀଙ୍କଠୁ  ଜଣପିଛା ୯୦ ଟଙ୍କା ତ ଅନେକଙ୍କଠୁ ୧ଶହ ଟଙ୍କା ପର୍ଯ୍ୟନ୍ତ ଆଦାୟ ହେଲା। କାହାକୁ ଠିକ୍ ରସିଦ୍ ନାହିଁ। ଯାହା ଦେଲେ ତାହା ପଢି ହେଉନି, ହାତରେ ଗୋଲମାଳ ଲେଖା।ଯାହାକି ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳସମାଜସେବୀ ଯାତ୍ରୀ ଭାବେ ଯାଇଥିବା ସମରେନ୍ଦ୍ର ଦୀକ୍ଷିତି।

କାକଟପୁର ରୁ ଭୁବନେଶ୍ୱର ୬୦-୬୫କିମି। ସରକାରୀ ନିୟମ ଅନୁଯାୟୀ କିଲୋମିଟର ପିଛା ୮୫-୯୨ ପଇସା, ତାହା ଅର୍ଥ ସର୍ବାଧିକ ୬୦ ଟଙ୍କା। କିନ୍ତୁ ରେଟ୍ ଚାର୍ଟ ନଥିବାରୁ କଣ୍ଡକ୍ଟର ଯାହା ମନକୁ ଆସୁଛି ସେଇଆ ନେଉଛନ୍ତି। ଜାଣିଥିବା ଲୋକଠୁ ୯୦ ଟଙ୍କା,ନଜାଣିଥିବା ଲୋକଠୁ ଏକ ଶହ। ଛାତ୍ର, ରୋଗୀ, ମହିଳା ହେଲେ ତ କଥା ନାହିଁ।

କାକଟପୁର ଅଞ୍ଚଳ ସମାଜସେବୀ ସମରେନ୍ଦ୍ର ଦୀକ୍ଷିତି ନିଜେ ଯାତ୍ରା କରି କହିଛନ୍ତି , “ବସ୍‌ରେ କୌଣସି ଭଡା ତାଲିକା ନାହିଁ। ପଚାରିଲେ କୁହନ୍ତି ‘ଯାହା ନେଉଛୁ ଦିଅ’। ରସିଦ୍ ମାଗିଲେ ଗାଳି କରି ହାତ ଲେଖା ସ୍ଲିପ୍ ଧରାଉଛନ୍ତି। ନାପସନ୍ଦ ହେଲେ ଅନ୍ୟ ବସ୍ ରେ ଯାଅ ବୋଲି ଧମକ ଦେଉଛନ୍ତି। ଏହା କି ପ୍ରକାର ଗୁଣ୍ଡାରାଜ?”

ଏହା ଗୋଟିଏ ବସ୍‌ର କାହାଣୀ ନୁହେଁ। କାକଟପୁର-ଅସ୍ତରଙ୍ଗ ରୁଟ୍‌ର ଅଧିକାଂଶ ଘରୋଇ ବସ୍‌ରେ ଏହି ୩ଟି ଅପରାଧ ଚାଲିଛି:ରେଟ୍ ଚାର୍ଟ ନାହିଁ- ଯାହା ଆଇନରେ ବାଧ୍ୟତାମୂଳକ ,ଠିକ୍ ରସିଦ୍ ନାହିଁ – ଟିକସ ଫାଙ୍କିବାର ଖୋଲା ରାସ୍ତା ,ଲୋକ ଦେଖି ଭଡା- ଯିଏ ଦୁର୍ବଳ ତାକୁ ଅଧିକ ଲୁଟ୍।

କିନ୍ତୁ ସବୁଠୁ ବଡ ଅପରାଧୀ କିଏ? ଜିଲ୍ଲା ପ୍ରଶାସନ, ଜିଲ୍ଲା ପରିବହନ ଅଧିକାରୀ, ଅଧିକାରିଣୀ ଓ ଆରଟିଓ। ଏହି ରୁଟ୍‌ରେ ଶେଷ କେବେ ଫ୍ଲାଇଂ ଚଢାଉ ହୋଇଥିଲା କେହି ଜାଣିନାହାନ୍ତି। ନିୟମ ଭାଙ୍ଗୁଥିବା ବସ୍‌ର ପରର୍ମିଟ୍ ବାତିଲ ହେଉନି। ମାସିକ ବୈଠକ ଓ କାଗଜରେ ହିଁ ସେମାନଙ୍କ କାମ ସରିଯାଉଛି। ଫଳରେ ବସ୍ ମାଲିକଙ୍କ ସାହସ ବଢିଯାଇଛି।

ବୁଦ୍ଧିଜୀବୀ ମହଲରେ ଏବେ ସିଧା ଦାବି – ଜିଲ୍ଲାପ୍ରଶାସନ, ଜିଲ୍ଲା ପରିବହନ ବିଭାଗ ଓ ରାଜ୍ୟ ପରିବହନ ବିଭାଗ ମିଳିତ ଭାବେ ୭ ଦିନ ମଧ୍ୟରେ ତଦନ୍ତ କରନ୍ତୁ। ପ୍ରତି ବସ୍‌ରେ ସରକାରୀ ଭଡା ତାଲିକା ଓ ଇ-ଟିକେଟ୍ ମେସିନ୍ ବାଧ୍ୟତାମୂଳକ କରାଯାଉ। ଉଲ୍ଲଙ୍ଘନ କଲେ ତୁରନ୍ତ ବସ୍ ସିଜ୍ ଓ ପରର୍ମିଟ୍ ବାତିଲ।

ନଚେତ ଆଗାମୀ ଦିନରେ ଯାତ୍ରୀମାନେ ରାସ୍ତା ଅବରୋଧ କରିବେ। ଆଉ ସେଦିନ ଏହି ଲୁଟ୍‌ର ସମ୍ପୂର୍ଣ୍ଣ ଦାୟ ପ୍ରଶାସନ ଉପରେ ବର୍ତ୍ତାଇବ। କାରଣ ନିୟମ ନଥିବା ଜାଗାରେ ଲୁଟ୍ ହିଁ ରାଜା, ଆଉ ପ୍ରଶାସନ ହେଉଛି ତାର ମୁଖ୍ୟ ସେନାପତି।

Leave a Reply

Your email address will not be published. Required fields are marked *