ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

BSNL ଆଣିଲା ନୂଆ ସାଟେଲାଇଟ୍ ଫୋନ୍, ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍

ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ଭାରତୀୟ ବଜାରରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଇଛି। ତେବେ ଦୂରସଞ୍ଚାର ବିଭାଗ (DoT) ର ନିୟମ ଅନୁଯାୟୀ, କୌଣସି ବି ବ୍ୟକ୍ତି ବା ସଂସ୍ଥା ବିନା ଅନୁମତିରେ ଏହି ସାଟେଲାଇଟ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ। ଆବଶ୍ୟକୀୟ ସରକାରୀ ଅନୁମତି ମିଳିବା ପରେ ହିଁ ଏହାକୁ କାର୍ଯ୍ୟକ୍ଷମ କରାଯାଇପାରିବ।

କାହିଁକି ଖାସ୍ ଏହି ସାଟେଲାଇଟ୍ ଫୋନ୍?

ଏହି ଫୋନ୍ ସାହାଯ୍ୟରେ ଉପଭୋକ୍ତାମାନେ ମୋବାଇଲ୍ ନେଟୱର୍କ ନ ଥିବା ସମ୍ପୂର୍ଣ୍ଣ ଦୁର୍ଗମ ଅଞ୍ଚଳରେ ମଧ୍ୟ ସହଜରେ କଥାବାର୍ତ୍ତା କରିପାରିବେ ଏବଂ ଜରୁରୀକାଳୀନ ସେବା ପାଇପାରିବେ। ଏଥିରେ ଶକ୍ତିଶାଳୀ ତଥା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲୁଥିବା ବ୍ୟାଟେରୀ ବ୍ୟବହାର କରାଯାଇଛି। ଏହି ଫୋନ୍ ବିଶେଷ କରି ପ୍ରତିରକ୍ଷା ବାହିନୀ, ସାମୁଦ୍ରିକ କାର୍ଯ୍ୟ, ବିପର୍ଯ୍ୟୟ ପରିଚାଳନା, ମାଇନିଂ (ଖଣି କାର୍ଯ୍ୟ), ଦୁର୍ଗମ ଅଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ, ତୀର୍ଥଯାତ୍ରୀ ଏବଂ ଆଡଭେଞ୍ଚର ଟ୍ରାଭେଲ୍ କରୁଥିବା ଲୋକଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ।

ଏହା ବ୍ୟତୀତ, ବିଏସଏନଏଲ୍ ଦେଶରେ ଉପଭୋକ୍ତାମାନଙ୍କୁ ଉନ୍ନତ ୪ଜି ସେବା ଯୋଗାଇବା ପାଇଁ ପ୍ରାୟ ୯୯,୦୦୦ ସାଇଟ୍ସ ମଧ୍ୟ କାର୍ଯ୍ୟକ୍ଷମ କରିସାରିଛି।

ଆଇଫୋନ୍ ଠାରୁ ବି ଦାମୀ:

ବିଏସଏନଏଲ୍‌ର ଏହି ନୂଆ ସାଟେଲାଇଟ୍ ଫୋନ୍‌ର ମୂଲ୍ୟ ଟ୍ୟାକ୍ସ (କର) ସହିତ ୧,୩୪,୧୬୬ ଟଙ୍କା ରଖାଯାଇଛି। ଏହି ଦାମ୍ ଆପଲ୍‌ର ଆଇଫୋନ୍ ୧୭, ଆଇଫୋନ୍ ୧୭ ପ୍ରୋ ଏବଂ ସାମସଙ୍ଗ ଗାଲାକ୍ସି ଏସ୍୨୬ ଅଲ୍ଟ୍ରା ଭଳି ପ୍ରିମିୟମ୍ ସ୍ମାର୍ଟଫୋନ୍ ଠାରୁ ମଧ୍ୟ ଅଧିକ।

କେମିତି ମିଳିବ ସୂଚନା?

ଏହି ଫୋନ୍ ସମ୍ବନ୍ଧରେ ଅଧିକ ତଥ୍ୟ ପାଇଁ ଗ୍ରାହକମାନେ ସେମାନଙ୍କର ନିକଟସ୍ଥ ବିଏସଏନଏଲ୍ ଅଫିସ୍‌କୁ ଯାଇପାରିବେ କିମ୍ବା ୯୭୬୮୮୬୬୬୫୨ (9768866652) ନମ୍ବରରେ କଲ୍ କରି ସବିଶେଷ ବିବରଣୀ ବୁଝିପାରିବେ।

Leave a Reply

Your email address will not be published. Required fields are marked *