ଲୁପ୍ତପ୍ରାୟ ଟସର ଚାଷ, ତାଲା ପଡ଼ିଛି ସମବାୟ କାର୍ଯ୍ୟାଳୟ
ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ରେ ଟସର ଚାଷ ଏକଦା ଚାଷୀଙ୍କ ଜୀବିକାର ପ୍ରମୁଖ ମାଧ୍ୟମ ଥିଲା। ହେଲେ ଏବେ ଏହି ଚାଷ ଧୀରେ ଧୀରେ ଲୋପ ପାଇବାକୁ ବସିଛି। ବ୍ଲକ୍ ଅନ୍ତର୍ଗତ ନାଉଲିପଡ଼ା ପଞ୍ଚାୟତର ଛତାବରଠାରେ ଥିବା ଦେବଗଡ଼ ଟସର ଚାଷୀ ସମବାୟ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି ତାଲା ଝୁଲୁଛି। କାର୍ଯ୍ୟାଳୟର ଦାୟିତ୍ୱରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଅଛନ୍ତି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହେଉନାହିଁ। ଫଳରେ ଟସର ଚାଷୀମାନେ ନିରାଶ ହେଉଛନ୍ତି।
କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ଝୁଲୁଥିବାବେଳେ ଅନ୍ୟ କବାଟ ଓ ଝରକା ଖୋଲା ପଡ଼ିଛି। ଭିତରେ କିଛି ଲୁହା ସାମଗ୍ରୀ ଓ ଅଦରକାରୀ ଜିନିଷ ପଡ଼ି ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ନଷ୍ଟ ହେବାକୁ ବସିଛି। ଚାରିପାଖରେ ଅନାବନା ଗଛଲତା ମାଡ଼ି ଏହା ଜଙ୍ଗଲର ରୂପ ନେଲାଣି। ସ୍ଥାନୀୟ ଲୋକେ ଏହି କାର୍ଯ୍ୟାଳୟ ପରିସରରେ ଗାଈଗୋରୁ ବାନ୍ଧୁଥିବା ମଧ୍ୟ ଦେଖିବାକୁ ମିଳୁଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ୧୯୯୬-୯୭ ମସିହାରେ ରିଆମାଳ ବ୍ଲକ୍ର ଟସର ଚାଷ ରାଜ୍ୟରେ ବେଶ୍ ନାମ କରିଥିଲା। ଏଠାକାର ଚାଷୀମାନେ ପ୍ରତିଦିନ ବିପୁଳ ପରିମାଣରେ ଟସର ସୂତାକଳକୁ କଞ୍ଚାମାଲ ପଠାଉଥିଲେ। ତତ୍କାଳୀନ ଜିଲ୍ଲାପାଳ ମନୋଜ ଆହୁଜା ଚାଷୀଙ୍କ ଉତ୍ସାହ ଓ ଉତ୍ପାଦନ ଦେଖି ଏଠାରେ ଏକ ରେଶମ ସୂତାକଳ ସ୍ଥାପନ ପାଇଁ ସରକାରଙ୍କୁ ଜଣାଇଥିଲେ। ହେଲେ ତାଙ୍କର ଅନ୍ୟତ୍ର ବଦଳି ପରେ ବିଭିନ୍ନ ସମସ୍ୟା ଉପୁଜିବା ସହ ଟସର ଚାଷ ହ୍ରାସ ପାଇବାରେ ଲାଗିଲା। ଚାଷୀମାନେ ମଧ୍ୟ ଧୀରେ ଧୀରେ ଏଥିପ୍ରତି ଆଗ୍ରହ ହରାଇଲେ। ଏବେ ବ୍ଲକ୍ରେ ଟସର ଚାଷ ପ୍ରାୟ ଲୋପ ପାଇଯାଇଛି।
ଓଡ଼ିଶାରେ ଟସର ଚାଷର ଉନ୍ନତି ଓ ଚାଷୀଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ସରକାର ବିଭିନ୍ନ ଯୋଜନା ଓ ସହାୟତା ବ୍ୟବସ୍ଥା କରୁଥିବାବେଳେ ରିଆମାଳ ବ୍ଲକ୍ରେ ଏହାର ସୁଫଳ ମିଳୁନାହିଁ। ଚାଷୀଙ୍କ ପାଇଁ ବୀମା, ଇ-ମାର୍କେଟିଂ, ବଜାର ସଂଯୋଗ, ଚାଷଜମିର ସୀମା ବୃଦ୍ଧି, ଜଙ୍ଗଲ ଜମି ଲିଜ୍, ବୈଷୟିକ ସହାୟତା, ରିହାତି, କୃଷି ଉପକରଣ, ଉନ୍ନତମାନର ବିହନ ଯୋଗାଣ ଓ ଜଳସେଚନ ଭଳି ସୁବିଧା ରହିଥିଲେ ମଧ୍ୟ ଏହି ଅଞ୍ଚଳର ଚାଷୀ ଉପକୃତ ହେଉନାହାନ୍ତି।
ଏ ସମ୍ପର୍କରେ ଦେବଗଡ଼ ରେଶମ ଶିଳ୍ପ ସହକାରୀ ନିର୍ଦ୍ଦେଶକ ସୁଧାଂଶୁବାଳା ନାୟକଙ୍କୁ ପଚାରିବାରୁ ସେ କାର୍ଯ୍ୟାଳୟ କୋଠାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା କହିଛନ୍ତି। ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ଅବସର ନେବା ପରେ ଅନ୍ୟ ଜଣେ କର୍ମଚାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହି ସମସ୍ୟା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ କହିଛନ୍ତି।
ସରକାର ଟସର ଚାଷର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ରିଆମାଳରେ ଏହି ଚାଷର ପୁନରୁଦ୍ଧାର କେବେ ହେବ, ତାହା ଏବେ ବଡ଼ ପ୍ରଶ୍ନ। ବନ୍ଦ ପଡ଼ିଥିବା ସମବାୟ କାର୍ଯ୍ୟାଳୟକୁ ପୁନଃକାର୍ଯ୍ୟକ୍ଷମ କରିବା ସହ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।
