ଭାରତରେ ‘ଷ୍ଟାରଲିଙ୍କ’ ଆଣିବା ଜିଦ୍ରେ ଏଲନ୍ ମସ୍କ
ନୂଆଦିଲ୍ଲୀ : ସ୍ପେସ୍ଏକ୍ସ ମୁଖ୍ୟ ଏଲନ୍ ମସ୍କ ଭାରତରେ ନିଜର ସାଟେଲାଇଟ୍ ଇଣ୍ଟରନେଟ୍ ସେବା ‘ଷ୍ଟାରଲିଙ୍କ’ ଆରମ୍ଭ କରିବା ପ୍ରସଙ୍ଗକୁ ପୁଣି ଥରେ ଉଠାଇଛନ୍ତି। ଭାରତୀୟ ବଜାରରେ ପ୍ରତିଯୋଗିତା ବଢ଼ିଲେ ସାଧାରଣ ଗ୍ରାହକଙ୍କୁ ଅଧିକ ବିକଳ୍ପ ମିଳିବ ଏବଂ ଏହାର ସିଧାସଳଖ ଲାଭ ଉପଭୋକ୍ତାଙ୍କୁ ମିଳିବ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ମସ୍କ। ଅମ୍ବାନୀଙ୍କ ସମର୍ଥକଙ୍କ ଯୁକ୍ତିକୁ ବିରୋଧାଭାସପୂର୍ଣ୍ଣ ବୋଲି କହିବା ସହ ମସ୍କ ଏହାକୁ ଅଯୌକ୍ତିକ ଦୋମୁହାଁ ନୀତି ଏବଂ ଅତିରଞ୍ଜିତ ଦାବି ବୋଲି ସମାଲୋଚନା କରିଛନ୍ତି। ଭାରତରେ ଷ୍ଟାରଲିଙ୍କ୍ ସେବା ଆରମ୍ଭ ହେବାରେ ବିଳମ୍ବକୁ ନେଇ ସେ କ୍ରମାଗତ ଭାବେ ପ୍ରଶ୍ନ ଉଠାଉଥିବା ସମୟରେ ତାଙ୍କର ଏହି ମନ୍ତବ୍ୟ ସାମ୍ନାକୁ ଆସିଛି। ଅନ୍ୟପଟେ, ରିଲାଏନ୍ସ ଦେଶର ଟେଲିକମ୍ କ୍ଷେତ୍ରର ଏକ ପ୍ରମୁଖ କମ୍ପାନୀ।
ଏଲନ୍ ମସ୍କ ରବିବାର ଦିନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଭାରତରେ ଷ୍ଟାରଲିଙ୍କତ ଆରମ୍ଭ ହେଲେ ସାଧାରଣ ଲୋକଙ୍କୁ ଇଣ୍ଟରନେଟ୍ ସେବା ପାଇଁ ଅଧିକ ବିକଳ୍ପ ମିଳିବ। ତାଙ୍କ କହିବା ଅନୁସାରେ, ଏହା ଦ୍ୱାରା ମୁକେଶ ଅମ୍ବାନୀଙ୍କ ଲାଭ କିଛି ମାତ୍ରାରେ କମିପାରେ, କିନ୍ତୁ ତାଙ୍କ ବ୍ୟବସାୟ ବନ୍ଦ ହୋଇଯିବ ନାହିଁ। ଯଦି ଭାରତରେ ଷ୍ଟାରଲିଙ୍କର ଇଣ୍ଟରନେଟ୍ ସେବା ଅଧିକ ମହଙ୍ଗା ହୁଏ, ତେବେ ଗ୍ରାହକ ଏହାକୁ ବ୍ୟବହାର କରିବାକୁ ଆଗ୍ରହ ଦେଖାଇବେ ନାହିଁ। ତେଣୁ କମ୍ପାନୀକୁ ଗ୍ରାହକଙ୍କ କ୍ରୟ କ୍ଷମତା ଅନୁସାରେ ନିଜର ଦର ନିର୍ଦ୍ଧାରଣ କରିବାକୁ ପଡ଼ିବ।
ଅମ୍ବାନୀଙ୍କ ଇଣ୍ଟରନେଟ୍ ବ୍ୟବସାୟକୁ ସମର୍ଥନ କରୁଥିବା ଲୋକଙ୍କ ଯୁକ୍ତି ଉପରେ ମଧ୍ୟ ମସ୍କ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅନୁସାରେ, ଗୋଟିଏ ପଟେ କୁହାଯାଉଛି ଯେ ଭାରତରେ ଅମ୍ବାନୀଙ୍କ ଶସ୍ତା ଇଣ୍ଟରନେଟ୍ ସେବା ସହ ଷ୍ଟାରଲିଙ୍କ ପ୍ରତିଯୋଗିତା କରିପାରିବ ନାହିଁ। ଅନ୍ୟପଟେ, ଷ୍ଟାରଲିଙ୍କକୁ ଏତେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦର୍ଶାଯାଉଛି ଯେ ଏହା ଦ୍ୱାରା ଦେଶର ବର୍ତ୍ତମାନର ଇଣ୍ଟରନେଟ୍ ବ୍ୟବସାୟ ପ୍ରଭାବିତ ହୋଇପାରେ। ମସ୍କ ଏହି ଦୁଇଟି ଯୁକ୍ତିକୁ ପରସ୍ପର ବିରୋଧୀ ବୋଲି କହିଛନ୍ତି।
