ପ୍ୟାରେ ମିଆଁଙ୍କୁ ଆଜୀବନ ଜେଲ୍ ସହ ୭୭.୬୪ ଲକ୍ଷ ଜରିମାନା

ଭୋପାଳ : ନାବାଳିକାଙ୍କୁ ଯୌନ ଶୋଷଣ ମାମଲାରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ସ୍ୱତନ୍ତ୍ର ପୋକ୍ସୋ (POCSO) କୋର୍ଟ ଏକ ବଡ଼ ଏବଂ କଠୋର ରାଏ ଶୁଣାଇଛନ୍ତି । ଭୋପାଳର ଜଣେ ପୂର୍ବତନ ସମ୍ବାଦପତ୍ର ମାଲିକ ପ୍ୟାରେ ମିଆଁକୁ ୫ ଜଣ ନାବାଳିକାଙ୍କ ସହ ଜଡ଼ିତ ଅପରାଧରେ ୧୦ ଥର ଆଜୀବନ କାରାଦଣ୍ଡ ଏବଂ ୭୭ ଲକ୍ଷ ୬୪ ହଜାର ଟଙ୍କାର ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ମାମଲାରେ ତାଙ୍କ ସହଯୋଗୀ ରାନିଆ ବି କୁ ମଧ୍ୟ ୨୦ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଯାଇଛି । ଅଭିଯୋଗ ଅନୁଯାୟୀ, ପ୍ୟାରେ ମିଆଁ ସମାଜରେ ଜଣେ ସମ୍ବାଦପତ୍ର ମାଲିକ ହେବାର ପରିଚୟ ଦେଇ ୨୦୧୪ ମସିହାରୁ ନାବାଳିକାମାନଙ୍କୁ ଆର୍ଥିକ ଶୋଷଣ ଓ ଯୌନ ନିର୍ଯାତନା ଦେଇ ଆସୁଥିଲା । ସେ ଗରିବ ପରିବାରର ଝିଅମାନଙ୍କୁ ମାସିକ ୧୦,୦୦୦ ଟଙ୍କା ଦରମାରେ ଚାକିରି ଦେବା ପ୍ରଲୋଭନ ଦେଖାଇ ଫାଶରେ ପକାଉଥିଲା ଏବଂ ବିଭିନ୍ନ ପାର୍ଟିକୁ ଡାକି ନିଶା ଦେଇ ଯୌନ ଉତ୍ପୀଡ଼ନ କରୁଥିଲା । ୨୦୨୦ ମସିହାରେ ଭୋପାଳର ରାତିବଡ଼ ଅଞ୍ଚଳରେ କିଛି ନାବାଳିକା ବେହୋସ ଅବସ୍ଥାରେ ମିଳିବା ପରେ ଏହି ସତ ସାମ୍ନାକୁ ଆସିଥିଲା । ପୀଡ଼ିତାମାନେ ପୁଲିସ ଆଗରେ ସେମାନଙ୍କ ଉପରେ ହୋଇଥିବା ପାଶବିକ ଅତ୍ୟାଚାରର ପଦ୍ଦାଫାଶ କରିଥିଲେ ।
