ନୂଆଦିଲ୍ଲୀ ଏସ୍ସିଓ ସମ୍ମିଳନୀ ପାଇଁ ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ

ନୂଆଦିଲ୍ଲୀ : ପାକିସ୍ତାନକୁ ନୂଆଦିଲ୍ଲୀ ଆସିବାକୁ ଭାରତର ନିମନ୍ତ୍ରଣ। ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ସୃଷ୍ଟି ହୋଇଥିବା ତିକ୍ତତା ପରେ ପ୍ରଥମଥର ପାଇଁ ପାକିସ୍ତାନକୁ ନିମନ୍ତ୍ରଣ କରିଛି ଭାରତ। ଦିଲ୍ଲୀରେ ଅନୁଷ୍ଠିତ ସଂଘାଇ କର୍ପୋରେସନ ଅର୍ଗାନାଇଜେସନ(ଏସ୍ସିଓ) ସମ୍ମିଳନୀରେ ଯୋଗ ଦେବାକୁ ଭାରତ ପକ୍ଷରୁ ପାକିସ୍ତାନକୁ କରାଯାଇଛି ନିମନ୍ତ୍ରଣ। ନୂଆଦିଲ୍ଲୀରେ ପ୍ରଥମଥର ପାଇଁ ଏସ୍ସିଓ ସିଭିଲାଇଜେସନ ଡାଏଲଗ ଫରୋମ ଅନୁଷ୍ଠିତ ହେଉଛି। ଏଥିପାଇଁ ଆୟୋଜକ ଦେଶ ଭାବେ ଭାରତ ଏସ୍ସିଓର ସମସ୍ତ ୧୦ ସଦସ୍ୟ ରାଷ୍ଟ୍ରର ସଦସ୍ୟଙ୍କ ପାଖକୁ ନିମନ୍ତ୍ରଣ ପଠାଯାଇଛି। ଏହା ମଧ୍ୟରୁ ଗୋଟିଏ ପାକିସ୍ତାନର ଜାତୀୟ ଐତିହ୍ୟ ଓ ସଂସ୍କୃତି ମନ୍ତ୍ରୀ ଔରଙ୍ଗଜେବ ଖାନ ଖିଚିଙ୍କୁ ମଧ୍ୟ ଦିଆଯାଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଅପରେସନ ସିନ୍ଦୂରକୁ ନେଇ ସାମରିକ ବିବାଦ ୨୦୨୫ରେ ଦେଖିବାକୁ ମିଳିଥିଲା। ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମସୀମାରେ ରହିଛି। ତଥାପି ପ୍ରୋଟବଲ ଅନୁସାରେ ପ୍ରଥମଥର ପାଇଁ ଭାରତ ପକ୍ଷରୁ ଜଣେ ବରିଷ୍ଠ ପାକିସ୍ତାନୀ ମନ୍ତ୍ରୀଙ୍କୁ ନୂଆଦିଲ୍ଲୀକୁ ନିମନ୍ତ୍ରଣ କରାଯାଇଛି। ୨୦୨୩ରେ ପାକିସ୍ତାନର ତତ୍କାଳୀନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀ ଭାରତ ଗସ୍ତରେ ଆସି ଗୋଆରେ ଆୟୋଜିତ ଏସ୍ସିଓ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହା ପରଠାରୁ କୌଣସି ପାକିସ୍ତାନୀ ମନ୍ତ୍ରୀ ଭାରତ ଆସି ନାହାନ୍ତି। ଯଦି ଔରଙ୍ଗଜେବ ଭାରତ ଗସ୍ତରେ ଆସିବେ, ତା’ହେଲେ ୨୦୨୩ର ପୁନାରାବୃତ୍ତି ହେବ। ଅକ୍ଟୋବର ୨୦ରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଜିକସ୍ତାନର ଦୁଶାନବେ ଠାରେ ଏସ୍ସିଓର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ନୂଆଦିଲ୍ଲୀ ବୈଠକ ପାଇଁ ନିମନ୍ତ୍ରଣ କରାଯାଇଥିବା କହିଥିଲେ। ଏବେ ପାକିସ୍ତାନକୁ ମଧ୍ୟ ନିମନ୍ତ୍ରଣ ପତ୍ର ପଠାଯାଇଥିବା କୂଟନୀତିକ ସୂତ୍ରରୁ ସ୍ପଷ୍ଟ ହୋଇଛି। ରାଜନାଥଙ୍କ ଘୋଷଣା ବେଳେ ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଈଶାକ ଦାର ମଧ୍ୟ ଉପସ୍ଥିତ ରହିଥିଲେ। ବେଲାରୁସ, ଚାଇନା, ଭାରତ, ଇରାନ, କାଜାଖସ୍ତାନ, କିରର୍ଗିସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ ଓ ଉଜବେକିସ୍ତାନ ଭଳି ୧୦ଟି ରାଷ୍ଟ୍ର ଏସ୍ସିଓରେ ରହିଛନ୍ତି। ୨୦୧୭ରେ ଭାରତ ଏସ୍ସିଓର ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ର ମାନ୍ୟତା ପାଇଥିଲା।
