୨୦୦ ହାଲୁକା ୟୁଟିଲିଟି ହେଲିକପ୍ଟର କିଣିବ ସେନା
ନୂଆଦିଲ୍ଲୀ : ପୁରୁଣା ଚିତା ଓ ଚେତକ ହେଲିକପ୍ଟରକୁ ବଦଳାଇବା ପାଇଁ ପ୍ରତିରକ୍ଷା ବାହିନୀ ଚିନ୍ତା କରୁଥିବା ବେଳେ ଭାରତୀୟ ସେନା ଏବଂ ବାୟୁସେନା ରାଷ୍ଟ୍ରାୟତ୍ତ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ ଦ୍ୱାରା ବିକଶିତ ହେଉଥିବା ପ୍ରାୟ ୨୦୦ଟି ସ୍ୱଦେଶୀ ହାଲୁକା ୟୁଟିଲିଟି ହେଲିକପ୍ଟର କିମିବା ପାଇଁ ଯୋଜନା କରୁଛି । ସେନା ଓ ବାୟୁସେନାର ମୋଟ୍ ପ୍ରାୟ ୪୦୦ଟି ହାଲୁକା ହେଲିକପ୍ଟରର ଆବଶ୍ୟକତା ରହିଛି । ଏଥିମଧ୍ୟରୁ ୨୦୦ଟି ଲାଇଟ୍ ମଲ୍ଟିରୋଲ୍ ହେଲିକପ୍ଟରକୁ ପ୍ରକିରକ୍ଷା ଅଧିକଗ୍ରହଣ ପରିଷଦ ଅନୁମୋଦନ କରିଛି । ଏହାପରେ ଭାରତୀୟ ସେନା ଏକ ଟେଣ୍ଡର ଜାରି କରିବ । ଏଥିରେ ଟାଟା ଏବଂ ଆଦାନି ସମେତ ଘରୋଇ କମ୍ପାନିଗୁଡ଼ିକ ଭାରତରେ ହେଲିକପ୍ଟର ତିଆରି ପାଇଁ ବିଶ୍ୱସ୍ତରୀୟ ମୂଳ ଉପକରଣ ନିର୍ମାତା ସହିତ ଭାଗୀଦାରି କରିବେ ବୋଲି ଆଶା । ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ଯେ ସେନା ଏବଂ ବାୟୁସେନା ପ୍ରାୟ ୨୦୦ଟି ସ୍ୱଦେଶୀ ଲାଇଟ୍ ୟୁଟିଲିଟି ହେଲିକପ୍ଟର ପାଇଁ ଅର୍ଡର ଦେବେ ଏବଂ ଏହା ଭାରତୀୟ ସେନା ସହିତ ସ୍ଥାନୀୟ ମଧ୍ୟମ ଏବଂକ୍ଷୁଦ୍ର ଶିଳ୍ପ ପାଇଁ ଏକ ବଡ଼ ପ୍ରୋତ୍ସାହନ ହେବ । କାରଣ ଏହା ହେଲିପକ୍ଟର ପାଇଁ ଇକୋସିଷ୍ଟମକୁ ଆହୁରି ମଜବୁତ କରିବ ବୋଲି ଆଶା । ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିଏସି ବୈଠକରେ ସ୍ଥଳ ସେନା, ନୌସେନା ଓ ବାୟୁସେନା ଲାଗି ପ୍ରାୟ ୨.୧୨ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । ଏଥିମଧ୍ୟରୁ ୮୨% ଭାରତରୁ ହିଁ କିଣାଯିବ ବୋଲି ଜଣାପଡ଼ିଛି ।

