ମନ୍ତ୍ରୀ ପଦ ଓ ରାଜ୍ୟସଭାରୁ ଇସ୍ତଫା ଦେଲେ ଏଲ୍. ମୁରୁଗାନ
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏଲ୍. ମୁରୁଗାନ ମଙ୍ଗଳବାର ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।
ସୋସିଆଲ ମିଡିଆରେ ନିଜ ମନ୍ତବ୍ୟ ରଖି ମୁରୁଗାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ଦେଶ ଓ ତାମିଲନାଡୁର ସେବା କରିବା ତାଙ୍କ ଜୀବନର ଏକ ମୂଲ୍ୟବାନ ଅନୁଭୂତି। ଜଣେ ଦିନମଜୁରିଆଙ୍କ ପୁଅକୁ କେନ୍ଦ୍ରମନ୍ତ୍ରୀ ହେବାର ସୁଯୋଗ ମିଳିବା ତାଙ୍କ ପାଇଁ ପରମ ସୌଭାଗ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି।
ଏଣିକି ତାମିଲନାଡୁରେ ବିଜେପିକୁ ସଶକ୍ତ କରିବା ପାଇଁ ସେ ସମ୍ପୂର୍ଣ୍ଣ ସମୟ ଦେବେ ବୋଲି କହିଛନ୍ତି। ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବା ଓ ଦଳ ପାଇଁ ଅନୁକୂଳ ରାଜନୈତିକ ପରିବେଶ ସୃଷ୍ଟି କରିବା ତାଙ୍କର ପ୍ରମୁଖ ଲକ୍ଷ୍ୟ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଏଲ୍. ମୁରୁଗାନ ୨୦୨୧ରେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୪ରେ ସେ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।
