ୟୁନିସେଫ୍ ଇଣ୍ଡିଆର ସେଲିବ୍ରିଟି ଆଡ୍ଭୋକେଟ୍ ହେଲେ ସ୍ମୃତି ମନ୍ଧାନା
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର ନବନିଯୁକ୍ତ ଅଧିନାୟିକା ସ୍ମୃତି ମନ୍ଧାନାଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ତାଙ୍କୁ ୟୁନିସେଫ୍ ଇଣ୍ଡିଆର ସେଲିବ୍ରିଟି ଆଡ୍ଭୋକେଟ୍ ଭାବେ ନିଯୁକ୍ତ କରାଯାଇଛି। କିଶୋରୀମାନଙ୍କ ସଶକ୍ତୀକରଣ, ସମାନ ଅଧିକାର, ସ୍ୱାସ୍ଥ୍ୟ ଓ କଲ୍ୟାଣ ସହ ସେମାନଙ୍କ ପାଇଁ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବା ଦିଗରେ ସେ ଏହି ସଂସ୍ଥାକୁ ସହଯୋଗ କରିବେ।
ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ରବିବାର ଏହି ଘୋଷଣା କରାଯାଇଛି। ବାଳିକାମାନଙ୍କ ଅଧିକାର, ସୁରକ୍ଷା, ନେତୃତ୍ୱ ଓ ସାମର୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହ ବାଳିକାମାନଙ୍କ ଅଗ୍ରଗତିରେ ବାଧା ସୃଷ୍ଟି କରୁଥିବା ସାମାଜିକ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଏ। ସ୍ମୃତିଙ୍କ ଭଳି ଜଣେ ଲୋକପ୍ରିୟ କ୍ରୀଡ଼ାବିତ୍ଙ୍କୁ ଏହି ଅଭିଯାନରେ ସାମିଲ କରି ବାଳିକାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ଆକାଂକ୍ଷା ବୃଦ୍ଧି କରିବାକୁ ୟୁନିସେଫ୍ ଲକ୍ଷ୍ୟ ରଖିଛି।
ନୂଆ ଦାୟିତ୍ୱରେ ସ୍ମୃତି ଶିଶୁ ଓ ଯୁବପିଢ଼ିଙ୍କ ସମାନ ଅଧିକାର ଏବଂ ସୁଯୋଗକୁ ପ୍ରୋତ୍ସାହିତ କରୁଥିବା ବିଭିନ୍ନ ପଦକ୍ଷେପରେ ନିଜର ପୂର୍ବ ଅଭିଜ୍ଞତାକୁ ଉପଯୋଗ କରିବେ। ବିଶେଷକରି ବାଳିକାମାନେ ଯେପରି କ୍ରୀଡ଼ା କ୍ଷେତ୍ରରେ ନିର୍ଭୟରେ ଅଂଶଗ୍ରହଣ କରିପାରିବେ ଏବଂ ନିଜର ପ୍ରତିଭାକୁ ବିକଶିତ କରିପାରିବେ, ସେଥିପାଇଁ ସେ ସଚେତନତା ସୃଷ୍ଟି କରିବେ। ଏହା ସହ କିଶୋରୀମାନଙ୍କ ସ୍ୱାସ୍ଥ୍ୟ, ମାନସିକ ଓ ସାମାଜିକ କଲ୍ୟାଣ ଏବଂ ଶିକ୍ଷା, ଖେଳ ଓ ନେତୃତ୍ୱ ନେବାର ସୁଯୋଗ ବୃଦ୍ଧି କରିବାରେ ୟୁନିସେଫ୍ର ପ୍ରୟାସକୁ ସମର୍ଥନ କରିବେ।
ଏହି ନିଯୁକ୍ତିକୁ ନେଇ ଖୁସି ପ୍ରକାଶ କରି ସ୍ମୃତି କହିଛନ୍ତି, “ୟୁନିସେଫ୍ ଇଣ୍ଡିଆର ସେଲିବ୍ରିଟି ଆଡ୍ଭୋକେଟ୍ ହେବା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। କ୍ରିକେଟ୍ ଖେଳି ବଡ଼ ହେବା ସମୟରେ ମୁଁ ଶିଖିଛି ଯେ ପ୍ରତ୍ୟେକ ସ୍ୱପ୍ନର ଆରମ୍ଭ ଏକ ସୁଯୋଗରୁ ହୋଇଥାଏ। ପରିଶ୍ରମ, ଦୃଢ଼ ସଂକଳ୍ପ ଓ ଉତ୍ସାହ ମିଳିଲେ ସେହି ସୁଯୋଗ ଅସାଧାରଣ ସଫଳତାରେ ପରିଣତ ହୋଇପାରେ। ପ୍ରତ୍ୟେକ ଶିଶୁ ଓ ଯୁବକଯୁବତୀଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ନିଜର ସମ୍ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବାର ସୁଯୋଗ ମିଳିବା ଉଚିତ।”
ବାମହାତୀ ବ୍ୟାଟର୍ ସ୍ମୃତି ପୂର୍ବରୁ ୟୁନିସେଫ୍ ଓ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଲିଙ୍ଗଗତ ସମାନତା ଏବଂ ଜୀବନ କୌଶଳ ସମ୍ପର୍କିତ ଅଭିଯାନଗୁଡ଼ିକୁ ସମର୍ଥନ କରିଛନ୍ତି। ଏହା ସହ ୟୁନିସେଫ୍ର ‘ପ୍ରମିଜ୍ ଟୁ ଚିଲ୍ଡ୍ରେନ୍’ ଅଭିଯାନରେ ମଧ୍ୟ ସେ ସହଯୋଗ କରିଥିଲେ। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ମୃତି ଅର୍ଜୁନ ପୁରସ୍କାର ପାଇଛନ୍ତି। ନିକଟରେ ହରମନପ୍ରୀତ କୌର ଅଧିନାୟକ ପଦରୁ ଓହରିବା ପରେ ସ୍ମୃତିଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଦଳର ନେତୃତ୍ୱ ଦାୟିତ୍ୱ ମିଳିଛି। କ୍ରିକେଟ୍ ସହ ସାମାଜିକ ସଚେତନତା କ୍ଷେତ୍ରରେ ମଧ୍ୟ ତାଙ୍କର ଏହି ନୂଆ ଭୂମିକା ଗୁରୁତ୍ୱ ବହନ କରୁଛି।
