ଜୟଦେବ ବାଟିକାକୁ ନେଇ ଅଭିଯୋଗ, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ
1 min read

ଜୟଦେବ ବାଟିକାକୁ ନେଇ ଅଭିଯୋଗ, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳରେ ଥିବା ଜୟଦେବ ବାଟିକା ଦିନେ ପର୍ଯ୍ୟଟକଙ୍କ ମନୋରଞ୍ଜନର ଅନ୍ୟତମ ପ୍ରମୁଖ ସ୍ଥଳ ଥିଲା। ହେଲେ ଏହାର ରକ୍ଷଣାବେକ୍ଷଣ, ସୁରକ୍ଷା ଓ ପରିଚାଳନାରେ ଅବହେଳା ଯୋଗୁଁ ଏବେ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଏହାର ପ୍ରଭାବ ସ୍ୱରୂପ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇବା ସହ ସରକାରଙ୍କ ରାଜସ୍ୱ ମଧ୍ୟ କମିବାରେ ଲାଗିଛି।

ପର୍ଯ୍ୟଟନକୁ ଶିଳ୍ପର ମାନ୍ୟତା ଦେବା ସହ ଏହାର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ ରାଜଧାନୀର ସ୍ମାର୍ଟ ସିଟି ପରିସରରେ ଥିବା ଏହି ସବୁଜ ପରିବେଶ ଘେରା ପର୍ଯ୍ୟଟନସ୍ଥଳୀର ଅବସ୍ଥା ଦିନକୁ ଦିନ ଖରାପ ହେବା ଚିନ୍ତାର ବିଷୟ ହୋଇଛି। ସ୍ଥାନୀୟ ଅଞ୍ଚଳ ସମେତ ଦୂରଦୂରାନ୍ତରୁ ଲୋକେ ଏଠାକୁ ଆସି ଅବସର ସମୟ ବିତାଇବା, ଭୋଜିଭାତ ଓ ଆମୋଦପ୍ରମୋଦ କରିବାକୁ ପସନ୍ଦ କରୁଥିଲେ।

ସୂଚନା ଅନୁସାରେ, ଏହି ବିସ୍ତୀର୍ଣ୍ଣ ସବୁଜ ପରିବେଶର ଉନ୍ନତିକରଣ ଦାୟିତ୍ୱ ରାଜ୍ୟ ବନ ଉନ୍ନୟନ ନିଗମ (ଓଏଫଡିସି)କୁ ଦିଆଯାଇଛି। ଚଳିତ ବର୍ଷ ଜୟଦେବ ବାଟିକାର ସବୁଜିମା ବୃଦ୍ଧି ଓ ଆକର୍ଷଣ ବଢ଼ାଇବା ପାଇଁ ୨୮,୩୮୪ଟି ଗଛ ଲଗାଇବାର ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ତାହା ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ।

ଅନ୍ୟପକ୍ଷରେ, ଏହି ପର୍ଯ୍ୟଟନସ୍ଥଳୀର ବିକାଶ ଓ ପରିଚାଳନା ପାଇଁ ପ୍ରତି ମାସରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଜଣାପଡ଼ିଛି। ଦିନେ ଜୟଦେବ ବାଟିକାରୁ ବାର୍ଷିକ ୨ କୋଟି ଟଙ୍କାରୁ ଅଧିକ ରାଜସ୍ୱ ମିଳୁଥିବାବେଳେ ଏବେ ଏହା ହ୍ରାସ ପାଇ ୨୫ରୁ ୩୦ ଲକ୍ଷ ଟଙ୍କାରେ ପହଞ୍ଚିଥିବା ଦାବି କରାଯାଉଛି।

ଏହା ସହିତ, ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ନିଯୁକ୍ତ ଶ୍ରମିକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ କେତେକ ଅଧିକାରୀ ନିଜ ଘରୋଇ କାମରେ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି। ଏଭଳି କାର୍ଯ୍ୟ ଜୟଦେବ ବାଟିକାର ସୁପରିଚାଳନାରେ ବାଧା ସୃଷ୍ଟି କରୁଥିବା କୁହାଯାଉଛି। ଦିନେ ବିପୁଳ ରାଜସ୍ୱ ଆଦାୟ କରୁଥିବା ଏହି ପର୍ଯ୍ୟଟନସ୍ଥଳୀର ହୃତଗୌରବ ଫେରାଇ ଆଣିବାକୁ ହେଲେ ଉଚ୍ଚପଦସ୍ଥ ଅଧିକାରୀଙ୍କ ତୁରନ୍ତ ଦୃଷ୍ଟି ଆକର୍ଷଣ ଓ ଠୋସ୍ ପଦକ୍ଷେପ ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *